ଅଗଷ୍ଟ ପନ୍ଦର : କାଲି ଆଉ ଆଜି
ଅଗଷ୍ଟ ପନ୍ଦର : କାଲି ଆଉ ଆଜି
ଅଗଷ୍ଟ ପନ୍ଦର ଶୁଣିବା ମାତ୍ରକେ
ଛାତି ବିଦୀର୍ଣ୍ଣ ହୋଇଯାଏ
ଅସଂଖ୍ୟ ଅଗଣିତ ବଳିଦାନର
ଐତିହ୍ୟ ଗୌରବମୟ ଗାଥାରେ
ଚକ୍ଷୁ ଲୋତକ ପୂର୍ଣ୍ଣ ହୋଇଯାଏ
ବାଲ୍ୟକାଳର ସୁମଧୁର ସ୍ମୃତିରାଜିରେ
ମନ ଭାରାକ୍ରାନ୍ତ ହୋଇଯାଏ।
କେବେ ଏମିତି ଏକ ଦିନ ଥିଲା
ଅଗଷ୍ଟ ପନ୍ଦର ଆସିବାର ବହୁ ପୂର୍ବରୁ
ଚାଲୁଥିଲା ଆୟୋଜନ ବର୍ଣ୍ଣାଢ୍ଯ ଉତ୍ସବର
ସଭାସମିତିର ଶୋଭାଯାତ୍ରାର
ସ୍ବାଗତ କରିବା ପାଇଁ ଅଗଷ୍ଟ ପନ୍ଦରକୁ।
ପୁରୁବ ଆକାଶରେ ସିନ୍ଦୁରା ଫାଟିବା ଆଗରୁ
ସଭିଏଁ ଉଠି ଫୁଲ ତୋଳି ମାଳା ଗୁନ୍ଥୁଥିଲେ
ଧଡପଡରେ ସଜବାଜ ହୋଇ ହାତରେ
ସ୍ବ ଅଙ୍କିତ ତ୍ରିରଙ୍ଗାଟି ଧରି ବୀରଦର୍ପରେ
ହେଉଥିଲେ ଅଗ୍ରସର ବିଦ୍ୟାଳୟ ଅଭିମୁଖେ
ପାଳନ କରିବାକୁ ସ୍ବାଧୀନତା ଦିବସ।
ଜାତୀୟ ପତାକା ଉତ୍ତୋଳନ ପରେ ପରେ
ସାମୁହିକ ଜାତୀୟ ସଙ୍ଗୀତ ଗାୟନ
ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା
"ଭାରତ ମାତାକୀ ଜୟ" "ବନ୍ଦେ ମାତରମ୍"
ଧ୍ବନିରେ ପ୍ରକମ୍ପିତ ହେଉଥିଲା ଗଗନପବନ
ମନରେ ଖେଳିଯାଉଥିଲା ଆଲୋଡ଼ନ
ଦେହର ରକ୍ତ କଣିକା ସବୁ ଟକ୍ ମକ୍
ହୋଇ ଫୁଟୁଥିଲା ଆଖିରୁ ଅଗ୍ନି ବର୍ଷୁଥିଲା
ଦେଶପ୍ରେମ ବହ୍ନିର ପ୍ରଜ୍ବଳନରେ।
ହସି ହସି ଦେଶମାତୃକା ପାଇଁ ଜୀବନ
ଦେଇ ଦେବାକୁ ପଣ କରୁଥିଲା ମନ
କାହିଁ ଗଲା ସେଦିନ ସେଇ ପିଲାଦିନ?
ଆଜି ସମୟ ସୁଅରେ ଯୌବନର
ସୋପାନରେ ହୋଇ ଅବତୀର୍ଣ୍ଣ
ମନ ମୋର ଭୁଲିଯାଏ ଆସ୍ତେ ଆସ୍ତେ
ଅଗଷ୍ଟ ପନ୍ଦରର ମହାତ୍ମ୍ୟ
ଯାହା ଲାଗି ଅସଂଖ୍ୟ ଅଗଣିତ ବଳିଦାନ।
ଜୀବନର ଦୋଛକିରେ ହୋଇ ଦଣ୍ଡାୟମାନ
ମୁହିଁ କଳନା କରୁଛି ନୀରବ ନିଶ୍ଚଳେ
ସେଦିନ ଆଉ ଆଜିର ବ୍ୟବଧାନ
ଆଜି କ୍ଯାଲେଣ୍ଡରରେ ଖୋଜାପଡ଼େ
କେବେ ଆସିବ ଅଗଷ୍ଟ ପନ୍ଦର
ଗୋଟିଏ ଦିନ ସରକାରୀ ଛୁଟି ପାଇବାର
ଆନନ୍ଦରେ ଉତଫୁଲ୍ଲିତ ହୁଏ ତନୁମନ
ଅଗଷ୍ଟ ପନ୍ଦର ଆଜି ସ୍ମୃତି ହୋଇଯାଉଛି
ସରକାରୀ ଦପ୍ତରର ପୁରୁଣା ନଥିପତ୍ର
ସମ ଦିନୁ ଦିନ ଉତ୍ସାହ ବିହୁନେ।
କଣ ପାଇଁ ଏ ନୈତିକ ସ୍ଖଳନ?
ଜାତୀୟ ଚରିତ୍ର ଆଜି ମଳିନ ଅବସନ୍ନ
ସେଦିନର ଅଗଷ୍ଟ ପନ୍ଦରର ସ୍ଥାନ ନେଇଛି
ଆଜି ଭାଲେଣ୍ଟାଇନ୍ସ ଦିବସ ପାଳନ
କଣ ପାଇଁ ଆଜି ଏ ପରିବର୍ତ୍ତନ?
କଣ ଏହା ସମୟର ଆହ୍ବାନ
ନା ମାନବୀୟ ମୁଲ୍ୟବୋଧର ବିବର୍ତ୍ତନ?
