ଆଜି ଏଇ ସାଧାରଣତନ୍ତ୍ର ଦିବସେ
ଆଜି ଏଇ ସାଧାରଣତନ୍ତ୍ର ଦିବସେ
ଜାନୁଆରୀ ଛବିଶରେ ଫରଫର ହୋଇ ଉଡେ
ତ୍ରିରଙ୍ଗା ଉଡଇ ସାରା ଭାରତବର୍ଷେ
ଭାରତମାତାର ଜୟ ଜାତୀୟ ସଂଗୀତେ ଲୟ
'ବନ୍ଦେ ମାତରମ୍' ଗାନକରେ ହରଷେ
ସାଧାରଣ ତନ୍ତ୍ର ଦିବସେ
କେତେ ଆଶା ଉଦ୍ଦୀପନା ଜାଗେ ମାନସେ |
ସାର୍ବଭୌମ ଗଣତନ୍ତ୍ର ଧର୍ମ ନିରପେକ୍ଷ ତନ୍ତ୍ର
ସମାଜବାଦର ରାଷ୍ଟ୍ର ଭାବେ ଭାରତ
ଆଗେଇଲା ଆଉ ଏକ ପାଦ ଦୂରତା ଆଗକୁ
ଦେଶେ ଗଣତନ୍ତ୍ର ସଫଳତା ସହିତ
ପାଦରେ ପାଦକୁ ମିଳାଇ
କାନ୍ଧକୁ କାନ୍ଧ ମିଶାଇ ଯିବା ଆଗେଇ |
ହିନ୍ଦୁ ଜୈନ ମୁସଲ୍ମାନ ବୌଦ୍ଧ ଅବା ଖ୍ରୀଷ୍ଟିୟାନ
ସଭିଙ୍କୁ ସମାନ କହଇ ସମ୍ବିଧାନ
କଳା ଗୋରା ଉଚ୍ଚ ନୀଚ୍ଚ ସବୁ ଜାତି ସବୁ ଧର୍ମ
ଯେଉଁଠି ଥାଉ ପଛକେ ତା ବାସସ୍ଥାନ
ସକଳେ ଅଟନ୍ତି ସମାନ
ସଭିଙ୍କର ଅଧିକାର ଅଟେ ସମାନ |
ନାରୀ ପୁରୁଷ ସରବେ ଲଭନ୍ତି ସମାନ ଭାବେ
ସ୍ୱାଧୀନେ ସ୍ୱଚ୍ଛନ୍ଦେ ବଞ୍ଚିବା ଅଧିକାର
ନାହିଁ ଉଚ୍ଚ ନୀଚ୍ଚ ଭେଦ ଜାତି ଧର୍ମର ବିବାଦ
ନାହିଁ ଏଠି ସ୍ଥାନ ଶୋଷଣ କଷଣର
ସାମ୍ୟତା ଐକତ୍ବ ବିଧାନ
ଗଣତନ୍ତ୍ର ଶାସନରେ ରହିଛି ଜାଣ |
ଆଜିର ପବିତ୍ର ଦିନେ କରିବା ପ୍ରତିଜ୍ଞା ମନେ
ରଖିବା ଦେଶରେ ଶାନ୍ତିପୂର୍ଣ୍ଣ ସଦ୍ଭାବ
ଏ ଦେଶର ଅଖଣ୍ଡତା ଦୃଢ ଜାତୀୟ ଏକତା
ରଖିବାନି ଜାତି ଧର୍ମ ବିଭେଦ ଭାବ
ଗଣତାନ୍ତ୍ରିକ ଅଧିକାର
ପାଇ ଖୁସିହେବେ ଏଠି ସକଳ ନର |
ତିଷ୍ଠି ରହୁ ସମ୍ବିଧାନ ତଦନୁଯାୟୀ ଶାସନ
ଗଣଦ୍ୱାରା ଗଣପାଇଁ ଗଣ ଶାସନ
ସର୍ବେ ହେବା ସଚେତନ ହଟୁ ଦୁର୍ନୀତି ଶୋଷଣ
ଭ୍ରଷ୍ଟାଚାର ନିର୍ଯ୍ୟାତନା ସର୍ବ କଷଣ
ସାବ୍ୟସ୍ତ କରି ଅଧିକାର
ପାଳନ କରିବା କର୍ତ୍ତବ୍ୟ ସକଳର |
