ଆପେକ୍ଷିକ ସମ୍ପର୍କ
ଆପେକ୍ଷିକ ସମ୍ପର୍କ
ବହିଯାଏ କାଳ ଗର୍ଭେ ସମୟର ସଚଳ ଅବିଶ୍ରାନ୍ତ ସ୍ରୋତ
ଧୋଇନିଏ ସବୁ ସମ୍ପର୍କର ସ୍ତୂପ,ଭୂମିରୁ ଭୂମାକୁ ବିସ୍ତୃତ
ଏନ୍ତୁଡିଶାଳେ କୁଆଁ କୁଆଁ ଡାକରୁ ହିଁ ସମ୍ପର୍କର ତୂର୍ଯ୍ଯନାଦ
ସ୍ବାର୍ଥ ସଫଳତାର ଦୌଡରେ ଜଳୁଛି କି ସମ୍ପର୍କର ବାରୁଦ ।
ତ୍ଯାଗ ପ୍ରେମ ଆତ୍ମୀୟତାର ପରିପାଟୀରେ ସମ୍ପର୍କ ପରିପୁଷ୍ଟ
ବିଶ୍ବାସଘାତକର ମୃଦୁ ଦଂଶନେ ଭାଙ୍ଗେ ଆସ୍ଥାର ମଈଖୁଣ୍ଟ
ରକ୍ତସମ୍ପର୍କରେ ବି ଲୁଚିଥାଏ ବ୍ୟଭିଚାରର ଦୂଷିତ ଉତ୍ସ
ଅଜଣା ମନଟେ କିନ୍ତୁ ଆବେଗେ ଜୁଡୁବୁଡୁ ଦେବାକୁ ସର୍ବସ୍ବ ।
ପର ଆପଣାର ବଟକରାରେ ତଉଲିଲୁ ମିଛ ସମ୍ବେଦନା
ମୋହଗ୍ରସ୍ତ ଚେତନାରେ ଭୁଲିଛୁକି ମହାର୍ଘ୍ଯ ଜୀବନ ପ୍ରାର୍ଥନା
ମାନିଛୁ ଜିତିବାର ରାହାରେ ମିଳିବ ଜୀବନର ଉତ୍ତରଣ
ହେଲେ ତତ୍ତ୍ବରେ ଜିଇଁଲେହିଁ ସିନା ଅମୃତ ତୋ ଜୀବନ ମରଣ ।
ମୋହାନ୍ଧ ଛାତିରେ ଜଡାଇଧରୁ ସ୍ବଧର୍ମଚ୍ଯୁତ ରକ୍ତ ଦାୟାଦ
ବିସ୍ମୃତ କି କୁରୁ ବଂଶେ ଗାନ୍ଧାରୀର ସହସ୍ର ସାଶ୍ରୁ ଅବସାଦ
ପ୍ରେମ ସମ୍ମାନ ସହାନୁଭୂତିହିଁ ମାନବୀୟ ସେବା ମହାମନ୍ତ୍ର
ଦିବ୍ଯ ଚେତନାର ପୁଣ୍ଯ ଚରିତ୍ରେ ଭରିନେ ତୋର ଜୀବନପାତ୍ର।
ସମ୍ପର୍କକୁ ସିଡିକରି ଚଢୁ ଲୋଭ ଲାଭର ସୁଉଚ୍ଚ ପ୍ରାସାଦ
ଜିବଗଲାବେଳେ କାହିଁ ମୋକ୍ଷ ଲୋଡୁ ଢୋକିକଣେ ମହାପ୍ରସାଦ
ଦେହ ପାଲିଙ୍କିର ଏ ମେଲଣ ପରେ ବଦଳିବ ତୋ ଅବୟବ
ଭୋଗିବୁ ପ୍ରାରବ୍ଧ ନୂଆ ଜୀବନରେ ଗତ କର୍ମର ସେ ହିସାବ ।
ସମ୍ପର୍କର ଯେତେ ସଂସ୍କାର ରଚିଛୁ ବନ୍ଦୀ ତୁ ନିଜ ମୋହଫାଶେ
ବାସନା ବ୍ୟସନେ ବତୁରି ଯାଇଛୁ ଶ୍ରମଣ ବି ଶ୍ମଶାନ ବାସେ
ଅନୁଚିନ୍ତନରେ ଅନ୍ତର୍ମୁଖୀ ହୋଇ ଖୋଲିଦେ ସମ୍ପର୍କ ଶୃଙ୍ଖଳ
ଆତ୍ମାପକ୍ଷୀ ତୋର ଦିବ୍ଯ ଚେତନାରେ ଚଞ୍ଚୁ ମାରିବାକୁ ବିକଳ।
