ଆଦି ଠାରୁ ଅନ୍ତ.. ପ୍ରଣତି ଜେନା
ଆଦି ଠାରୁ ଅନ୍ତ.. ପ୍ରଣତି ଜେନା
ଆଦି ଠାରୁ ଅନ୍ତ......
ଶିଶୁଟିଏ ହୋଇ କୋମଳ ସ୍ପର୍ଶରେ
ଭାଙ୍ଗିଦେଲୁ କାରାଗାର,
ଭାବ ବିନୋଦିଆ ଭାବ ସମ୍ପର୍କର
ଅଟୁ ବାବା ଅଧିଶ୍ୱର
ହୃଦୟ ମନ୍ଦିରେ କିପରି କାହାର
ସାଇତା ସମ୍ପତ୍ତି ସାର,
ବନ୍ଦୀ ଜୀବନ ତୋ ସଙ୍ଗମ ତୀର୍ଥର
ନିରବିତ ପ୍ରେମସ୍ୱର
ହଜିଯାଏ ମୁହିଁ ତୋ ବାସ୍ନାର ତୀରେ
ତୁହି ହଜୁ କେତେ ସୁରେ,
ବୀଣା,ଜିଣା ତୋର ସ୍ମିତ ହସ ଧାରେ
ବନ୍ଦୀ ମୁଁ, ତୋ ଦରବାରେ
ବନ୍ଦୀ ହେବାପାଇଁ ତୋ ପାଖରେ ମୁହିଁ
ଭାଗ୍ୟରେ ହୋଇଛି ଗଢା,
ମନ ହେଉ ଅବା ହୃଦୟରେ ଚାହିଁ
ଭାବଧନ କରେ ଲୋଡ଼ା
ଜାଣୁରେ ମାଧବ ତନ୍ମୟତା ଭାବ
ହୃଦଭୂମି ଭିଜାସୁର,
କିପରି କିଏବା ଚାହିଁଲେ ବାନ୍ଧିବ
ନ ଥିଲେ ହୃଦ ମଧୁର
ବାଟବଣା ହୋଇ ନିରାଶେ ଯନ୍ତ୍ରଣା
ଗମ୍ଭୀର ପ୍ରଭାବ ହୋଇ,
ତୁ ଅଛୁ ବୋଲି ଏ ବିଜୁଳି, ବରଷା
ଧାରେ, ଧାରେ ହଜିଯାଇ
ବ୍ୟଥା ହୃଦୟରେ କାଳିଆ ସୁନାରେ
ସହିବାକୁ ହୁଏ ଏଠି,
ଲୁହରେ ପଣତେ ପୋଛି ନିଏ ଧିରେ
ନିନ୍ଦା ନ ଲାଗୁରେ ତୋ'ଠି
ଅମନା ଏ ମନ ବୁଝେ ନାହିଁ ବୋଲି
ମନଠୁ ମନକୁ ଦୂରେ,
କିଏ ଆଉ ଏତେ ସହଜ ସଙ୍ଖାଳି
ଜୀବନକୁ କରି ପାରେ
ଏବେ ଆଉ କାହା ଆଗରେ କହୁନି
ତୋର, ମୋର ଭାବ ନେଇ,
ଚୋରେଇ କେ ନେବ ମୋ ସୁଖ ସମ୍ପତ୍ତି
ସାତଗଣ୍ଠି କରେ ଦେଇ
ମୋ ମନ ମନ୍ଦିରେ ବସାଇଛି ତୋତେ
ବିଶ୍ୱାସ, ନିଶ୍ୱାସ ଭରି,
ଭାଙ୍ଗିବୁନି ଧନ ବିଶ୍ୱାସ ମନ୍ଦିରେ
ବଞ୍ଚିଥାଉ ଯିବି ମରି
ସୁଖ ଦେଲେ କିବା ଦୁଃଖ ଦେଲେ ତୁହି
ହୃଦୟ ରେ ସହିଯିବି,
ମୁହଁ ଖୋଲି କେବେ ଅଭିଯୋଗ ନାହିଁ
ତୋତେ ଖାଲି ଦେଖୁଥିବି
ଆଡେଇ ଦେବୁନି ପଲକରୁ ତୋର
ଆଖି ଥାଇ ଅନ୍ଧ ହେବି,
ଆଜିର ଜୀବନ କାଲିକୁ ଅନ୍ତର
କାହୁଁରେ ତୋତେ ପାଇବି
ମିଛ ଏ ଦୁନିଆ ମିଛ ଏ ସମ୍ପର୍କ
ମିଛ ବାଲି, ଧୂଳି ଘର,
ସବୁ ତୋର କହି ଲୋଭର ବିତର୍କ
ଦେଖି ହଜେ ବୁଦ୍ଧି ମୋର
ପ୍ରତି ପଦେ, ପଦେ ଆତ୍ମାରେ ରହିଛୁ
ଦେଖୁ ରୀତି ସମାଜର,
ସୁନା ଦେବି ବୋଲି କହୁଛୁ କେତେତୁ
ସ୍ଵାର୍ଥୀ ବୁଝେକି ସେ ଗୀର