STORYMIRROR

Jyotsnarani Panda

Inspirational

4  

Jyotsnarani Panda

Inspirational

ଆଜି ଏ ସାଧାରଣତନ୍ତ୍ର ଦିବସେ

ଆଜି ଏ ସାଧାରଣତନ୍ତ୍ର ଦିବସେ

1 min
388

ଜାଗରେ ଜାଗରେ ହେ ସିଂହ ଶାବକ 

  ଦେଖାଅ ଶୌର୍ଯ୍ୟ ବୀର୍ଯ୍ୟ 

ତୂର୍ଯ୍ୟନାଦ ଶୁଭୁ କୋଣ ଅନୁକୋଣେ 

 ପ୍ରକାଶୁ ଚେତନା ସୂର୍ଯ୍ୟ ।। 


ଜାତି ଧର୍ମ ଭେଦ ନ କରି ବିବାଦ 

  ସଙ୍ଗଠନେ ବଳୀୟାନ 

ପଛଘୁଞ୍ଚା ଭୀରୁ କାପୁରୁଷ ପଣ 

 କାଢ଼ି ହୁଅ ତେଜୀୟାନ ।। 


ଗଗନ ପବନ ପ୍ରକମ୍ପିତ ହେଉ 

  ଏକତା ସଂହତି ମନ୍ତ୍ରେ 

ହିମାଚଳଠାରୁ କୁମାରୀକା ଯାଏଁ

  ମୈତ୍ରୀର ମାନଚିତ୍ରେ ।। 


ଚିର ନିର୍ଭୟ ଓ ଚିର ଦୁର୍ଜୟ ହେ 

 (ଆମେ) ଦୁର୍ଗମ ପଥର ଯାତ୍ରୀ 

ଶକ୍ତ କରିଲେ ମାଂସପେଶୀ ହଟେ 

 ଘନ ତମିସ୍ରାର ରାତ୍ରୀ ।। 


କ୍ରାନ୍ତି ଫେରିଛି ଯେବେ ଏ ମାଟିରେ 

  ଵୋହିଛି ଶୋଣିତ ଧାର 

ମୁକ୍ତି ମଶାଲ ଜଳାଇ ଯବାନ 

 ଚିତାରେ ତା' ଶେଷ ସ୍ୱର ।। 


ଯଜ୍ଞକୁଣ୍ଡର ପବିତ୍ର ଅଗ୍ନିରେ 

 କୁତ୍ସିତ ଭାବନା ଜାଳି 

ମାତୃଭୂମି ପାଦ ପୂଜାର୍ଚ୍ଚନା ପାଇଁ 

 ଵାଢି ଦେଵା ଅର୍ଘ୍ୟଥାଳି ।। 


ପୂର୍ବ ସୂରୀଙ୍କର ତ୍ୟାଗ ବଳିଦାନ 

 ଉଜ୍ଜୀବିତ ରହୁ ହୃଦେ 

ଶେଷ ରକ୍ତଵିନ୍ଦୁ ଥିବାଯାଏଁ କେବେ

  କ୍ଲାନ୍ତି ନ ଆସୁ ଯେ ପାଦେ ।। 


ବଜ୍ର ଶପଥ ନିଅ ଆର୍ଯ୍ୟ ସୁତ 

 ଧମନୀରେ ଅଗ୍ନି ଛୁଟୁ

କଣ୍ଠରେ ଭୈରଵ ଗର୍ଜନ ତୋଳିଲେ 

 ଶତ୍ରୁ ଦୂରକୁ ହଟୁ ।। 


ଯୁଗକ୍ରାନ୍ତିର ଏ ସନ୍ଧିକ୍ଷଣେ ମନେ 

 ଅଦ୍ଭୁତ କମ୍ପନ ଜାଗୁ 

ନବଦିଗନ୍ତର ଘୂର୍ଣ୍ଣିଝଡ ଉଠୁ

  ମାଟି ମାଆ ସୁଖ ଭୋଗୁ ।। 


ଜନନୀ ଚିନ୍ମୟୀ ସେ ଜଗନ୍ମୋହିନୀ 

  ଅମୃତମୟୀ ସେ ମାଆ 

ସନ୍ତାନ ପାଇଁ ସେ ଜାଗ୍ରତ ପ୍ରହରୀ 

  ଶତୃ ପାଖେ ପାତେ ହିଆ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational