ଅଗଷ୍ଟ ପନ୍ଦର
ଅଗଷ୍ଟ ପନ୍ଦର


**********
ଆସିଛିରେ ଆଜି ଅଗଷ୍ଟ ପନ୍ଦର
ସଭିଙ୍କୁ ଦେବାକୁ ଖୁସି
କେତେ ବୀରଯୋଦ୍ଧା ଏଥିପାଇଁ ଦିନେ
ହୋଇଲେ ଶ୍ମଶାନ ବାସୀ ।୧।
ଇଂରେଜ ଗୁଳିରେ ପ୍ରାଣବଳି ଦେଇ
କରିଲେ ଦେଶକୁ ମୁକ୍ତି
ସେଥିପାଇଁ ଆଜି ଅଗଷ୍ଟ ପନ୍ଦରେ
ଦେଶବାସୀ କରୁ ସ୍ତୁତି ।୨।
ଗୁଣାବଳୀ ତାଙ୍କ ଗାନ କରିବାକୁ
ନାହିଁ ଆମ୍ଭ ପାଶେ ଭାଷା
କି କହିବି ମୁହିଁ ମନବଳୁ ନାହିଁ
ପଡିଛି ଆଜି ଦୁର୍ଦ୍ଦଶା ।୩।
ସୁଖ ଆଜି ଆମ୍ଭ ଛଡାଇ ନେଇଛି
ଅବେଳରେ ମହାମାରୀ
ବିରସ ମନରେ ଘରେ ଆମ୍ଭେ ବନ୍ଦୀ
ଦାଣ୍ଡରେ ଦେଖି ଭଗାରୀ ।୪।
ସ୍ଵାଧୀନେ ପାଳନ କରିପାରୁ ନାହୁଁ
ଅଗଷ୍ଟ ପନ୍ଦର ଆଜି
ପୂଜା ପାର୍ବଣ ତ ଆଗକୁ ଆସୁଛି
ଶୁଭୁ ନାହିଁ ଡାକବାଜି ।୫।
ମନେପଡେ ଆଜି ବାପୁଙ୍କର କଥା
ଆସିଲେ ଆଜିର ଦିନ
ଏଡେ ଅମାନିଆ ହେଲୁ କାହିଁ ପାଇଁ
କରିଲୁ ଆମ୍ଭଙ୍କୁ ଭିନ୍ନ ।୬।
କୁହ ମହାପ୍ରଭୁ କି ଦୋଷ ତୁମ୍ଭର
କରିଲା ଏ ଦେଶବାସୀ
ଅଗଷ୍ଟ ପନ୍ଦର ସ୍ବାଦ ଚାଖିବାକୁ
ଛଡାଇ ନେଲୁ ତୁ ଖୁସି ।୭।
ପୂର୍ବ ପୁରୁଷଙ୍କୁ ମନେଥିବୁ ରଖି
ଜନ୍ମଠାରୁ ମୃତ୍ୟୁ ଯାଏ
ରଖିବେନି ମନେ ଆଜି କେହି ତୋତେ
ସଭିଏଁ ଯେ ଦୁଃଖ ପାଏ ।୮।
କହ ଚକାଡୋଳା କି ଲାଭ ପାଇଲୁ
ଛଡାଇ ନେଇ ଖୁସିକୁ
କେଡେ ହରସରେ ପାଳିଥାନ୍ତୁ ଆମ୍ଭେ
ଆଜିର ଏହି ଦିନକୁ ।୯।
ଆଜି ଗଲେ କାଲି ନଥିବ ଜୀବନ
ପାରିବ କିଏ ତା କହି
ଦିନପରେ ରାତି ଆସେ ଆମ୍ଭ ପାଇଁ
ଲେଖିଅଛି ଯାହା ବିହି ।୧୦।
ଜନମ ଦେଇଣ ମହାପୂଣ୍ଯ କଲୁ
ମାରିଲୁ ନାହିଁ ହାତରେ
ମହାମାରୀ ଡlକି ଭାତରେ ମାରିଲୁ
ଦୟାନାହିଁ ତୋ ମନରେ ।୧୧।
କରୁଛି ପ୍ରାର୍ଥନା ଜାଣୁ ଏ ଜଗତ
ଆଗକୁ ଅଛି ପାର୍ବଣ
କରିବୁନି ଅବ ହେଳା ଏ ଦେଶକୁ
କରୁଛି ତୋତେ ଜଣାଣ ।୧୨।
ଆର ବରଷକୁ ଅଗଷ୍ଟ ପନ୍ଦର
ଭରିଣ ଦେବୁ ଆଖିରେ
ଜୀବନ ନେବୁନି ମାଡୁଆ ଠାକୁର
ରହିଛୁ ଯେବେ ପୁରୀରେ ।୧୩।
ଦୁଃଖ ଦେଇଗଲୁ ଦରଦୀ ବନ୍ଧୁରେ
ମନଉଣା ହେଲା ମୋର
ତୋ ପରି ଠାକୁର ପୁରୀ ଧାମେ ଥାଇ
ନଷ୍ଟ ଅଗଷ୍ଟ ପନ୍ଦର ।୧୪।