ସେବା ଓ ମମତାର ପ୍ରତିମା ନାରୀ
ସେବା ଓ ମମତାର ପ୍ରତିମା ନାରୀ


ଅରି ନୁହେଁ ସେ' ତ' ମହାନ ସର୍ଜନା,
ସ୍ୱର୍ଗୀୟ ଆତ୍ମୀୟ ସୁଧା।
ଶକ୍ତି ମୁକ୍ତି ଭକ୍ତି ସାଥେ ଅଭିବ୍ୟକ୍ତି,
ଆଦ୍ୟରୁ ସ୍ଵୟମ୍ ସିଦ୍ଧା।୧।
ପ୍ରକୃତିର ପ୍ରାକୃତିକ ମହିୟସୀ,
ସୃଷ୍ଟି ସିଏ ଜୀବଦାତ୍ରୀ।
ଗରିୟସୀ ଶକ୍ତିମୟୀ ସେ ଅଭୟା,
ପାଳିକା ସେବିକା ମୈତ୍ରୀ।୨।
ସର୍ବାଗ୍ରେ ସ୍ଥିତ ଅତ୍ର ତତ୍ର ସର୍ବତ୍ର,
କୋଣେ ଅନୁକୋଣେ ସ୍ଥିତ।
ଦଶ ଦିଶେ ମହିମା ତା'ର ବାଖ୍ୟାନ,
ସେବା ତ୍ୟାଗ ପରିବ୍ୟାପ୍ତ।୩।
ହୁଏ ନାମକରଣ ଅନେକ ନାମେ,
ସ୍ଥାନରେ କାଳରେ ପାତ୍ର।
ଅନେକ ସ୍ୱରୂପେ ଅନେକ ମର୍ମରେ,
ଧର୍ମ ତା'ର ସ୍ଥିର ମାତ୍ର।୪।
ଧାରିଣୀ ଯୁକ୍ତିଯୁକ୍ତା ପ୍ରତି ନାମରେ,
ସ୍ନେହ ଶ୍ରଦ୍ଧା ଭକ୍ତି ସାଥୀ।
ଏକ ସ୍ୱରୂପ ଶରୀର ଏକ ମନ,
ସଂକଳ୍ପ ପ୍ରତିଜ୍ଞା ମତି।୫।
ଏକ ହୃଦୟ ଚିନ୍ତନ ଓ ମନ୍ଥନ,
କଲ୍ୟାଣ ଜଗତ ହିତେ।
ଏକ ଦୃଷ୍ଟି ଏକ ଆଶା ଓ ଆକାଂକ୍ଷା,
ସମର୍ପଣ ଭାବ ଚିତ୍ତେ।୬।
ବଦଳି ଯାଏ ଚରିତ୍ରର ସମୂହ,
ଲକ୍ଷ୍ୟ ସଦା ରହେ ସ୍ଥିର।
ବଦଳଇ ଯାହା ସମ୍ପର୍କର ସୂତ୍ର,
ମନ ଧ୍ୟାନ ଏକ ଚିର।୭।
ବଦଳଇ ଦାୟିତ୍ୱର ସମାହାର,
ସୋପାନ ସୋପାନ ହୋଇ।
କନ୍ୟା ଅଲିଅଳି ପିତାମାତା ଗୃହେ,
ନାରୀଟିଏ ଜନ୍ମ ପାଇ।୮।
କିଶୋରୀ ଯୁବତୀ ସ୍ୱରୂପା ଶୋଭିତା,
ଆଶା ଅସୁମାରୀ ଭରା।
ପିତାମାତା ପରିବାର ଭାଇ ବନ୍ଧୁ,
ସବୁରିଙ୍କ ପାଇଁ ଆଶ୍ରା।୯।
ଜନ୍ମଦାତ୍ରୀ ବାତ୍ସଲ୍ୟମୟୀ ଧାରିଣୀ,
ଗର୍ଭେରେ ରକ୍ତ ସିଞ୍ଚନ।
ଦଶମାସ ଦଶ ଦିନରେ ପ୍ରସବ,
ଜନନୀ ନିଏ ଜନମ।୧୦।
ମମତାର ଛାୟା ଆଚ୍ଛାଦନ ଦିଏ,
କୋଳର ଉଷ୍ମତା ସିଞ୍ଚେ।
ସୃଷ୍ଟି କାରିଣୀ ମା' ଜୀବ ପ୍ରସବିନୀ,
ସ୍ତନ୍ୟ ପାନେ ଶିଶୁ ବଞ୍ଚେ।୧୧।
ସୁଧା ଧାରା ପ୍ରଦାୟିନୀ ଶାବକରେ,
ହୁଏ ଶିଶୁ ପରିପୁଷ୍ଟ।
ଶଶି କଳା ପରି ବଢ଼େ ଶିଶୁ ଦେହ,
ଧୀରେ ହୁଅଇ ବିଶିଷ୍ଟ।୧୨।
ହୃଦୟେ ଲଗାଇ ରଖେ ସନ୍ତାନକୁ,
କ୍ଷଣେ ବି ନ'କରି ଦୂର।
ରାତ୍ରୀ ରାତ୍ରୀ ଉଜାଗର ରହି କରି,
ପ୍ରହରୀଟିଏ ଶିଶୁର।୧୩।
ପଣତ ତଳେ ଢାଙ୍କି ରଖେ ଶିଶୁକୁ,
କୁଦୃଷ୍ଟିରୁ ଦୁରେ ନେଇ।
ଝାଡ଼ିଦିଏ ଦେହ ଧୂଳି କାନି ଦ୍ଵାରା,
ଅଝଟ ହେଲେ ବୁଝେଇ।୧୪।
ଦାୟିତ୍ୱ ନିର୍ବାହୀନି ସମାଜେ ବିଦ୍ୟା,
ପ୍ରଥମ ଶିକ୍ଷିକା ସିଏ।
ଶିଶୁ ମୁଖେ ବର୍ଣ୍ଣ ମାତୃ ମୁଖୁଁ ଦାନ,
ପରିବାର ମାନ ପାଏ।୧୫।
ବାନ୍ଧବୀ ସଙ୍ଗିନୀ ପ୍ରେରଣାର ସ୍ରୋତ,
ଶବ୍ଦ କୋମଳତା ତନ୍ତ୍ର।
ସଖୀ ଅର୍ଦ୍ଧାଙ୍ଗିନୀ ମଧୁର ବାଦିନୀ,
ଦିଏ ଗତି ଜୀବେ ମନ୍ତ୍ର।୧୬।
ପତନରୁ ଉଦ୍ଧାରଣ ପତ୍ନୀ ହୋଇ,
ନରକୁ ସୁଗତି ଦିଏ।
ପତିବ୍ରତା ପବିତ୍ରତା ପାଳନରେ,
ସଦା ମନ ତା'ର ଥାଏ।୧୭।
ନରର ଉନ୍ନତି ପଛରେ ଥାଇ ସେ,
ଅନୁପ୍ରାଣିତ କରଇ।
ହାତ ତା'ର ସୁଲକ୍ଷଣୀ ବାର୍ତ୍ତା ସ୍ପର୍ଶ,
ଉତ୍ସାହ ପାତ୍ର ଭରଇ।୧୮।
ଗଢ଼େ ଗୃହ କରି ନିର୍ମାଣ ମନ୍ଦିର,
ଏକ ସୂତ୍ରେ ବାନ୍ଧି ପାରେ।
ମମତା ପରଷି ହସ ଅନ୍ୟ ମୁଖେ,
ସେହି ସବୁ ସୁଖ ତା'ରେ।୧୯।
ବିପଦେ ରକ୍ଷାଦୀକ୍ଷା ମନ୍ତ୍ର କାରିଣୀ
ସାହା ହୁଏ ପଥେ ସଦା।
ବାଧା ବିଘ୍ନ ଯାଏ ଅପସରି ଦୁରେ,
ଥାଏ ଯଦି ତା' ବରଦା।୨୦।
ନଦୀ କବିତା ସରିତା କମଳିନୀ,
ଦୁଇ କୁଳର ଦୁହିତା।
ପିତାମାତା ଘର ପତି ଘରଦ୍ବାର,
ମାନ ନିମନ୍ତେ ଚିନ୍ତିତା।୨୧।
ପ୍ରତି ସଫଳତା କାମନା କାରିଣୀ,
ଏକ ଏକ ସଦସ୍ୟର।
ସମ୍ପର୍କର ମହାନତା ଚରିତାର୍ଥ,
ହୁଏ ପ୍ରତି ମୁହୂର୍ତ୍ତର।୨୨।
ନିର୍ଝରିଣୀ ପ୍ରବାହିନୀ ଉପାସିନୀ,
ବ୍ରତ ଓଷା ଉପବାସ।
ତ୍ୟାଗ ଅହିଂସା ନମ୍ରତାର ପ୍ରତୀକ,
ଭରେ ଶାନ୍ତିର ସୁବାସ।୨୩।
ଅନ୍ନପୂର୍ଣ୍ଣା ଆଧାର ଅଧରେ ଦିଅଇ,
ଭୋକ ଶୋଷରୁ ମୁକତି।
କୁଟୁମ୍ବଙ୍କ ମୁଖେ ଖାଦ୍ୟ ପରଷିବା,
ଦିବ୍ୟ ଶାନ୍ତି କରେ ପ୍ରାପ୍ତି।୨୪।
ଜଳରେ ସ୍ଥଳରେ ନଭରେ ଥାଏ,
ରାଷ୍ଟ୍ର ଧ୍ଵଜା ଧରି ହସ୍ତେ।
ସୈନିକଟିଏ ସାଜି ସ୍ଵୟଂ ଆଗକୁ,
ବୀରାଙ୍ଗନା ଦେଶ ହିତେ।୨୫।
ନିଃସ୍ୱାର୍ଥର ବାର୍ତ୍ତାବାହୀ ସଫଳତା,
ତ୍ୟାଗ ସେବା ଧର୍ମ ତାର।
ସଳିତାଟି ପରି ଦୀପକରେ ଥାଏ,
ଜଳି ଅମା କରେ ଦୂର।୨୬।
କାନ୍ଧରେ କାନ୍ଧକୁ ମିଶାଇ ଚାଲିବା,
ଉନ୍ନତିର କଳ୍ପେ ସେହି।
ନିଶ୍ଚୟ ସର୍ବ ଶ୍ରେଷ୍ଠ ଅବଦାନ ତାର,
କବି ସଦା ଏହା କହି।୨୭।
ଦୁଃଖ ଶୋକ କଷ୍ଟ ଭରା ପଥ ତାର,
କେବେ ଏକା ଏକା ଲଢ଼େ।
କାପୁରୁଷତାର ପରିଣାମ ତାରେ,
ତଥାପି ନ'ହାରି ବଢ଼େ।୨୮।
ଲୋଲୁପ ଦୃଷ୍ଟିର ଆକ୍ରମଣ ବଢ଼େ,
ତା' ଗର୍ଭରେ ଭ୍ରୂଣ ହତ୍ୟା।
ଯାତନା କଥନ ଗଞ୍ଜଣା ମନ୍ତ୍ରଣା,
ସହ୍ୟ କରେ ସବୁ ବାର୍ତ୍ତା।୨୯।
ଲୋତକ ଅଜାଡ଼ି ଧୁଏ ଚଲାପଥ,
ନିତି ଅନଳ ପରୀକ୍ଷା।
ଜୀବନ ତା' ପରାଧୀନ ଚତୁଃପାର୍ଶ୍ଵ,
ଅନ୍ୟ କରେ ତା' ସମୀକ୍ଷା।୩୦।
ରାତ୍ରୀ ଦୁରେ ଥାଉ ଦିବାଲୋକ ମଧ୍ୟେ,
ଅତ୍ୟାଚାର ଅନାଚାର।
କଷଣ ହରଣ ଲୁଣ୍ଠନ ଆଘାତ,
ଅସଭ୍ୟତାର ବିଚାର।୩୧।
ବସ୍ତୁ ଭଳି ହୁଏ ତାର ବ୍ୟବହାର,
ଲାଭ କ୍ଷୟ ଅଙ୍କ କଷା।
ଯୌତୁକ ଦାନବ ଗିଳିଦେଇ ଯାଏ,
ଅସମୟେ ସବୁ ଆଶା।୩୨।
କେତେ ଯେ ଯତନ ସାଧନା ସେ' କରେ,
ପ୍ରସ୍ଫୁଟିତ ପୁଷ୍ପ ହୋଇ।
ସେବାର ସୁଗନ୍ଧ ମହକ ବାସଇ,
ସବୁ କିଛି ଅର୍ପି ଦେଇ।୩୩।
ନୁହେଁ ଆଜି ଦୂର୍ବଳା ଆଉ ଅବଳା ,
ମାନସିକତା ବଦଳୁ।
ସମ୍ମାନର ପାତ୍ରୀ ଶୁଭ ଦୃଷ୍ଟି ପାଉ,
ଉଚିତ ଆସନ ମିଳୁ।୩୪।
ସେ' ସ୍ଵୟଂ ସୃଷ୍ଟି ସ୍ଵୟଂ ସର୍ବ କାରିଣୀ,
ବିଦ୍ୟା ଧନ ବର ଦାତ୍ରୀ।
ପୁଜନୀୟା ବନ୍ଦିତା ସେବିତା ସଦା,
ଦେବତା ଆଶିଷ ପ୍ରାପ୍ତି।୩୫।