ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହ
ଅଭିମାନ ମୋର
ଅନୁରାଗ ବୋଲି
ଅନୁଭବ କଲ ନାହିଁ ,
ଅନୁତାପ କରେ
ଅଭିନୟେ ତୁମ
ଅନୁଚିନ୍ତା କାହା ପାଇଁ ?
ଅଭିଳାଷ ଥିଲା
ଅନୁଗାମୀ ହେବି
ଅନୁଦାସୀଟିଏ ହେଇ ,
ଅନାଦର କଲ
ଅନାବିଳ ପ୍ରେମ
ଅଭିଯୋଗ କଲି ନାହିଁ ।
ଅର୍ଦ୍ଧାଙ୍ଗିନୀ ବୋଲି
ଅଙ୍ଗୀକାର ନାହିଁ
ଅଙ୍ଗରକ୍ଷୀ ହେଇ ରହିଥାନ୍ତି ,
ଅଭିପ୍ରାୟ ଥିଲା
ଅବିରତ ତୁମ
ଅଙ୍ଗ ସେବା କରି ବଂଚିଥାନ୍ତି ।
ଅଣଦେଖା କଲ
ଅନେଇଲ ନାହିଁ
ଅନ୍ୟ ହାତ ଧରି ଚାଲି ଗଲ ,
ଅନୂଢ଼ା ମୁଁ ଥିଲିି
ଅଲୋଡ଼ା ବି ହେଲି
ଅଲାଜୁକୀ କରି ଛାଡ଼ି ଦେଲ ।
ଅଭୁଲା ଅତୀତ
ଅସରନ୍ତି କ୍ଷତ
ଅବ୍ୟକ୍ତ ବେଦନା ଆଣେ ,
ଅମାନିଆଁ ମନ
ଅଫେରା ଫଗୁଣ
ଅବେଳରେ ଲୁହ କିଣେ ।
ଅନୁକମ୍ପା ତୁମ
ଅନୁମତି ଲୋଡ଼େ
ଅଦିନ ବରଷା ପରି ,
ଅଥଳ ସାଗରେ
ଅଧା ବୁଡ଼ି ମରେ
ଅନ୍ଧ ମୁଁ ଭରସା କରି ।
ଅଣାୟତ ହେଲା
ଅବାଞ୍ଛିତ ପ୍ରେମ
ଅଜାଣତେ ଦେଲି ମନ ,
ଅକାରଣେ ଏବେ
ଅଣ୍ଟିରେ ବାନ୍ଧିଲି
ଅପବାଦ ଅପମାନ ।
ଅଶିଣର ଜହ୍ନ
ଅବୟ ପଦରେ
ଅସୁମାରି ପ୍ରଶ୍ନ କରେ ,
ଅନାବୃତା ହେଲି
ଅପହୃତା ହେଲି
ଅଚିହ୍ନା ସପନ ଡରେ ।
ଅଧରର ହସ
ଅଳତାରେ ବୋଳି
ଅଭିସାରିକା ମୁଁ ମିଛେ ,
ଅଲକ୍ଷଣୀ ବୋଲି
ଅକଥା କୁ ଶୁଣେ
ଅଭିଶପ୍ତା ହେଇ ବଂଚେ ।
ଅବଶୋଷ ଖାଲି
ଅନ୍ତର ମୋ' ନେଇ
ଅନ୍ତର ତ କରି ଦେଲ ,
ଅବଶେଷେ ପୁଣି
ଅବିଶ୍ବାସ ଜୁଇ
ଅଦୃଶ୍ୟରେ ଜାଳି ଦେଲ ।
ଅଲଣା ତିଅଣ
ଅଣସୁଆଦିଆ
ଅରୁଚି କରଇ ପାଟିକି ,
ଅପ୍ରେମ ଜୀବନ
ଅମଡ଼ା ବାଟରେ
ଅକାଳରେ ଯାଏ ମାଟିକି ।
ଅଣନିଶ୍ବାସୀ ମୁଁ
ଅଭାବ ପ୍ରୀତିରେ
ଅସଜଡ଼ା ପ୍ରେମ ନଉକା ,
ଅଣଲେଉଟା ତ
ଅତିକ୍ରାନ୍ତ ଆୟୁ
ଅସ୍ତଗାମୀ ସୂର୍ଯ୍ୟ ପରିକା ।
ଅବନା ଅକ୍ଷରେ
ଅତି ଶରଧାରେ
ଅନତିଦୂର ରୁ ଡାକି ଦିଅ ,
ଅଳସ ଆଖିରେ
ଅଣେଇ କଣେଇ
ଅନିଶା କରେ ମୁଁ ତୁମ ମୁହଁ ।
ଅଳଙ୍କାର ଦେଇ
ଅଳଙ୍କୃତ କଲ
ଅଳକାପୁରୀକୁ ନେବ ବୋଲି,
ଅସତ୍ୟ ଭାବନା
ଅସହ୍ୟ ଯନ୍ତ୍ରଣା
ଅନାମିକା ହେଇ ରହି ଗଲି ।
ଅଯଥାରେ ସିନା
ଅଳୀକ ଜୀବନେ
ଅନିଚ୍ଛାରେ ତୁମେ ପଶି ଗଲ,
ଅବୋଧଟେ ପରି
ଅବାଧ୍ୟ ହେଲିନି
ଅଳି ପରି ପୁଣି ଦଂଶି ଦେଲ ।
ଅନସୂୟା ଥିଲି
ଅସତୀ ମୁଁ ହେଲି
ଅଇଁଠାରେ ହେଲି ଗଣା ,
ଅଟକି ଯାଉଚି
ଅବାଟେ ଯିବାକୁ
ଅଶରୀର ହେବି ଜଣା ।
ଅପସରା ଥିଲି
ଅପସରି ଗଲି
ଅପହଞ୍ଚ ଅଂଚଳକୁ,
ଅପେକ୍ଷା କରିବି
ଅନନ୍ତ ବରଷ
ଅନିର୍ଦ୍ଦିଷ୍ଟ ସକାଳକୁ ।
ଅଳ୍ପରେ ସରିଲା
ଅକାହାଣୀ ବୋଲି
ଅମର ପ୍ରେମ ଆମରି ,
ଅଧୁରା ରହିଲା
ଅନେକ ସପନ
ଅସରାଏ ମେଘ ପରି ।