ଆହେ ପ୍ରଭୁ ଚକାଡୋଳା
ଆହେ ପ୍ରଭୁ ଚକାଡୋଳା


ଭକ୍ତସମୁଦ୍ରରେ ଗଡୁଥିଲା ରଥ
ଭକ୍ତ ଗହଳିରେ ହସୁଥିଲା ପଥ
ଭକତ ର ଭାବେ ଭକତ ଅଭାବେ
ଗଡିବ ତୁମର ରଥ କେଉଁ ଭାବେ
ସବୁ ତୁମ ଲୀଳା ଆହେ ଚକାଡୋଳା
ଧନ୍ୟ ଧନ୍ୟ ରେ ଉପରବାଲା !
ତୁମ୍ଭ ଭକ୍ତଜନ କଲେ ନିବେଦନ
ଭକ୍ତବଂଧୁ ବୋଲି ବୁଝିଲ ତ ମନ
ଭକତ ଶରଧା ଜଗତ କଲ୍ୟାଣ
ସିଦ୍ଧି ପାଇଁ କେତେ ମାୟାର ଭିଆଣ
କରି, ହେ ପ୍ରଭୁ ଚକାନୟନ
ଦେଉଅଛ ଦରଶନ ।
ଭକ୍ତ ହରିବୋଲ ସାଙ୍ଗେ ହୁଳହୁଳି
ଘଣ୍ଟ ଶଙ୍ଖ ନାଦେ ପଡୁଥିଲା ଉଛୁଳି
ବଡ଼ଦାଣ୍ଡୁ ତୁମ ଉଠି ଜୟଘୋଷ
କମ୍ପୁଥିଲା ନାଦେ ସାରା ଆକାଶ
ହେଲେ ଆଜି ଏ ବିଚିତ୍ର ଲୀଳା
ଶୁନ୍ୟ ବ୍ରହ୍ମ ନାଦେ ଜଗତ ଦେଖିଲା ।
ବିଶ୍ଵ ଦରଶନେ ଆଉ ନକରି ହେଳା
ବଞ୍ଚାଅ ବଞ୍ଚାଅ ପ୍ରଭୁ ଭେଳା
ନହେଲେ ଏ ଜଗତ ବୁଡିଗଲା !
ସୃଷ୍ଟିକୁ ଦେଖ ମହାମାରୀ ଗ୍ରାସକଲା
ରକ୍ଷାକର ତୁମ ସଂସାର ଭାସିଗଲା ,
ବିଶ୍ଵନିୟନ୍ତା ଆହେ ପ୍ରଭୁ ଚକାଡୋଳା !