ଆକାଶକୁ ମାଗିଥିଲି
ଆକାଶକୁ ମାଗିଥିଲି
ଆକାଶକୁ ମାଗିଥିଲି ରୂପା ଜହ୍ନ ଟିଏ
ଜହ୍ନକୁ ବି ମାଗିଥିଲି ଜୋଛନା ମୁଠାଏ
ହେଲେ କେହି ଦେଲେ ନାହିଁ
ଜହ୍ନ କି ଜୋଛନା
ଫୁଲ ଦେବେ କହି ଦେଲେ
କଣ୍ଟାର ଯାତନା
ଫଗୁଣକୁ କହି କହି
ଥକି ଗଲି ଦେଲା ନାହିଁ
ବସନ୍ତର ପିଆଲା ରେ ମନ ଲାଖି ପ୍ରିୟା ଟିଏ
ଆକାଶକୁ ମାଗିଥିଲି......
ସୂରୁଜକୁ ମାଗି ଥିଲି ଉଷାର ଆଲୋକ
ବଗିଚାକୁ ମାଗି ଥିଲି ଫୁଲର ମହକ
ଜହ୍ନରେ କଳଙ୍କ ଥାଇ
ଆଦର ପାଉଛି
ଏତେ କଥା ସହି ରାଇ
କାହ୍ନୁକୁ ଝୁରୁଛି
ହେଲେ କିଆଁ ପାଉ ନାହିଁ
ସାଥି ପ୍ରୀତି ନିଜ ପାଇଁ
ଶ୍ରାବଣ ନଥାଇ ମେଘ ଲୁହ ହେଇ ଝରିଯାଏ
ଆକାଶକୁ ମାଗି ଥିଲି....
ବରଷାକୁ କହି ଥିଲି ଧୋଇବାକୁ ଦୁଃଖ
ଅନ୍ଧାରକୁ କହି ଥିଲି ଢାଙ୍କିବାକୁ ମୁଖ
ନିଜକୁ ମୁଁ ବୁଝେଇଲି
କରିବୁନି ଆଶା
ମରୀଚିକା ପଛେ ଧାଇଁ
ହେବୁ ଲୋକ ହସା
ତଥାପି କାହିଁକି ଭାବେ
ସାଥି ମିଳି ଯିବ କେବେ
ଭାବି ଭାବି ବିଷାଦର ନଈ କୂଳେ ଶୋଇ ଯାଏ
ଆକାଶକୁ ମାଗିଥିଲି।