ଆଶା ଓ ବିଶ୍ବାସ
ଆଶା ଓ ବିଶ୍ବାସ
ଆଶା ମୋର ବୈତରଣୀ
ବିଶ୍ଵାସ ମୋ ଦୃଢ଼
ଦୁନିଆଁରେ ଭାବିଛି ଲୋ
ତୁହି ପରା ବଡ଼ ।
ଲିଭି ଯାଏ ଆଶା ଦୀପ
ଭାବ ମୋ ଲିଭିନି
ଭକ୍ତି ଘୃତ ଢାଳିଛି ମା
ଦେଖ ଗୋ ଭବାନୀ ।
କାହା ପ୍ରରୋଚନା ମୋତେ
ଭୂଲାଇନି ପଥ
ଆଶା ବିଶ୍ଵାସ ସାଙ୍ଗରେ
ଚଳେ ମୋର ରଥ ।
ମୋର ନେତ୍ରେ ତୋର ଛବି
ନିତି ଫୁଟୁ ଥାଇ
ଉଦ୍ଦୀପନା ଦେଇ ମୋତେ
ଶକତି ବାଢଇ ।
ହୃଦୟ ଚଟାଣ ପରେ
ପୋତିଛି ମୁଁ ବୀଜ
ଦୁଇ ପତ୍ର ଉଜ୍ଜୀବିତ
ଆଶା ନାମେ ସଜ ।
ତୋର ନାମେ ଆଜି ମାଗୋ
ଫୁଟେ ଏକ ଫୁଲ
ଫୁଲ ନୁହେଁ ସେତ ମାଗୋ
କରୁଣାର ତୁଲ୍ୟ ।
ବୃନ୍ତ ଯେବେ ଆଶା ହୁଏ
ବିଶ୍ଵାସ ସୁମନ
ତହିଁରେ ଦେଖଇ ମାଗୋ
ତୋ ଚନ୍ଦ୍ର ବଦନ ।
ତୁ ଏମିତି ମା'ଟିଏ
ଦୟାର ସାଗର
ସନ୍ତାନର ଖୁସି ପାଇଁ
ଅସୀମ ଭଣ୍ଡାର ।
ଯେତେବେଳେ ଯେମିତି ମା
ହୃଦୟରୁ ଜପେ
ସହାୟତା ଆସେ ମାଗୋ
ତୋର କେତେ ରୂପେ ।
ଚଣ୍ଡୀ ପୁଣି ଭଦ୍ରକାଳୀ
କରାଳୀ ପାର୍ବତୀ
ତୋ ଶରଣେ ଗଲେ ମାଗୋ
ନଥାଏ ଲୋ ଭୀତି ।
ଅନ୍ଧାରକୁ ଦୃଶ୍ୟ ତୁହି
ଆଲୋକେ ଗୋପନ
ତୋ ନାମ ଧରିଲେ ହୃଦେ
ଚନ୍ଦନ ସମାନ ।
ଦଶଭୁଜେ ଶକ୍ତି ଧରି
ଯେବେ ଆସୁ ଚାଲି
ଦୁଲୁକାଏ ମେଦିନୀ ମା
ଗିରି ହୁଏ ବାଲି ।
ଅଜ୍ଞାନ ମୁଢ ପ୍ରଭାତୀ
ନଜାଣଇ କିଛି
କ୍ଷମା ଦେବୁ ଯେତେ ଦୋଷ
ମୋର ପୂଣ୍ୟ ବାଛି ।