ଅହଂକାର
ଅହଂକାର


ମୁଁ --- ଅହଂକାର
ଚାରୋଟି ଅକ୍ଷରକୁ ନେଇ ମୋର ପରିଚିତି
ପରାକାଷ୍ଠା, ଆଉ ପରିଦୃଷ୍ଟ ମୋ ବ୍ୟକ୍ତିତ୍ୱର
ତଥାପି ନଥାଏ କାହାକୁ ଭ୍ରୂକ୍ଷେପ ମୋର
କାରଣ, ମୁଁ ----ଅହଂକାର l
ଧନସମ୍ପତ୍ତି, କ୍ଷମତା, ପ୍ରତିପତ୍ତିରେ ମଦମତ୍ତ
ଯଶ, ପୌରୁଷ, ବଳ ବୀର୍ଯ୍ୟର କସରତରେ
ଶ୍ରେଷ୍ଠତମ, ବଳୀୟାର ଆତ୍ମଶ୍ଲାଘୀ
ସେହି ମୁଁ ----ଅହଂକାର l
ଅ ---ରୁ ମୁଁ ଅଣୁଅସ୍ତ୍ର
ନିମିଷକେ କରିପାରେ, ଅପରର କ୍ଷତି ଆଉ ସର୍ବନାଶ
ତେଣୁ ସହଜରେ ଜୁଟେନାହିଁ କାହାର ସାହସ
ଜଳିପୋଡ଼ି ଭସ୍ମାସୁର ସ୍ପର୍ଶେ ହେବାକୁ ପାଉଁଶ l
ହ---ରୁ ମୁଁ ହଳାହଳ
ସ୍ୱୟଂ ନୀଳକଣ୍ଠ ପାନ କରିଥିବା ବିଷଠାରୁ
ମୁଁ ଆହୁରି ଉତ୍କଟ ବିଷମୟ ଆଉ ଭୟଙ୍କର
କାରଣ ମୁଁ ----ଅହଂକାର l
କା ---ରୁ କାତ୍ୟାୟନୀ, ଭୈରବୀ, ଚଣ୍ଡ ମୁଣ୍ଡ ବିନାଶିନୀ
ମୋ କୋପେ ଥର ହର ଚାଟୁକାର
ମହିଷାସୁର, ଆଉ କଂସ ମଥୁରାର
ତାଙ୍କୁ କରିଥିଲି ନିଧନ,
ସେହି ମୁଁ ----ଅହଂକାର l
ର ---ରୁ ମୁଁ ରୁଦ୍ର
ସୃଜିପାରେ ତାଣ୍ଡବ, କରି ନୃତ୍ୟ ପ୍ରକମ୍ପିତ କୈଳାସ କନ୍ଦରେ
ମୋ ବଳେ କୁରୁଶ୍ରେଷ୍ଠ ଦୁର୍ୟୋଧନ କରି ଵିଵସ୍ତ୍ରା ଯାଜ୍ଞସେନୀ
ହୋଇଥିଲେ ନିଧନ, ହୋଇଥିଲା ସର୍ବନାଶ କୌରବ କୁଳର
କାରଣ ----ମୁଁ ଅହଂକାର l
ମୁଁ ---ଅହଂକାର
ମନ ମୋର ବଚସ୍କର
ତେଣୁ ସେ ବୁଝିପାରେନାହିଁ ମୋର ଇନ୍ଦ୍ରଜାଲର ହୁନ୍ଦର
ସଭିଙ୍କ ହୃଦୟରେ ଥାଏ,
ଥାଏ ମୁଁ ଅନ୍ତଃକରଣରେ
ଅବୋଧ ସିଂହ ଶାବକ ଭଳି ହୃଦୟ ଗୁମ୍ଫାରେ
ହେଲେ, ନିର୍ବୋଧ ମାନବ ନେଇ ସମର୍ପଣ ଭାବ
ହୋଇ ଭୂଷିତ ସୁ ଶ୍ରୀ ଦିବ୍ୟ ମାନବୀୟ ଗୁଣେ
ହୋଇ ପାରେନାହିଁ କେବେ ନିରହଂକାର
କାରଣ ମୁଁ ---ଅହଂକାର
ନିବାସ ମୋର ମାନବ ଶରୀର କନ୍ଦର
ମୁଁ ----ଅହଂକାର l