ଅଭିମାନ
ଅଭିମାନ
କଥାରେ କଥାରେ ସଜାଇ ପାରୁଛୁ
କେତେ ଯେ ଗଜରା ମାଳ
ମନ ତଳେ ତୋର ସାଇତି ରଖିଛୁ
କିଆଁ ଏତେ ହଳାହଳ I
ତୋ ପାଇଁ ସିନା ଲୋ ଆପଣାପଣରେ
ହୃଦୟେ ମୋ ଭରା ପ୍ରୀତି
କେମିତି ପାରୁଛୁ ଗାଇ ଲୋ ସଜନୀ
ମହା ମରଣର ଗୀତି I
ତୋପାଇଁ ଲୋ କେତେ ବିନିଦ୍ରରଜନୀ
କାଟିଛି ମୋର ଏ ଆଖି
ଭଲ ପାଇବାର ପ୍ରତିଦାନେ କିଆଁ
ଲୁହ ଦେଉଛୁ ତୁ ସଖୀ I
ହୃଦୟ ତଳର ଭାଷା ଯଦି ଥରେ
ପାରିଥାନ୍ତୁ କେବେ ପଢି
ପ୍ରେମର ଜଳରେ ଉବୁଟୁବୁ ହୋଇ
ଢାଳିଥାନ୍ତୁ ପ୍ରୀତି ବାରି I
ଦେଖିଥାନ୍ତୁ ଯଦି ଆଖିରେ ମୋହର
ବସନ୍ତର ମହାମେଳା
ତାହେଲେ ସିନା ତୁ ରଖି ପାରିଥାନ୍ତୁ
ହୃଦୟ ଦରଜା ଖୋଲା I
ମାନ ଅଭିମାନ ସ୍ୱାଭିମାନ ସଖୀ
ନଥାଏ ପ୍ରେମରେ କିଛି
ଡେରି ହେବା ଆଗୁ ମନର କାଳିମା
ନିଜ ହାତେ ଦେ' ପୋଛି I