ଆସ ମଉସୁମୀ
ଆସ ମଉସୁମୀ
ହେ ଗଜଗାମିନୀ ଆଗୋ ମଉସୁମୀ
କାହିଁ ଯେ ନ ଆସ ଧାଇଁ,
ପ୍ରଚଣ୍ଡ ରୌଦ୍ରର ଉତାପରେ ପରା
ଧରା ଏବେ ଧଇଁସଇଁ ।
ଚାତକ ପକ୍ଷୀଟା ବିକଳରେ କାନ୍ଦେ
ନ ସହି ହୁଏ ତା ଦୁଃଖ,
କେଉଁ ପ୍ରତିଶୋଧ ନେଉଛଗୋ ତୁମେ
ହଜିଲାଣି ସବୁ ସୁଖ ।
ବାର୍ଦ୍ଧକ୍ୟ ସତେକି ହୋଇଲା ପ୍ରବେଶ
ପ୍ରକୃତି ଜୀବନେ ଆଜି,
ତୁମ ବିନା ଏଠି ସବୁଜିମା ଭରା
ସୌନ୍ଦର୍ଯ୍ୟ ଯାଇଛି ହଜି ।
ଶୁଭୁନାହିଁ କାହିଁ ଘଡଘଡି ଶବ୍ଦ
ଚପଳା ନାହିଁ ଗଗନେ,
କଳା ବଉଦର ଚିହ୍ନ ବର୍ଣ୍ଣ ନାହିଁ
ପିକ କାନ୍ଦୁଅଛି ବନେ ।
ଝସ ହାରିଲେଣି ଦୁର୍ଲଭ ଜୀବନ,
ମରୁଡି ଆସୁଛି ମାଡି,
ତୁମ ବିନା ଦେଖ ଆଗୋ ମଉସୁମୀ
ଶୁଭଇ ବିକଳ ରଡି ।
ଚାଲି ଆସ ତୁମେ ଚଂଚଳାକୁ ଘେନି
ପ୍ରକୃତି ଉଠିବ ହସି,
ନାଚି ଗାଈ ସର୍ବେ ଉଲ୍ଲସିତ ମନେ
ବରିବେ ତୁମକୁ ଆସି ।
