ଆଞ୍ଜୁଳାଏ ରଙ୍ଗ
ଆଞ୍ଜୁଳାଏ ରଙ୍ଗ
ଜୀବନର ରଙ୍ଗ ଆଉ ପୃଥିବୀର ରଙ୍ଗ ବି ଅନେକ
ଏତେ ସବୁ ସତେ କେଡେ ମନୋମୟ
ବାଶବ କାର୍ମୁକ ଅଭୁଲା ରଙ୍ଗ ରୁ ଅଧିକ
ଇନ୍ଦ୍ର ଧନୁ ଏବଂ ମଣିଷ ଜୀବନ
ନୁହେଁ ଚିରସ୍ଥାୟୀ, “ହେଲେ ବି ତା ସ୍ଵାଦ ତ ଅନେକ ।।
ଆଞ୍ଜୁଳାଏ ଜୀବନକୁ ମେଞ୍ଚା ମେଞ୍ଚା ରଙ୍ଗ
କେମିତି ରଖିବି ଧରି ଆଞ୍ଜୁଳା ଭିତରେ
କ୍ଷଣେ ଆସେ କ୍ଷଣକରେ ଯାଏ ସେ ଉଭେଇ
ମାଳ ମାଳ ତରଙ୍ଗ ଯେମିତି
କ୍ଷଣକରେ ଜଳ ମଧ୍ୟେ ଯାଉଛି ମିଳେଇ ।।
ତଥାପି ଦିନେ ମୁଁ
ଆଞ୍ଜୁଳାଏ ରଙ୍ଗ ନେଇ ଗଲି ପ୍ରୀୟା ପାଶେ
ମାଗିଲା ସେ ଜୀବନ ର ରଙ୍ଗ,
ମଉଳା ପୃଥିବୀ ଏଠି ଝାଉଁଳା ଜୀବନ
କାହୁଁ ପାଇଥାନ୍ତି ସେଇ ଅଭିନବ ରଙ୍ଗ
ଆଜି ସବୁ ତ ବେଢଙ୍ଗ ।।
ତଥାପି ରଙ୍ଗିମା,ସରସ ମୋ ଧରିତ୍ରୀ ଆକାଶ
ତଥାପି ରଙ୍ଗମୟ ଅମୃତ ଅଲଭ୍ୟ ଜୀବନ
ଧୋଇଲେ ବି ଧୋଇ ହେବ ନାହିଁ ଅବଶେଷ
ରହିଯିବ,”ରହିଥିବ ସବୁ ଦିନ ।।
ଆଞ୍ଜୁଳାରେ ଆଜି ବି ମୋର ରଙ୍ଗ ଆଞ୍ଜୁଳାଏ
କ୍ଷଣସ୍ଥାୟୀ ହେଲେ ବି
ଜୀବନ ର ରଙ୍ଗ କ’ଣ କୁହ କେବେ ଧୋଇହୁଏ ?
ଅତି ସନ୍ତର୍ପଣେ କହିଲି ପ୍ରଣୟୀନୀ ବାଉଳା ବାଳା ତୁ
ଜୀବନର ରଙ୍ଗ ଦେବି ଆସ ପ୍ରୀୟା ଆସ,
ଏଇ ମୋ ଜୀବନ ରଙ୍ଗ ନିଅ ନିଅ
କୁମୁଦିନୀ ନୀଳ ନୟନା ,ନିରେଖ କି ରସମୟୀ କର ନିୟୋଜିତ,
ରସେ ପ୍ରେମେ,ଆଲିଙ୍ଗନେ ରସେ କର ସିକ୍ତ,
ଏବେ ଯାହା ଅଛି ଅବଶେଷ ।।