STORYMIRROR

Basant Kumar Mohapatra

Inspirational

3  

Basant Kumar Mohapatra

Inspirational

ଆତ୍ମହତ୍ୟା ନୁହେଁ ଆସ ଜିଇଁବା

ଆତ୍ମହତ୍ୟା ନୁହେଁ ଆସ ଜିଇଁବା

1 min
58


ଜୀବନ ଯାତରା ବିଭୁ ଉପହାର,

    ମାନବ ଜନମ ଧନ୍ୟ।

ସୁଖ ଆଉ ଦୁଃଖ ଖରା ଛାଇ ପରି,

   ଜାତକେ ହୁଅଇ ମାନ୍ୟ।


ଦୁଃଖେ ନଭାଙ୍ଗିବା କଷ୍ଟେ ନହାରିବା,

    ଜୀବନର ମୂଳ ମନ୍ତ୍ର।

ଧର୍ଯ୍ୟର ସହିତ ଧାର୍ଯ୍ୟ କରି ଆଗେ,

    ବଢ଼ୁଥିବ ସବୁ ତନ୍ତ୍ର।


ଆଗରେ ରହିବ ପ୍ରତିରୋଧ କାନ୍ଥ,

   ତାକୁ ଲଙ୍ଘିବାକୁ ହେବ।

ସଫଳ ବିଫଳ କର୍ମ ଭରା କ୍ଷେତ୍ର,

   କେବେ ଖୁସି ଦୁଃଖ ଦେବ।


ପାପ ଆଉ ପୁଣ୍ୟ ବର ସାଥେ ଶାପ,

   ଚାହେଁ ନଚାହିଁଲେ ମିଳେ।

ସଙ୍କଟ ଆକଟ  ଜୀବନର ପଥ,

  କେବେ ସିଧା ବଙ୍କା ଭାଳେ।


ଷଡ଼ଯନ୍ତ୍ର ଭରା ପ୍ରତି ପାଦ ପଥେ,

   ଦେଖି ବୁଝି ପାଦ ରଖେ।

ଅନ୍ୟାୟର ସ୍ୱାଦ  ନିୟମ ବିବାଦ,

  ବେଳେ ବେଳେ ରହି ଚାଖେ।


ଆଲୋକ ଅନ୍ଧାର ନିର୍ମଳ ଶ୍ୟାମଳ,

    ମନ ଲାଖି ପ୍ରାପ୍ତି ନାହିଁ।

ପାତର ଅନ୍ତର  ଉଠାଣି ଗଡାଣି,

   ପଥେ ପାଦ ଯାଏ ବହି।


ଆସକ୍ତ ବିରକ୍ତ ବିଭକ୍ତ କ୍ଷତାକ୍ତ,

    ମନ ତନ ବଡ଼ ସାନ।

ଗରବ ଗୌରବ ବୈଭବ ସମ୍ଭବ,

    ମାନ ଆଉ ଅଭିମାନ।


କଷଣ କପଟ ଲମ୍ପଟ କୁହାଟ,

    ଆହତ ହୃଦ ମସ୍ତକ।

ଉତ୍ସାହ ଆଦର ଅବା ନିରାଦର,

    ସାର୍ଥକ ବା ନିରର୍ଥକ।


ଉତ୍ତୀର୍ଣ୍ଣ ଚେତନା ଅବା ଅବନତି,

     ସୁଉଚ୍ଚ ବା ନିମ୍ନସ୍ତର।

ସୁଗତି ଦୁର୍ଗତି ଶୀଳ ଅନୁଶୀଳ,

   ସାଥୀ ସୁର ବା ଅସୁର।


ଋଣ ଆଲୋଡ଼ନ ଚାପ କ୍ରୀୟାମାନ,

    ଲାଭ କ୍ଷତି ବ୍ୟବସାୟ।

ଅସୀମ ସପନ ଅନନ୍ତ ଆକାଂକ୍ଷା,

     ଅସମୟ ବା ସମୟ।


ପ୍ରେମ ଘୃଣା ଦୟା ନିର୍ଦ୍ଦୟ ନିଷ୍ଠୁର,

    ବାସ୍ତବ ବା ଅବାସ୍ତବ।

ଗଢ଼ିବା ଭାଙ୍ଗିବା ହାରିବା ହରିବା,

    ସମ୍ଭବ ବା ଅସମ୍ଭବ।


ଏହି ସବୁ ଘଟେ ଅଳପ ବହୁତ,

   ସଭିଙ୍କ ଜୀବନ ମଧ୍ୟେ।

ତାହାରି ଭିତରେ ପ୍ରତି ପାବଚ୍ଛରେ,

   ଜିଇଁ କରି ସବୁ ସାଧେ।


ଆସୁ ଯେତେ ବଡ଼ ମନ୍ଦ ପରିସ୍ଥିତି,

   ନହାରିବା କେବେ ଆଶା।

ନିରାଶା ମଧ୍ୟରେ କିରଣ ଖୋଜିବା,

    ସେଇ ବଞ୍ଚିବାର ଭାଷା।


ଜୀବନ ମରଣ ପ୍ରତି ଅନୁକ୍ଷଣ,

   କରୁଛନ୍ତି ଭଗବାନ।

ଜନମ ପାଇଲେ ମୃତ୍ୟୁ ସୁନିଶ୍ଚିତ,

  ହେବ ହିଁ ତ ଏକ ଦିନ।


ନିଜକୁ ନିଜର ବଇରି ନକରି,

  ପ୍ରତୀକ୍ଷା ରେ ବିତୁ ଦିନ।

ମୃତ୍ୟୁର ଆନନ୍ଦ ସ୍ଵାଭାବିକ ଭାବେ,

    ଦେବେ ନିଶ୍ଚେ ଭଗବାନ।


କରିବା ପ୍ରତିଜ୍ଞା ପ୍ରତି ମୁହୂର୍ତ୍ତରେ,

   ଆତ୍ମହତ୍ୟା ନକରିବା।

ସବୁ ଅସୁବିଧା ସୁସ୍ଥ ମାନସରେ,

   ପ୍ରୟାସରେ ସୁଧାରିବା।


ପିତାମାତା ଗୁରୁ ବିଦ୍ୟା ଶିକ୍ଷା ଗୁରୁ,

    ଦିଅନ୍ତି ସଦା ଆଶିଷ।

ତାଙ୍କ ଚରଣରେ ରଖି ସଦା ଲୟ,

     ସ୍ଥିତିରୁ ମୁକୁଳି ଆସ।


ପତି ପତ୍ନୀ ସାଥେ ପିଲା ଛୁଆ ଘର,

    ହସ ଖୁସିର ସଂସାର।

ପରସ୍ପର ବୁଝି  ଚିନ୍ତନ ମନ୍ଥନ,

    ମିଳଇ ଖୁସି ଅପାର।


ମନ କଥା ବ୍ୟଥା ପ୍ରାଣ ସାଥୀ ପାଶେ,

     କରିବା ପରିପ୍ରକାଶ।

ଉତ୍ସାହ ବଢ଼ିବ  ସାହସ ମିଳିବ,

   ସମସ୍ୟା ହୋଇବ ଶେଷ।


ହେବା ସଚେତନ କରି ପ୍ରତିକାର,

   ଚେତେଇ ସାରା ଜଗତ।

ଆତ୍ମହତ୍ୟା ଠାରୁ ଦୂରେଇ ମାନସ,

    ଗଠନରେ ଆତଯାତ।


ମାନବ ଜନମ ଦୁର୍ଲ୍ଲଭ ଜୀବନ,

   ବଞ୍ଚି ଅନ୍ୟକୁ ବଂଚାଉ।

ସୁଗମ ସହଜ ଜୀବନରେ ଭରୁ,

    ପ୍ରଭୁ କୃପା ପାଉଥାଉ।



   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational