ଆସିଲା ଫଗୁଣ
ଆସିଲା ଫଗୁଣ
ଆସିଲା ଫଗୁଣ, ନୂଆ ରଙ୍ଗ ନେଇ
ହସି ଉଠିଲାଣି ଧରା
ଅଗି ଜଳିଗଲା, ଶୀତ ପଳାଇଲା
ଉତ୍ତପ୍ତ ହୋଇବ ପରା ।
ଆମ୍ବ ବଉଳର ବାସନା ଛୁଟୁଛି
ଗାଉଅଛି ମତ୍ତ ପୀକ
ଆସିବ ବସନ୍ତ, ହୋଇଣ ଉନ୍ମତ୍ତ
ହରିବ ସନ୍ତାପ ଦୁଃଖ ।
ଦୋଳ ବିମାନରେ ଠାକୁର ବିଜୟ
ଖେଳୁଥିବେ ରଙ୍ଗ ହୋଲି
ନିରସ ବୃକ୍ଷରେ ପ୍ରାଣ ସଞ୍ଚରିବ
ସବୁଜିମା ଯିବ ଭରି ।
କୁସୁମ ସମ୍ଭାରେ ହସିବ ଧରଣୀ
ଆକର୍ଷିତ ମନ ପ୍ରାଣ
ସବୁଜ ଶ୍ୟାମଳ କ୍ଷେତରେ ଫସଲ
ଶୋଭା ବଢାଇ ଦ୍ଵିଗୁଣ ।
ଆଇସକ୍ରିମ୍ ଓ ଥଣ୍ଡା ବୋତଲକୁ
ସମସ୍ତେ ଖୋଜିବେ ଜାଣ
କାକୁଡି ଓ ଦହି, ଲସି, ସର୍ବତର
ବଜାର ସର ଗରମ ।
ନୂତନ ଶରୀର ଧାରଣ କରିବ
ଆମରି ପୃଥିବୀ ମାତା
ଋତୁଚକ୍ରର ପରିବର୍ତ୍ତନ ଶୈଳୀ
ସୃଷ୍ଟି କରିଛନ୍ତି ଧାତା।
