ଆଜି ଆକାଶରେ ଜହ୍ନ ନାହିଁ
ଆଜି ଆକାଶରେ ଜହ୍ନ ନାହିଁ
ପୁନେଇଁ ତିଥିରେ କାଲି ହସୁଥିଲା
ଆକାଶରେ ପୂର୍ଣ୍ଣ ଜହ୍ନ,
ଆଜି ଆକାଶରେ ଜହ୍ନ ନାହିଁ ବୋଲି
ପ୍ରତିପଦା ମାରେ ମନ ।
ମୋ ପ୍ରିୟା ମନ ବି ବିରସେ ଭରିଛି
ପ୍ରତିପଦା ଅନ୍ଧାରରେ,
ଦ୍ଵିତୀୟା ତିଥିରେ ପ୍ରିୟା ମୋ ହସିବ
ପ୍ରୀତିଭରା ଅଭିସାରେ ।
ଆକାଶରେ ଆଜି ଜହ୍ନ ନାହିଁ ବୋଲି
ମନ ମାରେ କୁମୁଦିନୀ,
ମୋ ପ୍ରିୟା ଠାରୁ ସେ ଅଧିକ ଦୁଃଖିନୀ
କୃଷ୍ଣପକ୍ଷେ ବିରହିଣୀ ।
ଆକାଶରେ ଆଜି ଜହ୍ନ ନାହିଁ ବୋଲି
ସାଗରେ ଜୁଆର ନାହିଁ,
ମୋ ପ୍ରେମ ସାଗରେ ପ୍ରିୟା କିନ୍ତୁ ଖେଳେ
ପ୍ରୀତି ଜୁଆରିଆ ହୋଇ ।
ଆଜି ଆକାଶରେ ଜହ୍ନ ନାହିଁ ବୋଲି
କାମନା ଯାଇନି ସରି,
କଳା ରଜନୀର ଦେହରେ ହୋଇଛି
ସବୁ ରଙ୍ଗ ପରା ଭରି ।

