ଆସ ଆଉଗୋଟେ ଯୁଦ୍ଧପାଇଁ ସଜବାଜ ହେବା
ଆସ ଆଉଗୋଟେ ଯୁଦ୍ଧପାଇଁ ସଜବାଜ ହେବା


ଶାନ୍ତି ଠୁ କବଚ
ପ୍ରେମ ଠୁ ରଥ ଘୋଡ଼ା ଗାଡ଼ି
ପ୍ରୀତି ଠୁ ରଥୀ ଓ ସାରଥୀ
ଅହିଂସା ଠୁ ସବୁ ମାରଣାସ୍ତ୍ର
ମୁଁ ନେଇ ଆସିଛି ।
ଆସ ଆଉ ଗୋଟେ ଯୁଦ୍ଧ ପାଇଁ ସଜବାଜ ହେବା
ଯଦି ସବୁ ଅସ୍ତ୍ରଶସ୍ତ୍ର
ସବୁ ଯୁଦ୍ଧ କଳା
ବ୍ଯୁହ ସଂରଚନା ନିଷ୍ଫଳ ହୁଏ
ନିରସ୍ତ୍ର ରହି କେମିତି ଯୁଦ୍ଧ କରିହୁଏ
ସେ କଳା ବି
ମୁଁ କୃଷ୍ଣଙ୍କ ଠୁ ଶିଖି ଆସିଛି।
ଆସ ଆଉ ଗୋଟେ ଯୁଦ୍ଧ ପାଇଁ ସଜବାଜ ହେବା
ଯୁଦ୍ଧ ବିଜେତାର ସ୍ୱାଦ
ହୁଏତ ତୁମେ ଚାଖି ନ ପାର
ପରାଜୟର ଗ୍ଲାନିରୁ ମୁକୁଳିବାର ବାଟ
ହୁଏତ ବନ୍ଦ ହୋଇଯାଇପାରେ
ଏ ପ୍ରତିଶ୍ରୁତି ଅବଶ୍ୟ ମୁଁ ଦେବି
ଯୁଦ୍ଧରେ ବଞ୍ଚିବା
ଯୁଦ୍ଧରେ ମରିବା
ନିଜ ପୃଥ୍ୱୀ ନିଜ ହାତରେ ଗଢିବା ।
ଆସ ଆଉ ଗୋଟେ ଯୁଦ୍ଧ ପାଇଁ ସଜବାଜ ହେବା
p>
ଖସି ଯାଉଥିବା
ମଣିଷଙ୍କ ପାଦ ତଳେ
ଶକ୍ତ ଚଟାଣଟେ ହେବା
ଦିଗ ହରାଇ ଥିବା ମଣିଷଙ୍କ ପାଇଁ
ଦୀପଶିଖା ହୋଇ ବାଟ ଦେଖାଇବା
ମୁଖା ପିନ୍ଧା ମଣିଷଙ୍କ ମୁଖା ଖୋଲିଦେବା ।
ଆସ ଆଉ ଗୋଟେ ଯୁଦ୍ଧ ପାଇଁ ସଜବାଜ ହେବା
ମୁଁ ଯୋଦ୍ଧା ନୁହେଁ
କି ଯୋଦ୍ଧା ପରି ମୋର ଥାଟବାଟ ନାହିଁ
ତଥାପି ମୋ ନେତୃତ୍ବ ଉପରେ
ଭରସା ରଖୁଥିବା ମୋର ସଖା ସହୋଦର
ଏବେ ସମୟ ଉପନିତ
ଚାଲ ସମୁଦ୍ର ଉପରେ
ବିଶ୍ୱାସର ସେତୁ ବାନ୍ଧିବା ।
ଆସ ଆଉ ଗୋଟେ ଯୁଦ୍ଧ ପାଇଁ ସଜବାଜ ହେବା
ହୋଇପାରେ ମହାଭାରତ ଯୁଦ୍ଧର
ଦ୍ୱିତୀୟ ସଂସ୍କରଣ
ହୋଇପାରେ ତୃତୀୟ ବିଶ୍ଵଯୁଦ୍ଧ
ହୋଇପାରେ ଭାରତ ମୁକ୍ତି ସଂଗ୍ରାମର
ଅବଶିଷ୍ଟ ଅଂଶ
ଅଧୁରା ଇତିହାସ ପୁନଶ୍ଚ ଲେଖିବା ।
ଆସ ଆଉ ଗୋଟେ ଯୁଦ୍ଧ ପାଇଁ ସଜବାଜ ହେବା ।।