ଆସିବ କି ସତ୍ୟଯୁଗ
ଆସିବ କି ସତ୍ୟଯୁଗ


କଳ୍କୀ ଆସିଛି କି କୋରନା ରୂପରେ
ଧରାଧାମେ ଅବତରୀ ।
ଅଦୃଶ୍ୟ ରୂପରେ ବାର ହାତ ଖଣ୍ଡା
ବୁଲେ ତା'ର ହାତେ ଧରି ।୧।
ତ୍ରେତୟା ଦ୍ୱାପରେ ଜନମ ଲଭିଲେ
ମାନବ ଶରୀରେ ହରି ।
ଦୁଷ୍ଟ ନିବାରିଲେ ଶିଷ୍ଟ ରକ୍ଷା କଲେ
ପାପକୁ ବିନାଶ କରି ।୨।
ମାଳିକା ବର୍ଣ୍ଣିତ କଳ୍କୀ ଅବତାର
କଳିଯୁଗ ଶେଷ ପାଇଁ ।
ମାତା କି ପେଷିଲେ କୋରନା ଦୂତକୁ
ସୂଚନା ତାଙ୍କର ଦେଇ ।୩।
ସୃଷ୍ଟି ବିନାଶର ପ୍ରଳୟ ପୂର୍ବରୁ
ସତର୍କ କରିବା ପାଇଁ ।
ବେଳ ଥାଉ ଥାଉ ସତର୍କ ହୋଇଲେ
ସୃଷ୍ଟି ଯିବ ରକ୍ଷା ହୋଇ ।୪।
କୋରନା ତାଣ୍ଡବ ମାନବ ଦମନେ
ପରିବର୍ତ୍ତନର ଘଣ୍ଟି ।
ଜାଗ୍ରତ ହେଇଛି ବିଶ୍ୱରେ ମାନବ
ସମ୍ଭୋଗ ନିଦ୍ରାରୁ ଉଠି ।୫।
ପ୍ରତ୍ୟକ୍ଷ କୋରନା ମାନବ ଶିକାରେ
ଶାନ୍ତ ପ୍ରକୃତିର ରୋଷ ।
ପରୋକ୍ଷରେ ଦୂର ବିଷାକ୍ତ ଭାବନା
ଶାନ୍ତ ହୁଏ ପରିବେଶ ।୬।
କୃତ କର୍ମ ପାଇଁ ପ୍ରକୃତିର ରାୟ
ମାନବକୁ ଗୃହ ବନ୍ଦୀ ।
ଅପ୍ରିୟ ସତ୍ୟକୁ ଉନ୍ମୋଚନ କରେ
ପାପିଙ୍କୁ ମୃତ୍ୟୁରେ ଦଣ୍ଡି ।୭।
ବିଚାର ପ୍ରକ୍ରିୟା ସୃଷ୍ଟି ଅଦାଲତେ
ପ୍ରକୃତି ବିଚାରପତି ।
ବାତାବରଣରେ ନୂଆ ଉନ୍ମାଦନା
ଫେରୁଅଛି ସୁଖ ଶାନ୍ତି ।୮।
ଜଳ ସ୍ଥଳ ବାୟୁ ପ୍ରଦୂଷଣ ହ୍ରାସ
ନଦୀ ନାଳ ସ୍ୱଚ୍ଛ ଦିଶେ ।
ନିର୍ମଳ ଗଗନେ ସ୍ୱଚ୍ଛ ସମୀରଣ
ସ୍ଥାବର ଜଙ୍ଗମ ହସେ ।୯।
ମୃତ୍ୟୁ ବିଭୀଷିକା ନିକଟରୁ ଦେଖି
ଇର୍ଷା ହିଂସା ଅହଙ୍କାର ।
ଲୋଭ ମୋହ ମାୟା ବିଳାସ ବ୍ୟସନ
ଧୀରେ ଧୀରେ ହୁଏ ଦୂର ।୧୦।
ଅଧ୍ୟାତ୍ମ ଚେତନା ଆଲୋକ ରଶ୍ମିରେ
ନାଶ ହୋଇ ରୋଗ ଭୋଗ ।
ଆଶା ଅଙ୍କୁରିତ ନିରାଶା ମନରେ
ଆସୁଛି କି ସତ୍ୟଯୁଗ ??୧୧