ଆଧୁନିକ ନାରୀ
ଆଧୁନିକ ନାରୀ
କଳିଯୁଗ ରୀତି ବିପରୀତ ନୀତି
ପାପ, ପୁଣ୍ୟ ବୋଳା ଧରା,
ଆଜି ନାରୀ ଏଠି ନିଜେ ନିଜ ପାଇଁ
ନିରାଶ୍ରୟା ମଣେ ପରା ।
ଆଧୁନିକ ସାଜି ଦୁଃଖକୁ ଅର୍ଜଇ
କଳି ର ବିସ୍ତାର ଲାଗି,
ଅଶାନ୍ତି ର ନିଆଁ ସର୍ବଗିଳା ହୋଇ
ବିନାଶ ର ମୂଳଭାଗୀ ।
ନିଜ ଆତ୍ମ ଗୀତା,ଦର୍ଶନ, ସଂହିତା
ମନ ସ୍ଥିର ଆତ୍ମା ଯାର,
ସତ୍ୟ ଆଭୂଷଣ ସୁବର୍ଣ୍ଣ ପରିତା
ମନ୍ତ୍ରାୟିତ ସୁଆଚାର ।
ନାରୀଶକ୍ତି ଏଠି ନାରୀକୁ ଅଜଣା
ପତିବ୍ରତା ଧର୍ମ ନାହା,
କଳିଯୁଗେ ଗୋପ୍ୟ ସେହି ପତିବ୍ରତା
ସୂର୍ଯ୍ୟ, ଚନ୍ଦ୍ର ସାକ୍ଷୀ ତାହା ।
ପତିବ୍ରତା ଧର୍ମ ଅସାଧ୍ୟ ସାଧନ
ସୁଚରିତ୍ର ଗୁଣ ଯାର,
ଆଜିବି ସାବିତ୍ରୀ ସର୍ବ ସଙ୍କଟରୁ
ସ୍ୱାମୀଙ୍କୁ କରେ ଉଦ୍ଧାର ।
ପୁଣ୍ୟବତୀ ନାରୀ ଅଂଶ ଦେବୀଙ୍କର
କଳିର ପ୍ରଭାବ ଦୂରେ,
ପଦ୍ମପତ୍ରେ ଜଳ ଦୁଃଖ, ସୁଖ ତାର
ସଂସାର ମନ୍ଦିର କରେ ।
ଚରିତ୍ରର ଗୀତା ଭଗବତୀ ମାତା
ହୃଦ ବ୍ରହ୍ମ ସ୍ଥାନେ ସ୍ଥିତ,
ନାରୀର ମର୍ଯ୍ୟାଦା ସଂସ୍କାରର ଗୀତା
ସ୍ୱୟଂ ହୋଇଥାନ୍ତି ଯୁକ୍ତ ।
ସଦାଚାର ନୀତି ନମ୍ରତା ମନ୍ତରେ
ସତ୍ତ୍ୱଗୁଣେ ନାରୀମତି,
ସର୍ବ ଦେବା,ଦେବୀ ଆନନ୍ଦ ଚିତ୍ତରେ
ଗୃହ ବୈକୁଣ୍ଠେ ରୁହନ୍ତି ।
ବିପଦ ପ୍ରସାରେ ମହାବଳୀ ହୋଇ
ସଙ୍କଟର ତୁର୍ଯ୍ୟନାଦେ,
ଆତ୍ମା ଅବିଚଳ ପତିବ୍ରତା ଶକ୍ତି
ସଞ୍ଜିବନୀ ମନ୍ତ୍ରାଯୁଧେ ।
ସୁଗୁଣ, ଦୁର୍ଗୁଣ ଚେତନା ତା ପାଇଁ
ଅର୍ଥ, ଅନର୍ଥର ମୂଳ,
ନିଜ ପାଇଁ ନିଜେ ବଇରୀ ସାଜଇ
କାଳ ବଶେ ଫଳା, ଫଳ ।
ଆଧୁନିକ ହେବା ଅର୍ଥ ନୁହେଁ କେବେ
ନାରୀ ଶୃଙ୍ଖଳା ରହିତ,
ସମାଜ ସଂସ୍କାରେ ଯୁଗର ପ୍ରଭାବେ
ଆଦର୍ଶ ରଖେ ମହତ ।