ଆମ ପିତାମାତା ଚଳନ୍ତି ଦେବତା
ଆମ ପିତାମାତା ଚଳନ୍ତି ଦେବତା
ଆମ ପିତାମାତା ଚଳନ୍ତି ଦେବତା
କିଏ ହେବ ତାଙ୍କ ସରି ।
ଆମ ହିତ ଲାଗି ଭାବନା ତାଙ୍କର
ମନେ ରହିଥାଏ ଭରି ।୧।
ଦେବତା କହିଲେ ଆମେ ଯାହା ବୁଝୁ
ଅଦୃଶ୍ଯ ସତ୍ତା ତାଙ୍କର ।
ଆମ ପିତାମାତା ଚଳନ୍ତି ଦେବତା
ଦୃଶ୍ୟମାନ ନିରନ୍ତର ।୨।
ଦେବା ଯାର କାମ ଆଉ ବତାଇବା
ସୁବିନିଯୋଗ ତାହାର ।
ମର୍ତ୍ତ୍ୟ ମଣ୍ଡଳରେ ଦେବତା ନାମରେ
ଜାଣନ୍ତି ତାହାଙ୍କୁ ନର ।୩।
ଅଦୃଶ୍ଯ ସତ୍ତା ଦେବତାମାନେ ସିନା
ଆମ ପିତାମାତାମାନେ ।
ଚଳନ୍ତି ଦେବତା ମରତ ଧାମରେ
ଏକଥା ରଖିବ ମନେ ।୪।
କଥାକୁହା ଆମ ଚଳନ୍ତି ଦେବତା
ଜନମରୁ ମୃତ୍ଯୁ ଯାଏଁ ।
ଆମକୁ ବଢାଇ କାଖେଇ କୋଳେଇ
ଯତ୍ନ କଲେ ଶେଷ ଯାଏଁ ।୫।
ଦିନ ରାତିକୁ ସେ ଏକ କରିଦେଲେ
ଆମ ହିତ ଭାବି ଭାବି ।
କି ଭାବରେ ଆମେ ପ୍ରତିଦାନ ଦେବା
କେହି କି ପାରିବ ଭାବି ।୬।
ଆମ ଭଲ ମନ୍ଦ ଆମ ସୁଖ ଦୁଃଖ
ସାଥିରେ ସେ ହେଲେ ସାଥି ।
ଢାଳି କୃପା ବାରି ଦୋଷ କ୍ଷମା କରି
ଆମ ହିତ କଲେ ନିତି ।୭।
ଆଶିଷର ଧାରା ଆମରି ଉପରେ
ଢାଳିଲେ ସେ ନିରନ୍ତର ।
ସରଗଠୁ ବଡ ପିତା ଧରଣୀଠୁ
ବଡ ସିନା ମାତା ମୋର ।୮।
ଆମ ପିତାମାତା ଚଳନ୍ତି ଦେବତା
ସେ କଥା କୁହା ଠାକୁର ।
ତାଙ୍କ ପାଦଧୂଳି ମୁଣ୍ଡେ ହୋଇ ବୋଳି
ସେବିବା ତାଙ୍କ ପୟର ।୯।
