ଆସ ପାଳିବା ରଜ
ଆସ ପାଳିବା ରଜ
ଆକାଶେ ଦେଖ ଉଡ଼ଇ ଗୁଡ଼ି
ଗଛରେ ଝୁଲେ ଦୋଳି
ରଜ ଆସିଛି ଖୁସି ମନରେ
ଆସ ପାଳିବା ମିଳି ।
ପୋଡ଼ପିଠାର ସୁବାସେ ପରା
ମହକେ ସବୁ ଘର
ସବୁରି ଓଠେ ଫୁଟଇ ହସ
ଦୁଃଖକୁ କରି ଦୂର ।
ବାଜାର ତାଳେ ଗାଁ ଗଣ୍ଡାରେ
ହୁଏ କବାଡ଼ି ଖେଳ
ଲୁଡ଼ୁ ତାଆସ ଖେଳରେ ଜମା
ଜାଣି ପଡ଼େନି ବେଳ ।
ପିଲାଠୁ ବୁଢ଼ା ନୂଆ ପୋଷାକ
ରଜେ ପିନ୍ଧନ୍ତି ପରା
ରଜରେ ଆମ ପରି ଖୁସିରେ
ଫୁଲି ଉଠଇ ଧରା ।
ଲୁଗା ଦୋକାନ ଫଳ ଦୋକାନ
ରଜରେ ଭିଡ଼ ହୁଏ
ରଜପରବେ ଝିଅ ଘରକୁ
ରଜଭାର ଯେ ଯାଏ ।
ରଜରେ ଚାଲ ନୂଆଜାଗାକୁ
ଯିବାରେ ସାଙ୍ଗ ବୁଲି
ତିନି ଦିନର ରଜ ପରବ
ହୁଏନି ପାରି ଭୁଲି ।
