ଆଶାର ଆଲୋକ
ଆଶାର ଆଲୋକ
କ୍ଷଣ-ଭଙ୍ଗୁର ଜୀବନରେ ମୋର
ସପନ ଦେଖିଲି ଯେତେ,
କେଉଁଗୋଟା ସତ, କେଉଁଟା ଵା ମିଛ
ନ ପାରିଲି ଜାଣି ସତେ ।୧)
ବିଶ୍ବାସ କଲି ଅଵିଶ୍ବାସୀ ଠାରେ
ଭୋଗିଲି ତାହାର ଫଳ,
ଏ କୂଳ ହେଲାନି - ସେ କୂଳ ବି ନୁହେଁ
ଛାତିହେଲା ଦୁଇଫାଳ ।୨)
ଗଭୀର ନିଶୀଥେ ସପନ ଦେଖିଲି
ଉଇଁଛି ନୂଆ ସୂରୁଜ,
ଦୂର ହୋଇଅଛି ଘନ-ଅନ୍ଧକାର
ଆଲୋକର ସଜବାଜ ।୩)
ଭାଙ୍ଗିଗଲା ନିଦ ଉଠି ମୁଁ ବସିଲି
ଚମକି ଦେଖିଲି ଯାହା,
ଚଉଦିଗ ମୋର ବହଳ ଅନ୍ଧାର
ମୁଣ୍ଡେ ହାତଦେଲି ଆହା ! ।୪)
କେଉଁଠି ଖୋଜିବି ଆଲୋକର ଉତ୍ସ ?
ଆତୁରେ ଚାହିଁଲି ଯେବେ,
ଦେଖିଲି ମୋ ହୃଦେ 'ଆଶାର-ଆଲୋକ'
ଜଳେ ଅତି ଅନୁରାଗେ ।୫)
ପଚାରିଲି ସେଇ 'ଆଶାର-ଆଲୋକେ'
କିପରି ଦେଉଛୁ କହ ?,
ଘନ-ଅନ୍ଧକାରେ, ଘୋର ବରଷାରେ
ଆଲୋକ ତୁ ଅହରହ ?୬)
'ଆଶାର-ଆଲୋକ' ହସିଲା ଟିକିଏ
କହିଲା ମରମ କଥା,
ଭରସା କରିଛି ଉପର-ବାଲାକୁ
ଏକଥା ମନେ ରଖିଥା ।୭)
ଅନ୍ଧାର ନିଶ୍ଚେ ଦୂର ହୋଇଯିବ
ଉଠିଵ ସୂରୁଜ ପୁଣି,
କରୁଣାମୟଙ୍କ କରୁଣା ପରା ସେ
ଆଣିବ ଆଲୋକ ଟାଣି ।୮)
ଆରେ ଉଦଭ୍ରାନ୍ତ, କ୍ଳାନ୍ତ ପଥିକ !
ଆଖି ମେଲି ଥରେ ଚାହାଁ,
ପ୍ରଭୂଙ୍କ କରୁଣା ଝରେ ନିରନ୍ତର
ସିଏ ପରା ଚଉବାହା ।୯)
ନିବିଡ଼ ଆଶ୍ଳେଷେ କୋଳେଇ ନେଵେ ସେ
ଝାଡିବେ ଦେହରୁ ଧୂଳି,
ଭରସା ରଖିଥା ସେ ପାଦ-ପଙ୍କଜେ
ଧରିବେ ସେ ତତେ ତୋଳି।୧୦)

