ଅଧୁରା ସ୍ୱପ୍ନ
ଅଧୁରା ସ୍ୱପ୍ନ
ତୁମେ ମୋର ସେହି ଅଧୁରା ସପନ
ପାରେନା ତୁମକୁ ଭୁଲି
ଶୟନେ ସପନେ ଅବା ଜାଗରଣେ
ହୃଦୟକୁ ଜାଳ ଖାଲି
ଶରତର ଏକ ସୁନେଲି ସନ୍ଧ୍ୟାରେ
ମନ ଅଗଣାରେ ଦିନେ
ପାଦ ଚାପି ଚାପି ପାଦ ଥାପି ଥିଲ
ଗୋପନରେ ଅଛି ମନେ
ଦିପଦ କଥାରେ କି କିମିଆ କଲ
ଜାଣି ମୁଁ ପାରିଲି ନାହିଁ
ଛୁଇଁ ଗଲ ତୁମେ କଥାରେ କଥାରେ
ହୃଦୟ ହାରିଲି ମୁହିଁ
ଯେଉଁ ହୃଦୟକୁ ସାଇତି ଥିଲି ମୁଁ
ସାତ ସିନ୍ଦୁକ ଭିତରେ
ଆଖି ପଲକରେ ଚୋରାଇଲ ତୁମେ
ହାରିଲି ତୁମ ପାଖରେ
ଫଗୁଣର ଫଗୁ ଦେଇ ଥିଲ ବୋଳି
ମନରେ ଦେହରେ ମୋର
କେଜାଣି କିଏ ସେ ଭସା ବାଦଲକୁ
ଦେଲା ଯେ ଏହି ଖବର
ଧୋଇ ଦେଲା ରଙ୍ଗ ଚୋରାଇଲା ସ୍ୱପ୍ନ
ବାଦଲ ସାଜି ଶ୍ରାବଣ
ମଧୁମାସରେ ବି ବହିଲା ଵୈଶାଖି
ଶୁଖି ଗଲା ତରୁ ପ୍ରାଣ
ସୁନେଲି ସପନ ଆଶା ମରିଚିକା
ସାଜିଛି ମୋ ପାଇଁ ଆଜି
ନବ ଉଦ୍ଦୀପନା ଦିଗ ଦିଗନ୍ତରୁ
ପାରୁନି ଆଉ ମୁଁ ଖୋଜି
କୁଢ଼ କୁଢ଼ ସ୍ମୃତି ବକ୍ଷରେ ମୋହର
ବାନ୍ଧି ରହି ଅଛି ବସା
ଦୁନିଆ ଆଖିରେ ଧୂଳି ଧୂସର ମୁଁ
କଳଙ୍କିତ ଲୋକହସା
ତୁମେ ପ୍ରିୟ ମୋର ଅଧୁରା ସପନ
ଯାଇଛ ଆଖିରେ ଲାଖି
ଦୁନିଆ ଟା ଆଜି ଅଚିହ୍ନା ଅଜଣା
କାହାକୁ ଖୋଜେନା ଆଖି
ସେ ସପନ ଆଜି ସ୍ମୃତିଟିଏ ସାଜି
ହସାଏ କନ୍ଦାଏ କେତେ
ହେଲେ ସେବେ ଠାରୁ ଲାଗେ ଭାରି ଡର
ସ୍ୱପ୍ନ ଦେଖିବାକୁ ମୋତେ

