STORYMIRROR

Kabiratna Nutan Kumar Behera

Abstract Classics

4  

Kabiratna Nutan Kumar Behera

Abstract Classics

ଅଗ୍ରପୂଜ୍ୟ ଶ୍ରୀଗଣେଶ

ଅଗ୍ରପୂଜ୍ୟ ଶ୍ରୀଗଣେଶ

1 min
197

    

ଜ୍ଞାନ ବୁଦ୍ଧି ସିଦ୍ଧିଦାତା ଆରାଧ୍ୟ ଦେବ

ଯିଏ ମାତା ପାର୍ବତୀ ଶୈଳ ସୁତା ଦେବୀଙ୍କ 

ସ୍ନାନ କାଳେ ହଳଦୀ ଚନ୍ଦନ ବିଲୋପନର

ମଳକୁଟିରୁ ନେଇ ଏକ ପିତୁଳାର ରୂପରେଖ 

ପାଇଥିଲେ ଦିବ୍ୟ ଚେତନାରେ ଜୀବନ୍ୟାସ

ସେ ଅଗ୍ରପୂଜ୍ୟ ଶ୍ରୀଗଣେଶ

ରୁଦ୍ଧଦ୍ଵାରେ ରଖି ତାଙ୍କୁ ଦ୍ଵାରପାଳ

ଧ୍ୟାନେ ନିମଗ୍ନା ଥିଲେ ଦେବୀ ଗିରି ଗୁମ୍ପା ମଧ୍ୟେ

ଦର୍ଶନାଭିଳାଷୀ ଦେବ ଦେବ କୈଳାସ ପତି

ମହାଦେବ ଶିବ ଶମ୍ଭୁ ସଂହାରକାରୀଙ୍କୁ 

କରିବାରୁ ସଶସ୍ତ୍ରେ ଦୃଢ଼ ଭାବେ ପ୍ରତିରୋଧ

କୋପେ ତ୍ରିଶୂଳ ଆଘାତେ ରୁଦ୍ର ଶଙ୍କର 

ଅଜ୍ଞାତେ କଲେ ଯାହାଙ୍କୁ ନିହତ ହୋଇ ବିବଶ 

ସେ ଅଗ୍ରପୂଜ୍ୟ ଶ୍ରୀଗଣେଶ

ଦେଖି ପିତାପୁତ୍ରଙ୍କ ଯୁଦ୍ଧର କରୁଣ ପରିଣତି

ମାତାଶ୍ରୀ ଶୋକରେ କଲେ ଅଶ୍ରୁ ବିସର୍ଜନ

ଜାଣି ସତ୍ୟାସତ୍ୟ ମର୍ମାହତ ହେଲେ ଭୋଳାନାଥ

ବଞ୍ଚାଇବାକୁ ପୁନର୍ବାର ଖୋଜିଲେ ଶିର

ନ ପାଇବାରୁ କାଟି ଆଣି ଗଜ ଶିଶୁର ଶିର

ସଂଯୋଗ କରି ଦେଲେ ଜୀବନ ଦାନ

ଯାହାଙ୍କଠାରୁ ଦିବ୍ୟଜ୍ଞାନର ହୁଏ ପ୍ରକାଶ 

ସେ ଅଗ୍ରପୂଜ୍ୟ ଶ୍ରୀଗଣେଶ

ଏ ଅନର୍ଥର ପ୍ରତିକାର ସୁଚିନ୍ତି ଦେବଗଣ

ଦେବଙ୍କ ମଧ୍ୟରେ କରିବାକୁ ଅନନ୍ୟ ସ୍ଵତନ୍ତ୍ର

ସର୍ବେ କଲେ ଆଶୀର୍ବାଦ ପ୍ରଦାନ 

ଦେଲେ ତାଙ୍କୁ ଅସରନ୍ତି ଅନନ୍ତ ଜ୍ଞାନଶକ୍ତି 

କୃଷ୍ଣ ଦୈପ୍ୟାୟନ ଶ୍ରୀ ବ୍ୟାସଦେବ ମହର୍ଷିଙ୍କ 

ଶ୍ରୀମୁଖରୁ ବାଣୀ ଶୁଣି ଲିପିବଦ୍ଧ କଲେ 

ଜ୍ଞାନସାର ଅଦ୍ୱିତୀୟ କାବ୍ୟ ମହାଭାରତ

ଲଭିଲେ ବ୍ରହ୍ମାଣ୍ଡେ ଯିଏ ଅଶେଷ ଯଶ 

ସେ ଅଗ୍ରପୂଜ୍ୟ ଶ୍ରୀଗଣେଶ

ଜ୍ଞାନର ସାଗର ବିଶାଳ ଆକାଶ ପରି ଶାନ୍ତ ନମ୍ର

ପ୍ରଭୁ ବିଘ୍ନନାଶକ ବିଘ୍ନେଶ୍ୱର ଗଣନାଥ 

ଅଣୁ ପରିମାଣର ତାଙ୍କର ଶୁଭାଶିଷ ଦାନ 

ମୁର୍ଖକୁ କରାଏ ମହାପଣ୍ତିତ ବିଶେଷ 

ନିର୍ବାକ୍ ମୁକକୁ କରାଏ ପ୍ରଗଳ୍ଭ ବାଗ୍ମୀ ବକ୍ତା

ଜ୍ଞାନାନ୍ଧକୁ ଦିଏ ସୂର୍ଯ୍ୟଙ୍କ ସମ ଜ୍ଞାନର ଜ୍ୟୋତି

ଯାହାଙ୍କ କରୁଣା ଲାଗି ସଭିଏଁ କରନ୍ତି

ଧ୍ୟାନ ଧାରଣାରେ ପୂଜା ଅର୍ଚ୍ଚନା ବ୍ରତ ଉପବାସ

ତାଙ୍କୁ କୋଟି କୋଟି ପ୍ରଣାମ କରେ ବିଶ୍ଵ 

ସେ ଅଗ୍ରପୂଜ୍ୟ ଶ୍ରୀଗଣେଶ।

    


Rate this content
Log in

Similar oriya poem from Abstract