ଆଶା
ଆଶା
ଆଶା କେବେ ମନେ ଖୁସି ଭରିଦିଏ
କେବେ ଦିଏ ଲୁହ ଧାର
କେବେ ସିଏ ପୁଣି ସ୍ବପ୍ନରେ ଭିଜାଏ
କେବେ ଦିଏ ଦୁଃଖ ଘୋର ।
ସବୁରି ମନରେ ବସା ବାନ୍ଧେ ସିଏ
ହୃଦୟେ କରଇ ଘର
କାହା ପାଇଁ ଆଣେ ସରଗ ସୁଷମା
ଯନ୍ତ୍ରଣାର ନର୍କ ଦ୍ବାର ।
ଆଶା ହିଁ ଆଣଇ ନୂତନ ଜୀବନ
ବଞ୍ଚିବାର ନୂଆ ଆଶା
ଏଇ ଆଶା ପାଇଁ ଅନେକ ଜୀବନ
ପୁଣି ହୁଏ ଲୋକହସା ।
ନିଜର ଯୋଗ୍ୟତା ଅନୁସାରେ ଆଶା
କେବେ ଦୁଃଖ ଦିଏ ନାହିଁ
ବାମନ ହେଇକି ଜହ୍ନକୁ ଛୁଇଁବା
ସଫଳ ହୁଏ କି କାହିଁ ?
କାର୍ଯ୍ୟେ ପାରଙ୍ଗମ ଦେଖାଇ ନପାରି
ପୁରସ୍କାର ଆଶା କଲେ
ତିରସ୍କାର ବିନା କିଛି ମିଳେ ନାହିଁ
ଲୋକହସା ହୁଏ ଭଲେ ।
ଆଶା ଅଟେ ସିନା ଏମିତି ଗୋଟିଏ
କାହାକୁ ସେ ଛାଡେ ନାହିଁ
କର୍ମ କର୍ତ୍ତବ୍ୟକୁ ଠିକ୍ ରେ କରିଲେ
ନିରାଶା ହେବ ବା କାହିଁ ?
ଧାନ କ୍ଷେତେ ଭଲ ବିହନ ବୁଣିଣ
ଯେତେ ଭଲ କରୁ ଚଷା
ଜଳର ସୁବିଧା କରି ନପାରିଲେ
ବୃଥା ହୁଏ ସବୁ ଆଶା ।
ପଢିବା ବେଳରେ ପାଠ ନପଢିଲେ
ବୟସ ଗଡିଲେ ଗଲା
ପରେ ଅନୁତାପ ଯେତେ ବା କରିବ
କି ଲାଭ ଥାଏ ଭଲା ।
ପାଠ ନପଢିଣ ପରୀକ୍ଷାକୁ ଦେବ
କପିକୁ ଆଶରା କରି
ଭଲ ନମ୍ବର କି ରଖି ସେ ପାରିବ
କୁହ ତ ନିଜେ ବିଚାରି ।
କାହା ଉପରେ ବେଶୀ ଆଶା ରଖ ନାହିଁ
ସେଇ ଆଶା ଦୁଃଖ ଦେବ
ଧୋକା ଯେବେ ସେଠି ଥରେ ପାଇଯିବ
ଆଖି ଲୁହେ ଭିଜୁଥିବ ।
ବଳ ବୟସଟା ରହେ ନାହିଁ କେବେ
ଆଶା ଅଟେ ସେହିପରି
ଆଶା ତରଙ୍ଗିଣୀ ଏମିତି ଗୋଟିଏ
ଦେଖାଏ ସେ ଅସୁମାରୀ ।
କେତେ ଆଶା ପୁଣି ସଫଳ ହୁଅଇ
ବିଫଳ ହୁଅଇ କେତେ
ମନର ସହରେ ତାଜମହଲ ତୋଳି
ଭସାଏ ଲୁହର ସ୍ରୋତେ ।
ଆଶା ଅଟେ ଗୋଟେ ଏମିତି ଗୋଟାଏ
କାହାକୁ ସେ ଛାଡେ ନାହିଁ
ସବୁରି ହୃଦୟେ କରଇ ବିହାର
ଭିତରେ ସେ ଲୁଚିରହି ।
ଆଶା ନ ରହିଲେ ଆଗକୁ ବଢିବା
ନା ହୁଏ ସମ୍ଭବ କେବେ
ଭାବି ଚିନ୍ତି ଆଶା ମନରେ ରଖିବ
ଦୁଃଖ ନ ପାଇବ ତେବେ ।
ସ୍ବପ୍ନ ଦେଖିବାଟା ମନା ନାହିଁ କାହାକୁ
ଆଶା ବି ସେମିତିଟିଏ
ଏଇ ଆଶା ପାଇଁ କେତେ ବି ଜୀବନ
ଅକ୍ଳେଶରେ ଚାଲିଯାଏ ।
କୁପଥରେ ପାଦ ଦେଇ ଦିଏ ଯିଏ
କଳଙ୍କରେ ଭରା ହୁଏ
ମାନ ଚାଲିଯାଏ ସମ୍ମାନ ବି ଯାଏ
ଆଶା ତା' ବିଫଳ ହୁଏ ।
ଭଲ ଆଶା ଚାରା ମନରେ ରୋପିଲେ
ସେଇ ଆଶା ସୁଖ ଦେବ
ଉନ୍ନତି କରିବ ସୁନାମ ପାଇବ
ଆଶାର ମାନ ରହିବ ।
ଆଶାଟି ଅଟଇ ଚିରସ୍ରୋତା ନଈ
ନା ସିଏ ଶୁଖିଥାଏ
ଜନମରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନେ
ହାତ ଠାରି ଡାକେ ସିଏ ।