STORYMIRROR

Etishree Jana

Inspirational

3  

Etishree Jana

Inspirational

ଆଜିର ଭାରତ

ଆଜିର ଭାରତ

1 min
205

ମୁକ୍ତ ଆକାଶରେ ଲହରେ ତ୍ରିରଙ୍ଗା

କେଡେ ଗୌରବର କଥା

ସ୍ୱାଧୀନ ଦିବସେ ସ୍ୱାଧୀନ ଭାବରେ 

ଗାଏ ଗୌରବର ଗାଥା।


ତିନି ରଙ୍ଗର ପ୍ରତୀକ ଭାବେ

ରହିଅଛି ତିନି କଥା

ତ୍ୟାଗ-ଶାନ୍ତି-ସତ୍ୟ ରକ୍ଷଣା ପାଇଁ

ଦିଏ ସେ ନୂତନ ବାର୍ତ୍ତା।


ବାର୍ତ୍ତା ପାଇ ଯେବେ ନ୍ୟାୟାଳୟ ସବୁ

ବାନ୍ଧି ରଖେ ଅନ୍ଧ ପୁଟୁଳି

କି ଲାଭ ହୋଇଲା ସ୍ୱାଧୀନତା ପାଇ

ଯେବେ କାନ୍ଦିଉଠେ କୁହୁଳି।


ସତ୍ୟର ମୈତ୍ରୀ ବିଜୟର ଗାଥା

ଗାଉଅଛି ପୁରା ସଂସାର

ଶାସକ ଏଠି ଶୋଷକ ସାଜିଛି

ବିଷ ପିଏ କୃଷକ ଆମର।


ତୁଚ୍ଛା ଭାଷଣରେ ଦିବସ ସରୁଛି

ଦେଇ ମିଛ ଆଶ୍ୱାସନ

ପବିତ୍ର ତ୍ରିରଙ୍ଗା ନିକଟେ ଗାଆନ୍ତି

ଜାତୀୟ ସଙ୍ଗୀତର ଗାନ।


ସୀମା ନିକଟରେ ବୀର ସୈନିକ

ଢାଳୁଛି ଅମୂଲ୍ୟ ରକତ

ସୀମା ଭିତରେ ଶାସକ ସାଜି

କରୁଛି ରକତ-ପାତ।


କନ୍ୟାରତ୍ନ ଆଜି ଅଭିଶପ୍ତ ସାଜି

ଲୁଚିରହେ ଘର କୋଣରେ

ବୃଦ୍ଧ-ବୃଦ୍ଧା ସବୁ ପଥଶୂନ୍ୟ ହୋଇ

ବାସ କରେ ବୃଦ୍ଧାଶ୍ରମରେ।


ମାତୃଭାଷା ଛାଡି ବିଦେଶୀ ଭାଷାରେ

ଜ୍ଞାନ ଆହରଣ କରି

ଚାକିରୀ ଆଶାରେ ଏଣେ ତେଣେ ବୁଲି

ଯୁବପିଢି ଆଜି ବେକାରୀ।


ଉଜୁଡା ଦେଶକୁ ସଜାଡି ପାରିବ

ଦିଅ ପ୍ରଭୁ ଗୁଣୀ ପୁରୁଷ

ଦେଶ ମାତୃକାର ସନ୍ତାନ ସାଜି

ଦୂର କର ସବୁ କ୍ଳେଶ।


ନୂତନ ଦିବସେ ନୂତନ ପ୍ରଭାତେ

ଭାରତ ମାତାର କୋଳେ

କୋଟି କୋଟି ଜନ ମିଳିତ ହୁଅନ୍ତୁ

ତ୍ରିରଙ୍ଗା ପତାକା ତଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational