ଆଜିର ରାବଣଗୋଷ୍ଠୀ
ଆଜିର ରାବଣଗୋଷ୍ଠୀ
ଥିଲା ଏକ ରାବଣ ଯାହା ଭିତରେ
ଅହଙ୍କାର ଥିଲା
ତା ମନରେ ମଧ୍ୟ ଅନୁତାପ କରିବାର
ଶକ୍ତି ବି ଥିଲା ।
ସେଇ ରାବଣ ଭିତରେ ପୁରି ରହିଥିଲା
କାମୁକତା
ସାମର୍ଥ୍ୟ ତ ଭରି ରହିଥିଲା କିନ୍ତୁ ତାର
ସଂଯମତା ।
ଅପହରଣ କରି ନେଇଥିଲା ବିବାହିତ
ସ୍ତ୍ରୀ ସୀତାଙ୍କୁ
ସଂକଳ୍ପ ମଧ୍ୟ ଥିଲା ସ୍ପର୍ଶ କରିବନି ସେ
ବିନାନୁମତିରେ ପର ସ୍ତ୍ରୀକୁ ।
ଚାଲ ଏବେ ଯିବା ଦୁର୍ଗା ମଣ୍ଡପ ଗୁଡିକୁ
ତଦାରଖ କରିବାକୁ
ଦୁଃଖ ଲାଗେ, ପାଇବା ଦୁର୍ଗା ପୂଜା ନାମେ
ଚାନ୍ଦା ଆଦାୟକାରୀଙ୍କୁ ।
ରାଜନୀତି କାର୍ପଟଦାର ମାନେ ସେମାନ
ଙ୍କୁ ହାତେଇଛନ୍ତି
ଭୋଟ ଯୋଜନାରେ, ମଦତ୍ ପାଆନ୍ତି
ଗୁଣ୍ତା ଟୋକାଶକ୍ତି ।
ବର୍ଷକୁ ପାଂଚ ଥର ଠାକୁର ମୂରତିକୁ
ଭସାଣୀ ନାମରେ
ମଦ ମାଂସ ଖାଇ ଉତ୍ପାତ କରନ୍ତି
ସାଧାରଣ ମଣିଷ ଉପରେ ।
ଜୁଲମ ଚାନ୍ଦା ପଇସାରେ, ଡି. ଜେ.
ବଜାନ୍ତି ଦିନ ଦିନ ଧରି,
ନିଶାରେ ସବୁଗୁଡା ଚୁର, ଶୋଇ
ହୁଏନି ସ୍ତ୍ରୀ ପିଲାଛୁଆ ଧରି ।
ଲଜ୍ୟାକୁ ଭୟ, ଆଦାୟକାରୀଙ୍କ
ଅସଦାଚରଣକୁ ବି ଡର
ବହୁ କାମୁକ ଅପହରଣକାରୀ ସୃଷ୍ଟି
ହୁଅନ୍ତି ଏଇ ଦେଶ ଭିତର ।
ଏବେର ରାବଣ ଗୁଡାଙ୍କ ଭିତରେ
ଭରି ରହିଛି ଅହଙ୍କାର
ମନରେ କିନ୍ତୁ ଶକ୍ତି ନାହିଁ ସେମାନଙ୍କ
ଅନୁତାପ କରିବାର ।
ଏବେର ରାବଣ ଭିତରେ ପୁରି ରହିଛି
ନିଶା ଓ କାମୁକତା
ସଂଯମତା ସାମର୍ଥ୍ୟ କୁଆଡୁ ଆସିବ
ହରାଇଛନ୍ତି ମନୁଷ୍ୟତା ।
ଅପହରଣ କରି ନେଉଛନ୍ତି ଅବଳା
ନିର୍ବଳା ଏକଲା ନାରୀଙ୍କୁ
ଛାଡନ୍ତିନି ତିନି ଚାରି ବରଷର କନ୍ୟାରତ୍ନ
ଅବା ବିବାହିତ ସ୍ତ୍ରୀଙ୍କୁ ।
ନାହିଁ ପବିତ୍ରତା, ଛୁରୀ ଭୂଜାଲିର ମାଡ
କାହାକୁ ଡରିବୁ କେତେ
ସବୁ ତ ହୋଇଛନ୍ତି ସରକାରୀ ଦଳିଆ
ଆଇନ ତାଙ୍କରି ହାତେ ।
ହେ ସବୁ ଧରମ ପ୍ରବଚକ ଅବତାର ବୋଲି
କହି ବୁଲୁଛ ନିଜକୁ
ଭକ୍ତ ଠୁଳେଇକି ଭାଗ ନେଉଛ, ଉତ୍ତର ଦିଅ
କେତେ ଦିନ କାବୁ କରିବ ଆମକୁ ।
