STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ଆଉ କିଛି ଲୋଡ଼ା ନାହିଁ

ଆଉ କିଛି ଲୋଡ଼ା ନାହିଁ

1 min
206

ଏଇ ଜୀବନର ରଣ କ୍ଷେତ୍ରେ ହୋଇ ପରାହତ

ଆଉ ଯୁଝିବାକୁ ନାହିଁ ମୋହର ଶକ୍ତି ଓ ସାମର୍ଥ୍ୟ 

ଭୀରୁପଣେ ନୁହେଁ ପ୍ରଶାନ୍ତିର ଅନନ୍ତ ଅନ୍ୱେଷଣେ 

ହୋଇଅଛି ଏବେ ମୁହିଁ କୁରୁକ୍ଷେତ୍ରରୁ ପରାଙମୁଖ।


ବୃଥା ତର୍କ ବିତର୍କ ବିବାଦ ତୁଛା ଅନୁଗ୍ରହ ଆନୁଗତ୍ୟ 

ସବୁଥିରୁ ଯେହୁଁ ହୋଇଛି ଅନାସକ୍ତ ଭାବରେ ନିବୃତ୍ତ 

ସେହୁ ଭୋଗୁଅଛି ନାନା ଯାତନା କଷଣ ଅକାରଣ

ସେଥିପାଇଁ କରି ନାହିଁ ମୋର ମନ ଉଣା କେଉଁ ଦିନ। 


ଆହେ ଭାବଗ୍ରାହୀ କୃପାସିନ୍ଧୁ ମହାପ୍ରଭୁ ଶ୍ରୀଜଗନ୍ନାଥ! 

ଦାତାପଣିଆରେ ପରା ତୁମ୍ଭ କୀର୍ତ୍ତି ଜଗତ ବିଦିତ 

ତୁମ୍ଭେ ଅଟ ଅଖିଳ ବ୍ରହ୍ମାଣ୍ଡ ସ୍ୱାମୀ ରାଜରାଜେଶ୍ଵର 

ମୁହିଁ ଅରକ୍ଷିତ ଦୀନଜନ ହୀନ ସୁଅ ମୁହଁର ପତର। 


ମୂଢମତି ନରାଧାମ ମୁଁ ଯେ ବିଧର୍ମୀ ପାପିଷ୍ଠ ପତିତ 

ନାହିଁ ମୋର ଜାତି ଧର୍ମ ନାହିଁ ପାପ ପୂଣ୍ୟର ପାର୍ଥକ୍ୟ 

ପ୍ରାଣ ରକ୍ଷା ଲାଗି ତୁମ୍ଭ ପାଦପଦ୍ମେ ମୁହିଁ ପଶିଛି ଶରଣ 

କରିବନି କେବେ ପ୍ରଭୁ ତୁମ୍ଭ ଠାରୁ ମୋତେ ଅପସାରଣ।


ଘୋର ବିଷୟା ମୋହରେ ହୋଇ ଅନ୍ଧ ମୁଁ ନଜାଣଇ ପଥ

କଢାଇ ନେବ ସନ୍ମାର୍ଗରେ ମହାପ୍ରଭୁ ଧରି ମୋର ହାତ

କହିବାକୁ ତୁମ୍ଭର ଭକତ ନାହିଁ ମୋର ତିଳେ ଟାଣପଣ 

ଏଇ ଅକିଞ୍ଚନେ କୃପା କରିଥାଅ ସଦା ବହି ତୁମ୍ଭ ବଡପଣ।


ତବ ଆଶୀଷ ବିନା ଏ ଜୀବନେ ଆଉ କିଛି ଲୋଡ଼ା ନାହିଁ

ଦୟା ବହି ବାରେ କୃପା କଟାକ୍ଷେ ଚାହିଁ ଦିଅ ଜଗତ ସାଇଁ

ସୁଅ ମୁହଁର ପତର ମୁହିଁ ଯେ ତୁମ୍ଭ ପାଦେ ଆଶ୍ରା କରଇ

ଜୀବ ଯିବା ବେଳେ ମୋତେ ନଦେବ ମହାପ୍ରଭୁ ଭଣ୍ଡେଇ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational