ଅଧିନ ଜନତାର ଗୁହାରି
ଅଧିନ ଜନତାର ଗୁହାରି
ସ୍ୱାଧୀନ ଦେଶର ଅଧୀନଜନତା
ଜଣାଏ ମୁଁ ଆଜି ହାତଯୋଡି,
ତୁମପିଲା ସହ ମୋ ପିଲା ବସି
ପାରୁନି କାହିଁକି ପାଠପଢ଼ି |
ମୋ ପିଲା କିଆଁ ଜରି ଗୋଟାଉଛି
ଯାଇପାରୁନାହିଁ ପାଠ ପଢ଼ି,
ରୋଗହେଲେଟିକେ ଔଷଧ ପାଉନି
ମରୁଛି ରୋଗରେ ସଢ଼ିସଢ଼ି |
ମୋଝିଅ ଯାଇ ବାସନ ମାଜୁଛି
ଏ ସାଇ ସେସାଇବୁଲିବୁଲି,
କାମକରିବାକୁ ନ ଗଲେ ଦିନଟେ
ଜଳେନାହିଁ ମୋର ଘରେ ଚୁଲି |
ମୁଁ କିଆଁ ପିନ୍ଧି ସାତସିଁଆ ଲୁଗା
ବାସନ ମାଜୁଛି ତୁମଘରେ,
ତୁମେ କିଆଁ ବସି ଚଉକି ଉପରେ
ହୁକୁମ ଝାଡୁଛ ମୋ ଉପରେ |
ଗାଆଁରେ ଗାଆଁରେ ଭାଟି ଖୋଲିଦେଲ
ନିତି ମୋ ଲୋକ ମଦପିଏ,
ରୋଜଗାର ଯାହା କରିଥାଏ ତାକୁ
ସେହିଠାରେ ଛାଡି ଆସିଥାଏ |
ମୋଘରେ ଚୁଲି ଦିଦିନରେ ଜଳେ
ନିତି ଚାଲିଥାଏ ମାରପିଟା
ଭଲମନ୍ଦ ସେତ ବହୁଦୂରେ ମୋର
ଘରେନାହିଁ ଖଣ୍ଡେ ଲୁଗାପଟା |
ସରକାର ଖଣ୍ଡେ ଘର ଦେଇଥିଲେ
ଛାଡିଗଲାଣି ତା ପଲସ୍ତରା,
ବରଷେ ହୋଇନି ପାଣି ଗଳିଲାଣି
ଓଦାହୁଏ ମୋର ଘରସାରା |
ସରକାର ଆମ ଦେଇତନାହାନ୍ତି
ଶିଶୁ ଶ୍ରମିକକୁ ଅନୁମତି,
ପିଲାଯଦି ଆମ କାମ ନ କରିବେ
ଉପାସ ରହିବୁ ଆମେ ନିତି |
ଅଗଷ୍ଟପନ୍ଦରେ ସ୍କୁଲ୍ ଯାଇଥିଲି
ପଚାରିଲେ ସେଠି ମୋତେ ଦିଦି,
ସ୍ୱ।ଧୀନତା ମାନେ କ'ଣ ବୁଝୁଛ
କହିଲି ମୁଁ ପାଏ ସେଉବୁନ୍ଦି |
ମୋରକଥା ଶୁଣି ହସିଲେ ସମସ୍ତେ
ମନେ ମୋ ଆସିଲା ଭାରିଭୟ,
ବହୁ ଭାବିଭାବି କହିଲି ନେତାଙ୍କ
ଭାଷଣକୁ କରୁ ଜୟଜୟ |
ତଥାପି ହସିଲେ ଭାବୁଛି ମୁଁ ଏବେ
ବୁଝିପାରିନାହିଁ ମୁଁହି ଯାହା,
ଅଧୀନ ଜନତା ହାତଯୋଡି କହେ
ବୁଝାଇଦେବ କେ ମୋତେ ତାହା |
