ଆତ୍ମ ସନ୍ତୋଷର ସ୍ଥାନ
ଆତ୍ମ ସନ୍ତୋଷର ସ୍ଥାନ
ଶିଶୁ ଟିଏ ଜନ୍ମ ନିଏ
କ୍ରନ୍ଦନର ଧ୍ୱନି ଦିଏ
ଖୁସି ସଭିଏଁ ସେ କାନ୍ଦଣାରେ ତ
ହୁଏ ସେ ନିଜର
ସୃଷ୍ଟି ହୁଏ ଘର ତାର
ଆଉ ପରିବାର ପରିଜନ l
ଗେହ୍ଲା ବସରିଆ କୁନି ପିଲା ସେ
ଘର ଲୋକଙ୍କ ପାଇଁ
ଦେବା ଦେବୀଙ୍କ ପୂଜା ଅର୍ଚ୍ଚନା କେତେ
ତା ଆଗାମୀ ସୁନ୍ଦର ଭବିଷ୍ୟତ ଲାଗି l
ବାଲ୍ୟ ଅବସ୍ତା ରେ ତା ଗାଲୁ ଗାଲୁ କଥା
ଖୁସି ଦିଅଇ ସଭିଙ୍କୁ
କୈଶୋରରେ ତା ଦୁଷ୍ଟାମୀ ଘୁରାଏ ମଥା
ଯୌବନରେ ସେ ହୋଇଯାଏ
ଚିନ୍ତାର ବିଷୟ
ବୃଦ୍ଧା ବସ୍ତାରେ ତା ଅଭିଜ୍ଞାତା
ଦେଖାଏ ସଠିକ ପଥ l
ଚାଳିଆ ହଉ କି କଚ୍ଚା ଘର
ନହଉ ପଛେ ସେ ମାର୍ବଲ ଚକ ଚକ
ସ୍ନେହ ମମତା ର ଯଦି ହୋଇ ଥାଏ ପୀଠ
ଦିଅଇ ମୁହଁରେ ଖୁସି ର ଉଜ୍ଜଳ ଚମକ l
ଚାକିରିଆ ଲୋକ ଖୋଜେ ଛୁଟି
ଯିବାକୁ ଘରକୁ ପାଇବାକୁ ଟିକେ ଶାନ୍ତି
ଅନ୍ତେବାସୀ ପଢା ପିଲା ଖୋଜେ ଘର
ପାଇବାକୁ ନିତ୍ୟ ଖାଇବାରୁ ଟିକେ ମୁକ୍ତି l
ଅପରାହ୍ନ ବେଳେ ଗୋଧୂଳି ସମୟେ
ଚାଷୀ ଖୋଜେ ଭାରି ଘର
ସଜ ପଖାଳ କଂସା କୁ
ଶାଗ ଭଜା ସହ ବଡ଼ି ଚୁରା ଟିକେ ମିଳିଗଲେ
ମିଳଇ ଅମୃତ ଖୁସି ତାକୁ l
ପର୍ବ ପର୍ବାଣିରେ ପୁରି ଉଠେ ଘର
ସମସ୍ତଙ୍କ ଉପସ୍ଥିତିରେ
ଚାଲେ ହୋ ହାଲ୍ଲା
ପୁଣି ବନି ଯାଏ ଶୂନ୍ୟ କୋଠରୀ
କିଛି ଦିନ ପରେ l
ବାହା ବ୍ରତ ଯେବେ ଆସେ
ନିଜ ଘରେ
କେତେ କୁଣିଆ ମଇତ୍ରେ ପରା
ଭାରି ଖୁସି ଲାଗେ
ମିଶି ସମସ୍ତଙ୍କ ସହ
ବହୁ ଦିନ ପରେ ପରା l
ଘର ବାରିର ଲାଉ ସନ୍ତୁଳା
ବୋଉ କଲେ ଭାରି ଲାଗେ ନିଆରା
ଆତ୍ମା ତୃପ୍ତି ଯାଏ ଖାଏ ପେଟ ପୁରେଇ
ମନ ଦୁଃଖ ହୁଏ ଭାବି ଏଵେ ଗଲେ ପୁଣି କେବେ ଆସିବି l
ସକାଳ ସନ୍ଧ୍ୟାରେ ଠାକୁର ଘରେ
ଚୁଆ ଚନ୍ଦନର ବାସ୍ନା
ଆଉ ମାର୍ଗଶୀର ମାସେ ମାଟି କାନ୍ଥେ
ଝୁରି ହୁଏ ଭାରି ବୋଉର ଚିତା l
ଶାମ୍ବ ଦଶମୀରେ ନିଆରା ଖିଆ
ଭାରି ସୁଆଦିଆ ଦୁଆର ବଢ଼ା
ନାନା ବିବିଧରେ ଭରା କଦଳୀ ପତର
ଖାଏ ଚକାମାଡି ବସି ମାଗି ଥରକୁ ଥର l
ନାଗ ଚତୁର୍ଥୀରେ ଥିଲେ ଘରେ
ପୂଜା ଲାଗି ଉଇ ହୁଙ୍କା
ଖୋଜିବାକୁ ବୁଲେ ବାଟ କେତେ
କାକରା ପିଠାର ବାସ୍ନା
ଗାଁ ସେମୁଣ୍ଡକୁ ଫାଟେ l
ଘର ଦାଣ୍ଡ ଚଉରା ପାଖରେ
ଜେଜେଙ୍କ ବାଙ୍କୁଲି ବାଡ଼ି
ଆଜି ଭାରି ମୁଁ ଖୋଜେ
କାଇଁ ହଜି ଗଲେ କୋଉ ଅଜଣା ରାଇଜେ l
ପିଇସି ମା ଙ୍କ ସ୍ନେହ ଶରଧା
ପାଇବାକୁ ହେଲେ
ଖୋଲିବାକୁ ପଡେ ତା ଶାଶୁ ଘର ଦରଜା
କାଇଁ ଏ ନିୟମ ଗଢିଛି କିଏ
ଝିଅ ଜନମ ପର ଘରକୁ ଯେ
ନିଜ ଘର ପରା ବୈକୁଣ୍ଠ ସମାନ
ବୁଝୁନି କାଇଁ ଏ ପୁରୁଷ ପ୍ରଧାନ ସମାଜ l