ଅଗଣା
ଅଗଣା
ଘରକୁ ସୁନ୍ଦର ଦିଶଇ ଅଗଣା
ଅଗଣାରେ ଥିଲେ ଦୋଳି
ଦୋଳିଟି ସୁନ୍ଦର ଦିଶୁଥାଏ ସିନା
ଝିଅ ଥାଏ ଯେବେ ଝୁଲି ।
ଅଗଣା ଆଗରେ ବାଡଟି ସୁନ୍ଦର
ଲାଗି ଥିଲେ ଫୁଲ ଗଛ
ଜହ୍ନି ଫୁଲ ଫୁଟେ ମୟୂରଟି ନାଚେ
ମେଲେଇ ତାହାର ପୁଚ୍ଛ ।
ଅଗଣା ବାଡରେ ଅପରାଜିତାଟି
କି ସୁନ୍ଦର ମାଡିଥାଏ
ଫୁଲ ଯେବେ ଫୁଟେ ଆଖି ଲାଖି ଯାଏ
ମନ ମୋହି ନିଏ ସିଏ ।
ଗୋମୟରେ ଅଗଣାଟି ଲିପା ଥିଲେ
କେଡେ ସୁନ୍ଦର ସେ ଦିଶେ
ଅଗଣାରେ ପୂଜା ଯେବେ ଚାଲିଥାଏ
ମହ ମହ ହେଇ ବାସେ ।
ଅଗଣେ ରଙ୍ଗୋଲୀ ଝୋଟି ପଡେ ଯେବେ
ଆଖି ଟାଣି ନିଏ ସିଏ
ପଲକ ପଡେନି ଚାହିଁ ରହି ଥାଏ
ମନେ ଖୁସି ଖେଳି ଯାଏ ।
ଏଇ ଅଗଣାରେ ପିଲା ଖେଳୁ ଥାନ୍ତି
ଝିଅ କେତେ ଖେଳୁ ଥାଏ
ଏଇ ଅଗଣାରୁ ସବାରୀ ଉଠଇ
ଶାଶୁଘର ଝିଅ ଯାଏ ।
ଏଇ ଅଗଣାରୁ ଉଠଇ କୋକେଇ
ଶେଷ ଯାତ୍ରା ସିଏ ହୁଏ
ମଶାଣୀ ଭୂଇଁର ମୁଠାଏ ପାଉଁଶେ
ତାର ଖେଳ ସରି ଯାଏ ।
ଏଇ ଅଗଣାରେ ଆରମ୍ଭ ଜୀବନ
ଶେଷ ସମୟ ବି ଇଏ
କେତେ ସ୍ମୃତି ଅନୁଭୂତି ଭରି ଥାଏ
ଭୁଲି ବା ପାରିବ କିଏ ?