STORYMIRROR

Upendra prasad Mahala

Romance Classics Inspirational

3  

Upendra prasad Mahala

Romance Classics Inspirational

ଆଶାର ଆକାଶ ଦୀପ

ଆଶାର ଆକାଶ ଦୀପ

1 min
219


ସଖୀ ତୁମେ ମଧୁର ସ୍ମତିର ଛବି, 
ମୋ ଆତ୍ମାର ଅମୂଲ୍ୟ ସମ୍ପଦ !
ଦୂର ଦିଗନ୍ତରେ ଧାରେ ଆଲୋକ
ରେଖା " ଆଶାର ଆକାଶ ଦୀପ"।
ସକରାତ୍ମକ ଆଭା ବୁଣି ଜଳୁଥାଅ
ଏକା ନୀରନ୍ଦ୍ର ଅନ୍ଧାର ରାତିରେ !

ଚହଟେ ଦିଗନ୍ତ ଵିସ୍ତାରୀ ତୁମ 
ରୂପଶୋଭା, ମୁଁ କ୍ଷୁଦ୍ର ଜ୍ୟାମିତି
ବିନ୍ଦୁ ଜୀବନ ଚଲାବାଟରେ !
ତୁମ ଆଲୋକକୁ ଦେଖି ଖୋଜି
ଚାଲିଛି ଯାତ୍ରାପଥ, ଛୁଇଁବାକୁ
ଆକାଙକ୍ଷିତ ଶେଷ ଲକ୍ଷ୍ୟସ୍ଥଳ।
ଜାଣେ ନିରାଶା ଅନ୍ଧାର ଭିତରେ 
ଅଜଣା ରାସ୍ତାରେ ମୁଁ ପଥିକ, 
ଭୁଲ ଠିକଣାର ଏକ ଚିଠି !

ଏ ଭଙ୍ଗୁର ଦୁନିଆରେ ସବୁକିଛି 
ଶେଷ ହୋଇଯାଏ, ମଧୁର ସ୍ମୃତି 
କେବେ ସରେନି କି ମରେନି ।
ଅନ୍ତରଂଗ ସାଥୀ ସାଜି ରହିଥାଏ 
ଜୀବନର ଶେଷ ଦୃଶ୍ୟ ଯାଏ !
ମନେ ପକାଇଦିଏ ପଛରେ ଛାଡି 
ଆସିଥିବା ପିଲାଦିନ, ଧୂଳିଘର, 
ଖରାବେଳ ସ୍ବପ୍ନ, ଯାହା ଭିତରେ  
ଲୁଚିଥାଏ ଅସ୍ତିତ୍ବ ଓ ପରିଚୟ ।
ପଛକୁ ଫେରି ଚାହିଲେ ଦିଶିଯାଏ
ଅତୀତର ମୁହଁ। ପିଲାଦିନ ସାଂଗ,
ହଜିଲା ଚରିତ୍ରମାନେ ଆସି ଠିଆ
ହୋଇଯାଆନ୍ତି ହଠାତ୍ ଆଗରେ।
ମନର ଚେତନାସ୍ତରକୁ ଚହଲାଇ 
ଦେହରେ ଭରି ଦିଅନ୍ତି ଉତ୍ତେଜନା।
ଜୀବନ ଭୂମି ଲାଗେ ସୌନ୍ଦର୍ଯ୍ୟ
ପରିପୂର୍ଣ୍ଣ, ବୟସର ବନ୍ଧ ଭାଂଗି 
ମନକୁ ଭାବପ୍ରବଣ ଓ ଆନମନା 
କରେ, ତାରୁଣ୍ୟ ଝଲସି ଉଠେ,
ଆଗକୁ ଚାଲିବାକୁ ବଳ ଦିଏ।

ଜୀବନରେ ଯାହା ମୁଁ ଶିଖିଛି, 
ଖୁଣ୍ଟି ପାରିଛି ଯେତେ ସ୍ମୃତିର 
ସାମୁକା, ସବୁ ସାଇତି ରଖିଛି ।
ଜାଣି ନ ଥିଲି କୁଆଡେ ଲମ୍ବିଛି
ଜୀବନର ଏ ଯାତ୍ରାପଥ, କେତେ 
କଣ୍ଟକିତ, ବନ୍ଧୁର, ଅନ୍ଧକାରାଚ୍ଛନ୍ନ !
ଖୋଜିଛି ପୁରୁଣା ଭୂଗୋଳ ବହିରୁ
ମାନଚିତ୍ର, ହୃଦୟକୁ ପଚାରିଛି 
ନାନା ପ୍ରଶ୍ନ ବହୁବାର, କେଉଁଠୁ
ପାଇପାରିନି ଉତ୍ତର, ତୁମ ଠିକଣା !
ଆଜି ଏ ଅପରିଚିତ ରାସ୍ତାରେ ସଖୀ  
ସାଉଣ୍ଟା ସ୍ମୃତିକୁ ଶେଷ ସମ୍ବଳ କରି
ଆକାଶଦୀପ ଆଲୋକକୁ ଚାହିଁ 
ଏକା ଏକା ଚାଲୁଛି ମୁଁ ବାଟ ।
କଥା ଦେଇଛି ଭେଟିବି ତୁମକୁ ।

କହିଥିଲ ଯେ, ମନେ ଅଛି ସଖୀ ! 
ଆକାଶ ଓ ପୃଥିବୀର ସୀମାରେଖା 
ଯେଉଁଠି ମିଶିଛି, ସୂର୍ଯ୍ୟଚନ୍ଦ୍ର ଯେଉଁଠି
ଅସ୍ତ ଯାଆନ୍ତି, ସେଠି ଅଛି ନୂଆ ଘର 
ଶୂନ୍ୟରେ ଝୁଲୁଥିବ ଆକାଶ ଦୀପ,
ଫାଟକରେ ଲାଗିଥିବ ନାମଫଳକ
ଦିବ୍ୟ ଆଲୋକରେ ଝଲସୁ ଥିବ !
ଥିବ ପାହାଡୀ ଝରଣା, ଫୁଲ ବଗିଚା 
ଦୂରରୁ ଦେଖିଲେ ବି ସହଜେ ଚିହ୍ନି 
ହେଉଥିବ, ଖୋଜିବାକୁ ପଡିବନି।
ତୁମେ ଚାହିଁ ବସିଥିବ ଆସିଵା ବାଟ
ଡାକି ନେବ ଧରି ମୋ ଦୁଇ ହାତ ।
ଅନ୍ଧାରୀ ଆତ୍ମାରୁ ମୋତେ ମୁକ୍ତ କରି
ମୋ ହାତକୁ ଟେକି ଦେବ " ଆକାଶ
ଦୀପ ", ବଦଳାଇ ଦେବାକୁ ଆମ
ପରିଚିତ ପୃଥିବୀର ଵିଵର୍ଣ୍ଣ ରୂପ !

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance