ଅଭିନୟ
ଅଭିନୟ


ମିଛ ରଙ୍ଗମଞ୍ଚେ କଳାକାରମାନେ
ନାନା ଭୂମିକା ନିଭାନ୍ତି,
ଦର୍ଶକ ପ୍ରାଣରେ ହରଷ ବିଷାଦ
ଅଭିନୟରେ ଭରନ୍ତି,
ବିହ୍ୱଳିତ କରି ପ୍ରାଣ,
କ୍ଷଣିକ ଆନନ୍ଦ, ଦୁଃଖ ମିଶ୍ରିତରେ
ଅଥୟ ହୁଅଇ ମନ ।
ସତ ରଙ୍ଗମଞ୍ଚେ ପ୍ରତ୍ୟେକ ମଣିଷ
ଜଣେ ଜଣେ ଅଭିନେତା,
ନିଜ ଭୂମିକାରେ ଅବତୀର୍ଣ୍ଣେ ସର୍ବେ
କରନ୍ତି ସଫଳ ଚିନ୍ତା,
ବାଛିଣ ନିଜସ୍ୱ ପନ୍ଥା,
ଯଥାଯୋଗ୍ୟ କର୍ମ ନିଭାଉଥାଆନ୍ତି
ନିଜକୁ ଭାବି ବିଜେତା ।
ଏ ରଙ୍ଗମଞ୍ଚରେ ଯେଉଁ ଭୂମିକାରେ
ଯିଏ ହୁଅ ଅବତୀର୍ଣ୍ଣ,
ମିଛ ରଙ୍ଗମଞ୍ଚ ଅନୁକରଣରେ
ଜୀବନକୁ କର ଧନ୍ୟ,
ମନ୍ଦ ବୁଦ୍ଧି ହଟାଇଣ,
ପରସ୍ପରେ ସ୍ନେହ, ପ୍ରୀତି, ମୈତ୍ରୀ ବାଣ୍ଟି
ବଢାଅ ନିଜ ସମ୍ମାନ ।
ଅଭିନୟ ତୁମ ସାର୍ଥକ ହୋଇବ
ସୁଗୁଣକୁ ଆଚରିଲେ,
ମନରୁ କଳୁଷ କାଳିମା ଦୂରେଇ
ହୃଦୁ ହୃଦ ଛନ୍ଦି ଦେଲେ,
ଫିଟିଯିବ ଭବ ବନ୍ଧ,
ଜନମ ସାର୍ଥକ ଭବ ରଙ୍ଗମଞ୍ଚେ
ନଥିବ କିଛି ପ୍ରମାଦ ।