STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଆଶିଷ ଦିଅ ମା' ସରସ୍ବତୀ

ଆଶିଷ ଦିଅ ମା' ସରସ୍ବତୀ

1 min
20


ଭକ୍ତିଭରା ହୃଦେ    ତବ ଶିରୀ ପଦେ 

     କରେ ଅଳି ହୁଅ ସାହା,

ପବିତ୍ର ମନରେ     ଡାକୁଛି ଅଧିରେ 

     ଆଶିଷ ଦିଅ ଗୋ ମାଆ। 

ଅବୋଧ ଅଜ୍ଞାନ     ଦୀନ ଅକିଞ୍ଚନ 

      ଆଶ୍ରାରେ ତୁମ ଆଶ୍ରିତ, 

ଘନ ଏ ତିମିର    ଭବିଷ୍ୟତ ମୋର

     କର ବାରେ ଦୂରୀଭୂତ। 

ତୁମେ ବିଦ୍ୟାଦାତ୍ରୀ  ମାଆ ଜଗଦ୍ଧାତ୍ରୀ 

     ବୀଣା ପୁସ୍ତକ ଧାରିଣୀ,

ହୃଦୟ ମନ୍ଦିରେ     ତୁମ ସ୍ତୁତି କରେ 

     ତୁମେ ଦୟା ସ୍ଵରୂପିଣୀ। 

କିଞ୍ଚିତ କରୁଣା      କରିବାକୁ ଊଣା 

      ହୁଅ ନାହିଁ ନିରିଦୟା,

ଦେଇ ଶୁଭ ଦୃଷ୍ଟି     କର କୃପା ବୃଷ୍ଟି 

     ଦୂର ହେଉ ଭବ ମାୟା। 

ମାଆ ଗୋ ଶାରଦେ  ଅମ୍ଵିକେ ବରଦେ 

    ଆଶିଷ ଦିଅ ଗୋ ମୋତେ, 

ଦୀନ ହୀନ ମୂଢ    ହେବାକୁ ମୁଁ ଦୃଢ  

    ବିନତି କରେ ନିରତେ। 

ତୁମ କୃପା ବଳେ   ଏ ମହୀ ମଣ୍ଡଳେ 

      ଋଷି ମୁନି କବି ଗଣ, 

କରି ସେବା ଭକ୍ତି    ଲଭି ଜ୍ଞାନ ଶକ୍ତି 

       ପାଇଛନ୍ତି ପରିତ୍ରାଣ। 

ବ୍ୟାସଦେବ ଶୁକ     ବାଲ୍ମିକୀ ଜନକ     

     ମହା କବି କାଳିଦାସ, 

ରଚି କାବ୍ୟ ଶାସ୍ତ୍ର  ଦେଲେ ଜ୍ଞାନ ଅସ୍ତ୍ର

     ସଂସାର ସାର ପିୟୁଷ। 

ଉପଇନ୍ଦ୍ର ଭଞ୍ଜ     କରି କାବ୍ୟ ରଞ୍ଜ 

     ହେଲେ ଯେ କବି ସମ୍ରାଟ,

ଜୟଦେବ ସନ୍ଥ     ଭୀମ ଜଗନ୍ନାଥ 

     କୃତୀ ତାଙ୍କର ବିରାଟ। 

ଆଦି କବି ଭାବେ   ସାରଳା ଏ ଭବେ 

     ହୋଇଛନ୍ତି ସୁବିଖ୍ୟାତ,  

ଅଭିମନ୍ୟୁ କବି      ବିଦଗ୍ଧର ଛବି 

     ପଦ ଛନ୍ଦରେ ପ୍ଳାବିତ।

ରସର କଲ୍ଲୋଳେ  ହୃଦୟ ହିଲ୍ଲୋଳେ 

     ଶ୍ରେଷ୍ଠ ଦୀନକୃଷ୍ଣ ଦାସ, 

କବିବର ରାଧା-    ନାଥ ଯେ ଅମର 

      ରଖି ଯାଇଛନ୍ତି ଯଶ। 

ତବ କୃପା ବିନା     ସମ୍ଭବ ହୁଏନା 

     ଜ୍ଞାନର ଦୀପ ଜାଳିବା, 

ଅଜ୍ଞାନ ଅନ୍ଧାର    ବେଗେ ଦୂର କର 

     ସୁଖ ଶାନ୍ତିରେ ରହିବା। 

କଲ୍ୟାଣ କର ମା'    ପ୍ରକାଶି ମହିମା 

     ହସିଉଠୁ ଧରାଧାମ, 

ମଙ୍ଗଳ ବିଧାନ     କରି ଦିଅ ଜ୍ଞାନ 

     ମାଗୁଣି କରେ ଅଧମ। 

   

      



      



       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract