ଅଧୁରା ସ୍ବପ୍ନ
ଅଧୁରା ସ୍ବପ୍ନ
କଥା ଥିଲା
ହଜିଗଲେ ଖୋଜିନେବୁ
ରୁଷିଗଲେ ମନେଇବୁ
ଉଡି ଯଦି ଯାଏ କେବେ
ଯିବାକୁ ତୁ ଦେବୁ ନାହିଁ
ହେଉ ପଛେ ତୋର ମୋର
ଅଲଗା ଦୁନିଆ
ଆ ବସା ମନରେ ବାନ୍ଧିବା
କଥା ଥିଲା ଏକାଠି ଜୀଇଁବା ।
ତୋ ଦେହର ଛାଇ ହୋଇ
ଚାଲୁଥିବି ମୁଁ
ମୋ ଓଠ ର ହସ ହୋଇ
ଫୁଟୁଥିବୁ ତୁ
ଛାତି ଯଦି ଭାରୀ ଲାଗେ
ଶୁଣ୍ ଦୁହେଁ ସାଂଗରେ ଝରିବା
କଥା ଥିଲା ଏକାଠି ଜୀଇଁବା ।
ତୋ ଘରେ ବାଢିଦେବୁ
ମୋ ଘରେ ଖାଇନେବି
ଶେଯ ସେଠି ପାରିଦେବୁ
ଏଠି କଡ ମୋଡୁଥିବି
ରାତି ର
ଅନୁଢା ପ୍ରୀତି
ହଁ , ଦୁହେଁ ସାଂଗରେ ପଢିବା
କଥା ଥିଲା ଏକାଠି ଜୀଇଁବା ।
ଝରକା ଫାଙ୍କ ରୁ ଦେଖି
ତୋଫା ଜହ୍ନ ନିରିମାଖି
ତୁ ଚୁପି ଚୁପି ଗପୁଥିବୁ
ମୁଁ ପାପୁଲି ରେ ଚାନ୍ଦ ତୋଳି
ତୋ ନିଶ୍ବାସ ଗଣୁଥିବି
କାକରର ଟପ ଟପ
ଝରା ପତର ର ଗୀତ
ଚାଲ୍ , ଦୁହେଁ ସାଂଗରେ ଶୁଣିବା
କଥା ଥିଲା ଏକାଠି ଜୀଇଁବା ।
ହେଇପାରେ ତୋ କଥା
ମୋତେ ଶୁଭିବନି
ମୋ ମାନ ଅଭିମାନ
ତୋତେ ଛୁଇଁବନି
ସପନର ଅଗଣାରେ
ସ୍ମୃତି ର ସେ ନଦୀ ତୀରେ
ଦେଖ୍ ! ଦୁହେଁ ଦୁହିଁଙ୍କୁ ଭେଟିବା
କଥା ଥିଲା ଏକାଠି ଜୀଇଁବା ।