ଆଜି ତ ରଥ ଯାତରା
ଆଜି ତ ରଥ ଯାତରା
ଘୋଷଯାତ୍ରା ହୁଏ ଆସିଲେ ଆଷାଢ
ଶୁକଳ ଦ୍ୱିତୀୟା ତିଥି
ଚତୁର୍ଦ୍ଧାମୂରତି ତିନୋଟି ରଥରେ
ଗୁଣ୍ଡିଚାଘର ଚଳନ୍ତି ।
ନବଦିିନ ଯାତ୍ରା କୁହାଯାଏ ଏହା
ରଥଯାତ୍ରା କେ କହନ୍ତି
ନିତ୍ୟଲୀଳା ଏହା ଜଗନ୍ନାଥଙ୍କର
ପତିତଙ୍କୁ ନିସ୍ତାରନ୍ତି ।
ପତିତପାବନ ଯାତ୍ରା ଶ୍ରୀଗୁଣ୍ଡିଚା
କହନ୍ତି ଏ ଯାତରାକୁ
ନୀଳାଚଳଧାମ ଭକ୍ତମୟ ହୁଏ
ଏ ଯାତରା ଦେଖିବାକୁ ।
ସୁସଜ୍ଜିତ ଥାଏ ତିନିଗୋଟି ରଥ
ଗୁଣ୍ଡିଚା ଯାତ୍ରା ଆଗରୁ
ଧାଡି ପହଣ୍ଡିରେ ଆସନ୍ତି ଠାକୁରେ
ଶୀରିମନ୍ଦିର ଭିତରୁ ।
ବାଜେ ଘଣ୍ଟ ଘଣ୍ଟା କାହାଳୀ ମର୍ଦ୍ଦଳ
ଶୁଭୁଥାଏ ମୁଖରାବ
ସୁଦର୍ଶନଙ୍କର ପହଣ୍ଡି ପ୍ରଥମେ
ତାହାପରେ ବଳଦେବ ।
ସୁଭଦ୍ରା ମାଆଙ୍କ ପହଣ୍ଡି ଉତାରୁ
ଆସନ୍ତି ଶ୍ରୀଜଗନ୍ନାଥ
ଝୁଲଇ ଟାହିଆ ଫୁଲି ଉଠେ ହିଆ
ଦରଶନେ ରଥଯାତ ।
ତାଳଧ୍ଵଜ ରଥେ ବିଜେ ବଳଭଦ୍ର
ସୁଭଦ୍ରା ଦର୍ପଦଳନ
ରଥରେ ବିଜୟ ତାଙ୍କ ସନ୍ନିଧାନେ
ବିଜୟ ସୁଦରଶନ ।
ନନ୍ଦିଘୋଷ ରଥେ ବିଜେ ଜଗନ୍ନାଥ
ଗଜପତି ମହାରାଜା
ଛେରାପହଁରା ସାରିଲେ ରଥଟଣା
ଆସଇ ବହୁତ ମଜା ।
ଗଡି ଗଡି ରଥ ବଡଦାଣ୍ଡେ ଯାଏ
ରଥ ପଥ ଏକାକାର
ଯହିଁ ଦେଖ ତହିଁ ମାଳ ମାଳ ଲୋକ
ଶୁଭେ ଜୟ ଜୟକାର ।
ରଥ ଲାଗିଯାଏ ଗୁଣ୍ଡିଚାମନ୍ଦିରେ
ସାତଦିନ ପୂଜାପାଇ
ବାହୁଡା ଯାତରା ହୁଏ ପ୍ରଭୁଙ୍କର
ରଥ ବାହୁଡି ଆସଇ ।
ବାହୁଡା ଦଶମୀ ବାହୁଡିବା ବେଳେ
ମାଉସୀ ମା ଅର୍ଦ୍ଧାସନୀ
ପୋଡପିଠା ଦେଇ ତୋଷନ୍ତି ଠାକୁରେ
ରଥ ଟଣାହୁଏ ପୁଣି ।
ଶ୍ରୀନହରଠାରେ ଲକ୍ଷ୍ମୀନାରାୟଣ
କଳି ଅନୁଷ୍ଠିତ ହୁଏ
ରଥର ଉପରେ ଏକାଦଶୀ ଦିନ
ସୁନାବେଶ ହୋଇଥାଏ ।
ତହିଁ ପରଦିନ ଅଧରପଣାର
ହୋଇଥାଏ ଆୟୋଜନ
ନୀଳାଦ୍ରି ବିଜୟ କରିଥାନ୍ତି ପ୍ରଭୁ
ଘୋଷଯାତ୍ରା ଶେଷଦିନ ।
ବାରମାସେ ତେର ଯାତ୍ରା ପ୍ରଭୁଙ୍କର
ଶ୍ରେଷ୍ଠ ଏ ରଥ ଯାତରା
ମାନବୀୟ ଲୀଳା ଜଗନ୍ନାଥଙ୍କର
ମହାନ ଏ ପରମ୍ପରା ।
