ଆକାଶ କଇଁଆ ଚିଲିକା ମାଛ
ଆକାଶ କଇଁଆ ଚିଲିକା ମାଛ
ଜୀବନେ ଆସଇ ଏମିତି ବି ସ୍ବପ୍ନ
ଯାହା ଅଟେ ଅବାଂଛିତ,
ବୃଥାରେ ସମୟ ନଷ୍ଟ ହୋଇଥାଏ
ଅପୂର୍ଣ୍ଣରେ ଅଭିଳାଷ |
ବିନା ସତକର୍ମେ ସମ୍ମାନ ଖୋଜିଲେ
ମୁକୁଟ ମିଳିବ କାହିଁ,
ମାଙ୍କଡ଼ ହାତରେ ଶାଳଗ୍ରାମ ଦେଲେ
ପୂଜା ତ ହୋଇବ ନାହିଁ |
ପଙ୍ଗୁ ଯେବେ ଚାହେଁ ପର୍ବତ ଲଙ୍ଘିବ
ହାଡ଼ ଗୋଡ଼ ହେବ ଚୁନା,
ସିଜୁ ବୁଦା ଛାଡି ଏଣ୍ଡୁଅକୁ ପରା
ଭାଲୁ କୋରଡକୁ ମନା |
ସପନରେ ଦେଖି ରାଜାର ମୁକୁଟ
ପିନ୍ଧିବାକୁ ଯେବେ ମନ,
ଚିତ୍ରାଳୟୁ କିଣି ପିନ୍ଧିଲେ ମସ୍ତକେ
ହସିବେ କେବଳ ଜନ |
ଭିକ୍ଷା ମାଗି କେହି ପ୍ରାସାଦ ଗଢି ଯେ
ଇଛା ରାଜା ହେବାପାଇଁ,
ମର୍ତ୍ତ୍ୟରେ ଜନମି ଇନ୍ଦ୍ର ରାଜପଦ
ସରଗେ ମିଳିବ ନାହିଁ |
ଅବାସ୍ତବ ସ୍ବପ୍ନ ସାଉଁଟି ସାଉଁଟି
ଚାଲିବାକୁ ନୁହେଁ ମନା,
କିନ୍ତୁ କେବେ ବି ତ ଜୀବନେ ସାଉଁଟା
ମାଟି ହେବନାହିଁ ସୁନା |
ପର ମୁକ୍ତା ଦେଖି ଗୋଟାଇବ ଯଦି
ନଦୀରୁ ରଙ୍ଗ ପଥର,
ଘରେ ରଖି ଖାଲି ଦେଖୁଥିବ ନିତି
ହେବନାହିଁ ସୌଦାଗର |
କୁହୁଡିକୁ ଭାବି ଅନନ୍ତ ସାଗର
ପହଁରିବା ଇଛା କଲେ,
ପକ୍ଷୀରାଜ ପରି କାଗଜର ଡେଣା
ଉଡ଼ିବ କି ଲଗାଇଲେ ।
ଅବାସ୍ତବ ଇଛା କରି କେହି କେବେ
ପାଇନାହିଁ ସଫଳତା,
ଆକାଶ କଇଁଆ ଚିଲିକାର ମାଛ
ରନ୍ଧାଖାଦ୍ୟ ବୃଥା ଆଶା |

