ଆଗୋ ମୋର ଅପ୍ସରୀ
ଆଗୋ ମୋର ଅପ୍ସରୀ
ମନକୁ ତୋହର ପଢ଼ି ପାରନ୍ତିକି
କେତେ ଭଲ ପାଉ ମୋତେ ।
ମୁଁ ତୋର ହୃଦୟେ ଅଛି କି ନଅଛି
ଭାବି ଭାବି ଦିନ ବିତେ ।
ବିଜନ ବେଳର, ମୁହୁର୍ତ୍ତେ ମିଳେନା
କହି ବାକୁ ମନ କଥା
ଲାଗେ ମୁଁ ଦୂରର ଦ୍ଵିତୀୟା ଜହ୍ନଟେ
ତୁ ନୀଳକଇଁ ଅନିନ୍ଦିତା ।
ସଞ୍ଜ ଗଲେ ନଇଁ ଚାନ୍ଦ ଆସେ ଉଇଁ
ସରସୀରେ ଫୁଟେ କଇଁ
ଚାହିଁ ରହିଛି ମୁଁ ଆଶାରେ ପ୍ରିୟା ଗୋ
ହୃଦୟ ଝରକା ଫେଇ ।
ବଉଳ ଫୁଲର ବାସ୍ନାରେ ଭ୍ରମର
ଖୋଜି ବୁଲୁଥିଲା ମହୁ
ମଳୟ ପବନ ଶିରି ଶିରି ବହେ
ଆନ ମନା ହୁଏ ମୁଁ ।
ଦୂରେ ଥାଏ ଦେହ, ମନ ତୋ ପାଖରେ
କାୟା ସାଥେ ଛାୟା ପରି
ଚାହେଁନା କିଛିମୁଁ ତୋର ମନ ଛଡ଼ା
ତୁ ମୋର ସପନ ପରୀ ।
ପାଦ ତଳେ ତୋର ଫୁଲ ରଖି ଦେଵି
ବାହୁ ମୋ ଝୁଲଣାକରି
ହୃଦୟର ରାଣୀ, ହୃଦୟେ ରଖିବି
ଆଗୋ ମୋର ଅପ୍ସରୀ ।

