ଆସୁଛି ସୁଦିନ
ଆସୁଛି ସୁଦିନ
ଆସୁଛି ସୁଦିନ , ହସିବା ସେଦିନ
ମଧୁର ମୁହୂର୍ତ୍ତ ହୋଇବେ ସାଥୀ
ଭଲ ମଣିଷର ଭାବନା ହିଁ ଭଲ
ହେ ବନ୍ଧୁ ! ଗାଇବା ପ୍ରୀତିର ଗୀତି ।
ଦେଖିଛି ତୁମରି ନରମ ଆଖିରେ
ବହଳ ବହଳ ଭିନ୍ନ କାହାଣୀ
କାହାଣୀ ନୁହେଁ ତ , ଅଭୁଲା ଅତୀତ
ତମସାତୀର୍ଥରେ ଭରା ଉଜାଣି ।
ସବୁ କଥା କ'ଣ କହିଥାଏ ଓଠ ,
ଅକୁହା ଭାଷାର ଅବ୍ୟକ୍ତ ରୂପ
ସନ୍ତର୍ପଣତାରେ ନୀରବିଯାଏ ସେ
ଅସହ୍ୟ ତା' ପାଇଁ କାଳ-ବିଦ୍ରୁପ ।
ଅନୁଭବିଛି ମୁଁ ତୁମ ହୃଦୟର
ଅବ୍ୟକ୍ତ ଅସହ୍ୟ ନିର୍ବାକ୍ ପଣ
ଶବ୍ଦମାନେ ତୁମ ଆଙ୍କି ଦେଇଛନ୍ତି
ମୋ' ହୃଦୟେ ତୁମ ସ୍ଥାଣୁ ଚିତ୍ରଣ ।
ଅଟ୍ଟାଳିକା,ଅବା କୁବେର ସମ୍ପତ୍ତି
ପ୍ରକୃତ ଧନର ମୋହର ନୁହେଁ
ତୁମରି ମନର ସୋପାନ-ସାରଲ୍ୟ
ତୁମେ ମହାଧନୀ, ଇଙ୍ଗିତେ କୁହେ ।
ଦୁନିଆ ବିଚିତ୍ର ,ଅଦ୍ଭୁତ ତା' ଚିତ୍ର
ଅସମ୍ଭବ ବୋଲି ଜାତକେ ନାହିଁ
ଉଚ୍ଚାକାଂକ୍ଷୀ ପାଇଁ ଉଚ୍ଚାସନ ଥାଏ
ନୀଚପ୍ରୀତି ପାଇଁ ମହତ୍ତ୍ୱ କାହିଁ ।
ହସିବା ପାଇଁ ତ ସମସ୍ତେ ଅଛନ୍ତି
ହସ ବାଣ୍ଟିବାକୁ ନିଅଣ୍ଟ ମନ
ଅନ୍ୟକୁ ହସାଇ ସାଉଁଟି ପାରିଲେ
ସେ ହସରେ ମିଳେ ଅମୂଲ୍ୟ ଧନ ।
ଆଜିର ବଜାରେ କିଏ ବା ପଚାରେ
ଭଲ ମଣିଷର ମାନବିକତା
ତଥାପି କେତେକ ଅଛନ୍ତି ନିଶ୍ଚୟ
ମଣିଷ ପାଇଁକି କରନ୍ତି ଚିନ୍ତା ।
