ଆମେ ଶ୍ରମିକ ଭାଇ
ଆମେ ଶ୍ରମିକ ଭାଇ
କୋଟି ସ୍ବେଦ ବିନ୍ଦୁ ଶରୀରୁ ନିଗାଡ଼ି
ଦେଶ ମାତୃକାର ସେବା କରିବା ପାଇଁ,
ହାତେ ନିହାଣ ମଥାରେ ଝୁଡି
ମିଳିମିଶି ଯିବା ଆମେ ଶ୍ରମିକ ଭାଇ ।
ଯେତେ କିର୍ତ୍ତୀ ରାଜି ଗଢ଼ା ହୋଇ ଆଜି
ଆମରି କିରତି ଗାଉଛି ପୁଣ
ସେଇ ଭାରତରେ ଜନମ ଲଭିଣ
କୋଟି ଧନ୍ୟ ଆମେ ହୋଇଛୁ ଶୁଣ ।
ରକତକୁ ପାଣି କରିଛୁ ସଭିଏଁ
ସୁଖ ଭରିଦେଇ ସଭିଙ୍କ ମୁଖ,
ମା ମାଟି ଆଜି ସଲାମ କରୁଛି
ଆମ ଗୁଣ ଗାଉଛି ନ ହୋଇ ବିମୁଖ ।
ରୁଧିର ଆମର ବହେ ଜରଜର
ତାଳରୁ ତଳିପା ଦେଶକୁ ଯାଇ,
ସଭିଏଁ ସୁଖରେ ହସିଲେ ସତେତ
ଆମେ ପରା ଅଟୁ ଶ୍ରମିକ ଭାଇ ।
କିଛି ଆଶା ନାହିଁ ଜୀବନେ ଆମର
ଟିକିଏ ସମ୍ମାନ ପାଇବା ପାଇଁ,
ଅନ୍ତର ବେଦନା ଅନ୍ତରେ ମାରିଛୁ
କୋଟି ଜନ ସୁଖ ଦେଖିବା ପାଇଁ ।
ଚିର ସହଚର ଦୁଃଖ ତ ଆମର
ସାଥିରେ ରହିଛି କୁଣିଆ ହୋଇ,
ତଥାପି ସେ ଦୁଃଖ ଚାପି ରଖି ଆମେ
ପାଦ ବଢ଼ାଇଛୁ ମାଟି ମା ପାଇଁ ।
ଖରା ବର୍ଷା ଶୀତ କାକରକୁ ସହି
ରାତ୍ରି ଉଜାଗର ରହିଛୁ ତହିଁ,
କେତେ ସୌଧ କେତେ ମସଜିଦ କୋଠା
ଆମ ଶ୍ରମେ ଗଢ଼ା ହୋଇଛି ଯହିଁ ।
ଆଜି ଏ ସମାଜ ବୁଝେ ନାହିଁ କିଆଁ
ଶ୍ରମିକର ଦୁଃଖ ଶ୍ରମିକ ଚିନ୍ତା,
ବଡ ବାବୁ ମାନେ ଭାଗ୍ୟରେ ଜିତନ୍ତି
ଆମେ ଅଟୁ ସତେ କିମ୍ପା ଅଭାଗା ।
ଶ୍ରମଦାନ ଅଟେ ମହତ ଦାନ ତ
ଏକଥା ସୁମରି ହସାଇ ସଦା ଏ ମରତ ଭୂଇଁ
ସଦା କାଳେ କାଳେ ଶ୍ରମିକର ଗାନ ଗାଉଥାଉ
ଆମେ ପରା ଅଟୁ ଶ୍ରମିକ ଭାଇ ।
