STORYMIRROR

Krushna Chandra Lenka

Abstract Drama Inspirational

4  

Krushna Chandra Lenka

Abstract Drama Inspirational

ଅବହେଳିତ ବାପା ମାଆ

ଅବହେଳିତ ବାପା ମାଆ

2 mins
316

ଯେଦେଶେ ଶ୍ରବଣ କୁମାର ଥିଲା ଉତ୍ତମ ସୁତ,

ସେଇ ଦେଶ ସନ୍ତାନ କଥା ଭାଳି ଲାଗେ ଚକିତ।


ପିତୃସତ୍ୟ ପାଳି ଯେଦେଶେ ଛାଡିଣ ସିଂହାସନ,

ବନବାସ ଗଲେ ଶ୍ରୀରାମ ରଖି ଜନକ ମାନ।


ସେଇ ଦେଶ ପାଣି ପବନେ ଆଜ ହୋଇ ତୁ ଗଢ଼ା,

କେମନ୍ତ ହୋଇଲୁ ମଣିଷ ଏତେ ଧରମ ଛଡା ।


କିମ୍ପାଇଁ ଭୁଲିଲୁ ଜୀବନେ ତୋର ପୁତ୍ର ଧରମ,

ବୁଝି ନାହୁଁ ତିଳେ ତୁ କାହିଁ ସତେ ତାର ମରମ ।


ନିଜେ ନଖାଇ ଯେ ପେଟକୁ ତତେ ଦେଲା ଆହାର,

କ୍ଷୁଧା ମେଣ୍ଟିବାରେ ବୁଲଇ ସେତ ବାର ଦୁଆର।


ହାତ ଧରି ଦିନେ ତୋହର ଶିଖାଇଲା ଯେ' ଚାଲି,

ବୃଦ୍ଧ କାଳେ ତା ହାତ ଛାଡି ସବୁ ଯାଉଚୁ ଭୁଲି।


କେତେ କ୍ଳେଶ ବେଦନା ସହି ମାତା ଦେଲା ଜନମ,

ତୁଚ୍ଛ କରି ନିଜ ପରାଣ ପିତା କଲା କରମ।


ନିଜ ସୁଖ ଭୁଲି ଜୀବନେ ସୁଖ ଦେଲା ଯେ' ତତେ,

ତାର ଆଶା ଆଉ ଭରସା କାହିଁ ଭାଙ୍ଗିଲୁ ସତେ ।


ଦେଇ ଦେଇ ତତେ ଜୀବନେ ଯାର ବିତିଚି ଦିନ,

ତାର ଆଶ୍ରୟ ପାଇବାରେ ହୁଏ ସାତ ସପନ।


ନୟନ ପିତୁଳା ତୁ ପରା ତାର ଅଟୁ କୁମର,

ତୀର୍ଥ ନାମେ ଛାଡି ବାହାରେ ଫେରି ଆସୁ ତୁ ଘର।


ତଥାପି ବିଶ୍ୱାସ ତାହାର ମନୁ ଯାଇନି ତିଳେ,

ଭାଳୁଚି ଫେରି ଆସି ପୁଅ ନେବ ଆଦରି କୋଳେ।


ଜୀବନର ଶେଷ ସୋପାନେ କିସ କରିବ ହାତେ,

ମରଣ ପାଇଁ ସେ ପ୍ରତୀକ୍ଷା କରି ଥାଆନ୍ତି ମର୍ତ୍ତ୍ୟେ।


ଏତେ ସରି ହୋଇ ଜୀବନେ ତୁଣ୍ଡ ସେ ଖୋଲେ ନାହିଁ,

ସନ୍ତାନ ମଙ୍ଗଳ ମନାସି ଚାଲେ ସେ ଶେଷେ ଯହିଁ ।


ପିତା ମାତା ସମ ଦେବତା କାହୁଁ ମିଳିବେ ସତେ,

କିମ୍ପାଇଁ ଚଳନ୍ତି ଠାକୁର ଅବହେଳିତ ଏତେ ।


ବିବେକ, ବିଚାର ସହିତେ ବୁଦ୍ଧି ଥାଇ ତୋହର,

କୃତଘ୍ନ କେମନ୍ତ ହୋଇଲୁ ତିଳେ କହ କୁମର।


ବର ଜୀବ ଭାଳି ଗଢିଚି ପରା ତତେ ଈଶ୍ୱର,

ଏତେ ହୀନ କାର୍ଯ୍ୟେ କେମନ୍ତ ଲିପ୍ତ ହୋଇଲୁ ନର।


ଭୁଲିଗଲୁ କି ଧନମଣି ଆଜ କରିଚୁ ଯାହା,

ସୁଧ ସହିତେ ମୂଳଧନ ହେବ ଅସୁଲ ତାହା।


ତୋର ପିତା ଜୀବନ ମଣି ତତେ ଗଢିଲା ଯହିଁ,

ତୋ ଜୀବନ କାଳେ ମରମ ତିଳେ ବୁଝିଲୁ ନାହିଁ।


ଯେମନ୍ତ ତୁ ଏବେ ଜୀବନ ମଣି ପାଳୁ ତୋ ସୁତ,

ସେଇ ପୁଅ ଶିଖି ତୋଠାରୁ ତତେ ମାରିବ ନାତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract