STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ଆ'ରେ ଥକା ମନ ଛାଡ଼ ମୂଢ ପଣ

ଆ'ରେ ଥକା ମନ ଛାଡ଼ ମୂଢ ପଣ

1 min
4


ଆ'ରେ ଥକା ମନ ଛାଡ଼ ମୂଢ ପଣ,

       ଫେଡିଣ ନୟନ ଦେଖ ଏ ଭୁବନ।

ତୋତେ ଏ ଜଗତ କରଇ ସ୍ଵାଗତ,

       ସେବାରେ ଅଛି ତ ରହି ଅବିରତ।

ପାହିଲେ ରଜନୀ ଉଏଁ ଦିନମଣି,

       ତା' କିରଣ ବୁଣି ହସାଏ ଧରଣୀ।

ତେଜ'ରେ ଆଳସ୍ୟ ମୁଖେ ଭରି ହାସ୍ୟ,

      ବୁଝ ଭବ ଦୃଶ୍ୟ ଜୀବନ ରହସ୍ୟ।

ନିମିଷେ ବଦଳେ ଏଇ ଭୂମଣ୍ଡଳେ,

    ଦୃଶ୍ୟ ଜଳେ ସ୍ଥଳେ ଅନଳେ ଅନିଳେ।

ଅଛି ଯା' ଏ ଭବେ ତୋର ପାଶେ ଏବେ,

    ଚାଲିଯିବ କେବେ ଥିବୁ'ରେ ଅଭାବେ।

ମୋର ମୋର କହି ମନ ନେଉ ମୋହି,

      ନଈ ପରି ବହି ଯିବ ଦିନେ ସେହି।

ପାରିବ କେ ରଖି ତୋ ଭାବ ପରଖି,

     ବୁଜିଲେ ଏ ଆଖି ହେବୁ ନିରିମାଖୀ।

କାମିନୀ କାଞ୍ଚନେ ମାତିଲେ ଜୀବନେ,

  ଦୁଃଖ ଭୋଗୀ ଦିନେ ଯିବୁ'ରେ ଶ୍ମଶାନେ।

ସାଥେ ଯିବେ ନାହିଁ ପଛେ ପଛେ ଧାଇଁ,

    କେହି ତୋର ପାଇଁ ଯିବୁ ତୁ'ରେ ଯହିଁ।

ଆସିଅଛୁ ଏକା ଯିବୁରେ ତୁ ଏକା,

  ଜୀବନ ଜୀବିକା ଦେବ ତୋତେ ଧୋକା।

ଧନ ପଛେ ଧାଇଁ ହେଉ ଧଇଁ ସଇଁ,

  ମୋହେ ରହୁ ଚାହିଁ କା' ପାଇଁ କା' ପାଇଁ ?

ଯା' ପାଇଁ ଆସିଛୁ ଖୁସି ତୁ ହେଉଛୁ,

     ସେ କଥା ଭୁଲୁଛୁ ମାୟାରେ ପଡୁଛୁ।

ଆ'ରେ ଥକା ମନ କର ତୁ ଚିନ୍ତନ,

     କିଏ ତୋ ଜୀବନ ସ୍ଥିରେ କର ଧ୍ୟାନ।

ଯିଏ ଚିରନ୍ତନ ସତ୍ୟ ସନାତନ,

    ସିଏ ତୋର ପ୍ରାଣ ସଂସାରେ ମହାନ।

ସତ୍ୟ ପଥେ ରହି କର୍ମ କର ତୁହି,

  ସେ ଯେ ଭାବଗ୍ରାହୀ କରିବେ ରେ ତ୍ରାହି।

ତୁଚ୍ଛ ମିଛ ଛାଡ଼ ଜୀବନ ସଜାଡ଼,

    ଯେତେ ସବୁ ଜଡ଼ ତା' ବଶେ ନ ପଡ଼।

ଚେତନେ ଚେତନା ରଖି ଆରାଧନା,

       କର ତୁ ଅର୍ଚ୍ଚନା ପାଇବୁ ସାନ୍ତ୍ଵନା।

ତୋ ଜୀବନ ରସ ସେହି ଅବିନାଶ,

   କରେ ତୋ ବିକାଶ ଦେଇ ତା' ଆଶିଷ।

ତା'ର ପାଶେ ମନ ରଖି ନିତିଦିନ,

      ସତ୍ୟ କଥା ମାନ ହୁଅ ସାବଧାନ।

ଦୁଃଖର କାରଣ ହେବ ଅବସାନ,

       କରି ତା' ଦର୍ଶନ ରହିବୁ ଅମ୍ଳାନ।

କର୍ମେ ହୋଇ ଦକ୍ଷ ରହ ନିରପେକ୍ଷ,

   ପାଇବୁରେ ମୋକ୍ଷ ପୂର୍ଣ୍ଣ ହେବ ଲକ୍ଷ୍ୟ। 

ଆ'ରେ ଥକା ମନ ହୁଅନା ଅଜ୍ଞାନ,

       କର ଜାଗରଣ ହୃଦେ ଆତ୍ମଜ୍ଞାନ।

ସେ ଚରଣେ ଧ୍ୟାନ ରଖ ତୁ'ରେ ମନ,

    ଆଶା ହେବ ପୂର୍ଣ୍ଣ ଲଭିବୁ ରେ ପୁଣ୍ୟ। 


    


Rate this content
Log in

Similar oriya poem from Abstract