ଆଞ୍ଜୁଳାଏ ଅମ୍ଳଜାନ
ଆଞ୍ଜୁଳାଏ ଅମ୍ଳଜାନ
ବନ୍ଧୁତା ମିତ୍ରତା
ଅବା ଅନ୍ତରଙ୍ଗ ଆତ୍ମୀୟତା
ଚାଣକ୍ୟ ସଜ୍ଞାରେ
ଅଦୃଶ୍ୟ ଈଶ୍ବରୀୟ ସତ୍ତା ।
ମୋତେ ଲାଗେ ମିଠା- ଖଟା ଅନୁଭବର କଥା
ସୁମଧୁର ସିକ୍ତ-ତିକ୍ତ
ଏକାମୂବୋଧର ଗାଥା ।
କେବେ କେବେ ଚକ୍ ଚକ୍
ଶାରଦୀୟ ଇନ୍ଦୁ ପରି
ଦୁଃଖ - ଶୋକର ଗଗନେ
ଅପରିହାର୍ଯ୍ୟ ଆବଶ୍ୟକ
କାନ୍ଧଟିଏ ବନିଯାଏ
ଭାରାକ୍ରାନ୍ତ ମଗଜ ମଗନେ ।
ପୁଣି ବ୍ୟସ୍ତବହୁଳ
ଜୀବନଚର୍ଯ୍ୟାର ଦୋଛକିରେ
ଧାରେ ସୂର୍ଯ୍ୟାଲୋକ
ନେଇ ଆସେ
ଛଳ ଛଳ ଆବେଶରେ
ସମାଧାନ ସୂତ୍ର ପରି
ଜଡେଇ-କୁଣ୍ଢେଇ ଧରି ବସେ ।
ମୁରୁକି ହସି
ହାତ ବଢେଇ ଦିଏ
ବିଶ୍ଵସନୀୟତାର ସାହାରା
ଜନ୍ମରୁ ଜନ୍ମାନ୍ତର ଯାଏଁ
ବଳ ଦିଏ ଅନ୍ତରଙ୍ଗତାର
କଅଁଳ ଖରା ।
ସମସ୍ୟାର ଘୋର
ଅନ୍ଧାରରେ ଜଳେଇ ଦିଏ
ଆଶାର କୁଆଁତାରା
ବିବିଧ ପ୍ରସଙ୍ଗ ଜିଜ୍ଞାସା
ପାଇଁ ସାଥି ବହିଟିଏ
ଶୟନକକ୍ଷ- ସ୍ନାନାଗାର ।
କେବେ ସ୍ଵପ୍ନର
ଅସରନ୍ତି ସରଣୀ
ପ୍ରେମର ନୀଳାମ୍ବୁ ତରଙ୍ଗିଣୀ
ପୁଣି କେବେ ପ୍ରେରଣାର
ଉଲ୍ଲାସୀ ବାତାୟନୀ
ବଂଚିବାର ଅମୃତ
ସ୍ରୋତସ୍ଵୀନୀ ।
ବିଚିତ୍ରବର୍ଣ୍ଣ। ଜନ-ମାନସରେ
ମନ- ଭାବନାରେ
ମହକିତ ଫୁଲଦାନୀ
ଅହରହ ସମାଧାନର
ପେଡି ଧରି
ମଲ୍ଲିଫୁଲିଆ ହସଧାରେ
ସ୍ଵାଭିମାନୀ ।
ହେ ବନ୍ଧୁ- ବାନ୍ଧବୀ ମୋର
ସଖା- ସଖୀ ଆଗୁସାର
ହେ ସାଂଗ- ସଂଗିନୀ ମୋର
ସୋଦରୀ- ସହୋଦର ।
ପଙ୍କରୁ ହିଁ ଜନ୍ମିଥାଏ ଇନ୍ଦିବର
ସରସୀ ସୁନ୍ଦର
ସ୍ଵର୍ଗୀୟ ସମ୍ଭାର
ପଙ୍କିଳ ସତ୍ତାରୁ ଜନ୍ମୁ
ମହନୀୟ ମାନବୀୟ
ଗୁଣ -ପୁଷ୍ପ ଶିକୁଳି
ବାନ୍ଧୁ ବିଶ୍ୱାସକୁ
ସ୍ନେହ ବନ୍ଧନୀରେ ବାରମ୍ଵାର ।
ଏ ଛାର ଜୀବନ
ଚାରିଦିନର
କରେ।ନାରେ ମହାମାରୀରେ
ଭାରାକ୍ରାନ୍ତ ନାରୀ-ନର
ଶାନ୍ତିର ସନ୍ଦେଶ
ସଂପର୍କ ଗାଥା
କର ସମର୍ପିତ
ବନ୍ଧୁତ୍ୱ ପାରାବାର ।
ଉତ୍ସର୍ଗୀକୃତ କର
ଆୟ- ଆୟୁ
ଚାଲିଥିବା ଯାଏଁ ସ୍ନାୟୁ
ଛାତି ତଳ କଥା ଓ
ବତୁରା ବ୍ୟଥା ବୁଝୁଥାଅ
ଧାଉଁଥିବା ଯାଏ ବାୟୁ ।
ମହାର୍ଘ୍ଯ ସଂସର୍ଗ
ହେଉ ଶୁଭଙ୍କରୀ
ଦଳକାଏ ଅଗୁରୁ ଚନ୍ଦନ
ମନ- ମଗଜକୁ
ସଦା ମିଳୁଥାଉ
ଆଞ୍ଜୁଳାଏ ବିଶୁଦ୍ଧ ଅମ୍ଳଜାନ ।