ଆଜିର ସମ୍ପର୍କ
ଆଜିର ସମ୍ପର୍କ
ସମୟ ସହିତ ସମ୍ପର୍କ ବଦଳେ
ସମ୍ପର୍କର ମୋଡ଼ ବଦଳି ଯାଏ ,
ସ୍ମୃତି ମଥାପିଟେ ଜୀବନ୍ତ ହେବାକୁ
ଆୟୁତ ସ୍ୱପ୍ନକୁ ସାଉଁଟି ଥାଏ ।
ପ୍ରତିଶ୍ରୁତି ସବୁ ପ୍ରତାରଣା ପୁର୍ଣ୍ଣ
ଭଲ ସମ୍ପର୍କରେ ଛଳନା ଭରେ ,
ସମ୍ପର୍କ ଭିତରେ ସ୍ୱାର୍ଥ ଲାଳସାରେ
ନିବିଡ ଦେଖଣା ଭାବ ନସରେ ।
ସ୍ୱାର୍ଥଭରା ମାୟା ଛାଇଯାଏ ଯାହା
ପ୍ରହେଳି ଭାବରେ ବୁଝି ହୁଏନି ,
ବାସ୍ତବତା ଯେବେ ସମ୍ମୁଖରେ ଆସେ
ମଧୁର କ୍ଷତର ଲୁହ ଶୁଖେନି ।
ଭାଙ୍ଗି ଭାଙ୍ଗି ଯାଏ ଧର୍ମ ବନ୍ଧ ବାଡ଼
ମନରେ ଭରେ ଅଶାନ୍ତି ନୈରାଶ୍ୟ ,
ବିବର୍ଣ୍ଣ ବଳୟେ ଧୂସର ରଙ୍ଗରେ
ରଙ୍ଗହରା ହୁଏ ବଚନ ଭାଷ୍ୟ ।
ପିୟୁଷରେ ବିଷ ବୁଝି ହୁଏନାହିଁ
ସରସତା ଲିଭେ ସମୟ ଧାରେ ,
ପ୍ରୀତି ରଙ୍ଗ ସବୁ ଫିକା ପଡ଼ିଯାଏ
ସମ୍ପର୍କ ହଜଇ ଅମାପ ଦୂରେ ।
ଏଇତ ଆଜିର ସମ୍ପର୍କର ଭାଷା
ମମତାର ମହା ପବିତ୍ର ଧାରା ,
କୃତଘ୍ନ ହୁଅଇ କୃତଜ୍ଞତା ଭାବ
ତ୍ୟାଗର ତୀର୍ଥରେ ଆଦର୍ଶ ପରା ।
