Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୁଣ୍ଡା ସାହାଡ଼ା
ମୁଣ୍ଡା ସାହାଡ଼ା
★★★★★

© ଓଡିଆ ଗଳ୍ପ

Classics

7 Minutes   7.3K    18


Content Ranking

ଗୋଦାବରୀଶ ମହାପାତ୍ର

ସେ ଯୁଗର ରାମଚନ୍ଦ୍ର ସୁନାର ମୂର୍ତ୍ତିକୁ ସୀତା ବୋଲି ଗ୍ରହଣ କଲେ, କେହି, ହେଲେ ଆପତ୍ତି କଲେନାହିଁ, ମାତ୍ର ଗଙ୍ଗା ନାହାକ ଯେଉଁଦିନ ଗୋଟାଏ ଶାହାଡ଼ାଗଛକୁ ତା’ର ପ୍ରଣୟିନୀ ବୋଲି କହି ଘନ ଘନ ଚୁମ୍ୱନ ଦେବା କଥା ଚାରିଆଡ଼େ ରାଷ୍ଟ୍ର ହେଲା, ଲୋକେ ତାକୁ କହିଲେ “ପାଗଳ”। କାରଣ ରାମଚନ୍ଦ୍ର ଥିଲେ ଅଯୋଧ୍ୟାର ରାଜା, ଆଉ ଆମର ଗଙ୍ଗା ନାହାକ ହେଲା ଏ ଯୁଗର ବାଜପୁର ଗାଁର ଏକ ବଗିଚାର ମାଳୀ ! !

ବଗିଚାରେ କେତେ ପ୍ରକାର ଗଛ ଅଛି । ଜାଇ, ଯୁଇ, ମଲ୍ଲୀ, ମାଳତୀଠାରୁ ଆରମ୍ଭ କରି ଜାମୁ, କମଳା, ସପେଟା, ଲେମ୍ବୁ ପର୍ଯ୍ୟନ୍ତ ରହିଛି । ଫୁଲଗଛ ଅଛି, ଫଳଗଛ ମଧ୍ୟ ଅଛି । ଫୁଲ ଫଳ କିଛି ନ ଥାଇ ରଙ୍ଗୀନ୍-ଗଛ ମଧ୍ୟ ଶୋଭା ପାଉଛି । ଏସବୁର ସାର୍ଥକତା ଅଛି । ଫୁଲର ସୁବାସ ଅଛି ଫଲର ସ୍ୱାଦ ଅଛି, ପତ୍ରର ସୌନ୍ଦର୍ଯ୍ୟ ଅଛି, ମାତ୍ର ଗୋଟିଏ କଥା ବୁଝି ହେଲା ନାହିଁ, କି କାରଣରୁ ଗଙ୍ଗା ନାହାକ ଏଡ଼େ ବଡ଼ ବଗିଚା ଭିତରେ ଗୋଟିଏ ଶାହାଡ଼ାଗଛ ପାଳିଛି ।

ସେହି ସାହାଡ଼ାଗଛଟାକୁ ଖାଲି ସାହାଡ଼ାଗଛ କହିଦେଲେ ଚଳିବ ନାହିଁ । ତାହା ଏକ ମୁଣ୍ଡା ସାହାଡ଼ା ଦେଖିଲେ ଜଣାପଡ଼େ । ତାହା ଯେପରି ଦୈତ୍ୟଯୁଗର ଏକ ଭୂତ । ଗଣ୍ଡିରେ ଖାଲି ଗଣ୍ଠିପରେ ଗଣ୍ଠି ଉପରକୁ ଛତା ଟେକିଲା ପରି କେତେ ଗୁଡ଼ିଏ ଖଣ୍ଡିଡାଳ ଦେହରେ ଖାଲି ଛୋଟ ଛୋଟ ପତ୍ର । ସତେ ଅବା ଭୂତଟା କେତେକାଳ ହେଲା ମୁଣ୍ଡରେ ତେଲହାତ ନ ମାରି, ବାଳ ନ ସଜାଡ଼ି ସେହିପରି ଠିଆ ହୋଇଛି ।

ମୁଣ୍ଡା ସାହାଡ଼ା ! – କେତେ ଯୁଗର, କେହି ତାହା ଜାଣନ୍ତି ନାହିଁ । ଗାଁର ସବୁଠାରୁ ବୁଢ଼ାଙ୍କୁ ତାଙ୍କର ଇତିହାସ ପଚାରିଲେ ସେ କହନ୍ତି ଯେ, ତାଙ୍କ ଗୋସେଇଁ ବାପେ କେବେ ଥରେ ସେହି ଗଛକୁ ବାହା ହୋଇ ତୃତୀୟପକ୍ଷ ଗ୍ରହଣ କରିଥିଲେ, ଆଉ ସେ କହୁଥିଲେ ତାଙ୍କ ପୂର୍ବରୁ ଅନେକ ଲୋକ ତାହାରି ମୂଳେ ଅନେଇ ହାତଗଣ୍ଠି ପକାଇ ବାହା ହୋଇଛନ୍ତି । ତେଣୁ ଗଛଟାକୁ ଦେଖିଲେ ଖାଲି ଯେ ତା’ର ରୁକ୍ଷ ଅସୁନ୍ଦର ବିକଟ ରୂପ ଆଖିରେ ପଡ଼େ ତାହା ନୁହେଁ, କେତେଗୁଡ଼ିଏ ପ୍ରଣୟର ପତଳା ପରଦା କାଳର କେତେ ବର୍ଷ-ତରଙ୍ଗ ଭେଦ କରି ନବ ନବ ରୂପରେ ଆଖି ଆଗରେ ଛାୟା ପରି ନାଚିଯାଏ । କି ଚମତ୍କାର !

ସତ୍ୟଯୁଗର ଗଛ । କିଏ କହିବ ? ସେ ଯେବେ କଥା କହୁଥାନ୍ତା ଅନେକ ଲୋକର ଅନେକ ରହସ୍ୟ ଜଣାପଡ଼ନ୍ତା । ପ୍ରଣୟର ବହୁମୁଖୀ ସ୍ରୋତର ଗତି ସେ ଦେଖାଇ ପାରନ୍ତା ।

ସେ କିଛି କହେ ନାହିଁ- ସେ କେବଳ ଲୀଳା ଦେଖେ । ଦେଖେ ତାହାରି ମୂଳେ ପ୍ରଣୟର କେତେ ଲୀଳା ଚାଲିଛି । ଦାସେ ହସୁଛନ୍ତି, ପରିଡ଼େ ଆସୁଛନ୍ତି, ମହାନ୍ତିଏ ଆସୁଛନ୍ତି- ତାହାରି ପାଖେ ଠିଆ ହୋଇ କାହାର ଲାଲ୍ ଟକ୍ ଟକ୍ ମଧୁର ଅଧର କଳ୍ପନା କରି, କାହାର ଘନକୃଷ୍ଣ କେଶଗୁଚ୍ଛ ମାନସ-ଚକ୍ଷୁରେ ଦେଖି, କାହାର କୋମଳ କରପଲ୍ଲବର ସ୍ପର୍ଶ କଳ୍ପନାରେ ଅନୁଭବ କରି ତାକୁ ହିଁ ସାକ୍ଷୀ ରଖି ସମସ୍ତେ ଚାଲିଯାଉଛନ୍ତି । ପ୍ରଣୟର ସାକ୍ଷୀ, ପରିଣୟର ସାକ୍ଷୀ, ଯୁବତୀର ସାକ୍ଷୀ, ବୃଦ୍ଧର ସାକ୍ଷୀ, ଭଙ୍ଗୁର ସଂସାରର ଭଙ୍ଗୁରତାର ସାକ୍ଷୀ ସେହି ଅବହେଳିତ ମୁଣ୍ଡା ଶାହାଡ଼ା । ସେ ବଗିଚାର ଏକ ପୁଣ୍ୟମୟ କୋଣାର୍କ କହିଲେ ଚଳେ । ଓଡ଼ିଶାର ମହାରାଣୀ ମାୟାଦେବୀଙ୍କ ସ୍ମୃତି ଉପରେ କୋଣାର୍କ ତିଆରି ହେଲା, ମାତ୍ର ମୁଣ୍ଡା ଶାହାଡ଼ା ମୂଳେ ଯେ କେତେ କେତେ ମାୟାଦେବୀ ସ୍ମୃତି ରୂପେ ରହିଛନ୍ତି, କିଏ ଗଣନା କରି କହିବ । ତାଜମହଲର ପ୍ରତି ପଥରଖଣ୍ଡରେ ପ୍ରେମିକ ପ୍ରଣୟର ଛବି ଦେଖନ୍ତି, ମାତ୍ର ବାଜପୁର ବଗିଚାର ମୁଣ୍ଡା ଶାହାଡ଼ା ଗଛର ପ୍ରତି ପତ୍ରେ ପତ୍ରେ କେତେ ଯେ ପ୍ରଣୟ ନିଃଶ୍ୱାସ ପୂରି ରହିଛି, ତାହା ସେ ପାଖେ ଯିବା ଆସିବା କରୁଥିବା କେହି ପ୍ରଣୟ-ପାଗଳ ଆଦୌ ଅନୁଭବ କରିପାରେ ନାହିଁ । ମନୁଷ୍ୟ କି ବୋକା !

ତରୁ ସଂସାରର ମୁଣ୍ଡା ଶାହାଡ଼ାକୁ ମାନବ-ସଂସାରର ମୁଣ୍ଡା ଶାହାଡ଼ା ଗଙ୍ଗା ନାହାକ କେବଳ ଚିହ୍ନେ । ଗଙ୍ଗାର ବୟସ କେତେ ଗଙ୍ଗା ତ ଜାଣେ ନାହିଁ, ସେହି ଦଶ ପାଞ୍ଚଖଣ୍ଡ ଗାଁ ଲୋକେ ମଧ୍ୟ କହି ପାରନ୍ତି ନାହିଁ । ତା’ର ଗ୍ରନ୍ଥିଳ ଦେହ ଉପରେ ମୁଣ୍ଡଟା ଗୋଟେ ବଡ଼ ଛତା ପରି- ସତେ ଯେପରି ଗୋଟେ ଚଳନ୍ତି ମୁଣ୍ଡା ଶାହାଡ଼ା । ତା’ର କଥା ବିଚିତ୍ର, ତା’ର ବେଶଭୂଷା ଅଦ୍ଭୁତ । କେତେ ବର୍ଷ ହେଲା ଖରା, ବର୍ଷା, ଶୀତ କାକର ତା’ ସଙ୍ଗେ ଲଢ଼ି ଲଢ଼ି ପରାସ୍ତ ହୋଇଛନ୍ତି । ରାତିରୁ ରାତିଯାଏ ସେ ବଗିଚାରେ ରହେ, ଗଛଗୁଡ଼ାକୁ ମଣିଷ ପରି ପାଳେ ।

ଏହି ମୁଣ୍ଡା ଶାହାଡ଼ା ଗଙ୍ଗା ନାହାକକୁ ଲୋକେ ପାଗଳ କହିବାର ଅନେକ କାରଣ ଅଛି । ବଗିଚା ଭିତରେ ଯେତେ ଯେତେ ଗଛ ଅଛି, ଗଙ୍ଗା ସେସବୁ ଗଛକୁ ମଣିଷର ନାଁ ଦେଇ ଡାକେ । ସତେ ଯେପରି ସେଗୁଡ଼ାକ ତା’ର ପିଲାପିରିକା । କାହା ନାଁ ରାମ, କାହା ନାଁ ଭଗିଆ, କାହା ନାଁ ମଦନା, କାହା ନାଁ ଗୋପୀ, କାହା ନାଁ ହରି, ମୁଣ୍ଡା ଶାହାଡ଼ା ଗଛଟିକୁ ସେ ଡାକେ ଚମ୍ପା ବୋଲି ।

ଶାହାଡ଼ା ଗଛଟାକୁ ଚମ୍ପା ବୋଲି କହିଲେ ଅନେକେ ଆଶ୍ଚର୍ଯ୍ୟ ହେବେ । ଶୁଣିବାକୁ ମଧ୍ୟ ନିତାନ୍ତ ଅସୁନ୍ଦର । ମୂଳ ଗଛଗୁଡ଼ାକ ବୋଧହୁଏ ଚମ୍ପାଗଛ ପ୍ରତି ଏହି ଘୋର ଅପମାନରେ ବିଦ୍ରୋହୀ ହୋଇ ଉଠିଥିବେ, ମାତ୍ର ଗଙ୍ଗା କେବେହେଲେ ତା’ର ମନ ବଦଳାଏ ନାହିଁ ।

ଏକଥା ଦେଖି ଲୋକେ କହନ୍ତି- “ପାଗଳ ଗଙ୍ଗା, ବାୟା ଗଙ୍ଗା ।”

ଗଙ୍ଗା ସବୁ ଓଲଟା କଥା କରେ । ବଡ଼ି ସକାଳୁ ମୁଣ୍ଡା ଶାହାଡ଼ା ମୂଳଟି ଓଳାଇ ଦେଇ ତା’ର ଶୁଖିଲା ପତ୍ରଗୁଡ଼ିକ ଝାଡ଼ିଦେଇ ଆଗ ତାକୁ ବୁହାଟେ କୁଣ୍ଢାଇ ପକାଏ । ତା’ପରେ ତା’ ସଙ୍ଗେ କଥାବାର୍ତ୍ତା ଚଳାଏ । କହେ- “ଚମ୍ପା, ଚମ୍ପା, ସତ କହ, ଥରେ ସତ କହ, ଲୋକେ ଉଲା କି ମୁଁ ଉଲା ? ତୁ ପରା ସାକ୍ଷୀ ମୋର – ତୁ ନ କହିଲେ କିଏ କହିବ ?”ଏହା କହି ଗଛଟାକୁ ଘନ ଘନ ଚୁମ୍ୱନ ଦିଏ ।

ଶାହାଡ଼ା ଗଛଟା ସଙ୍ଗେ କଥା । ଯେ ଶୁଣେ ସେ ହସେ । ଶାହାଡ଼ା ଗଛଟାକୁ ଚୁମ୍ୱନ । ଯେ ଶୁଣେ ସେ ଅବାକ୍ ହୁଏ । ମାତ୍ର ଲୋକଙ୍କର ହସରେ ବା ଥଟ୍ଟାରେ ଗଙ୍ଗାର କିଛି ଯାଏ ଆସେ ନାହିଁ । ଆଖି ବୁଜିଲା ପରି ତା’ କାର୍ଯ୍ୟ ସେ କରି ଯାଉଥାଏ ।

ଦିନେ ଗଙ୍ଗା ସହିତ ଦେଖା ହେଲା । ପଚାରିଲି- “ଗଙ୍ଗା, ଏ ବଗିଚାରେ ସବୁଠାରୁ ଭଲଗଛ କିଏ ?”

ଗଙ୍ଗା କହିଲା- “ଚମ୍ପା ।”

“ଚମ୍ପା !”

“ହଁ, ବାବୁ”- କହି ସେ ଆଗେ ଆଗେ ଚାଲିଲା । ମୁଁ ତା’ ପଛେ ପଛେ ଚାଲିଲି । ସେ ଗୋଟାଏ ନିର୍ଧୁମ ଶାହାଡ଼ଗଛ ମୂଳେ ଠିଆ ହୋଇ କହିଲା- “ଦେଖିଲ ବାବୁ । ଦେଖ ।”

ଅବାକ୍ ହୋଇ ଗଛଟାକୁ ଚାହିଁ ରହିଲି । ଚମ୍ପା ଗଛ । କାହିଁ ?

ସେ କହିଲା- “ଚିହ୍ନିପାରୁନ ବାବୁ ? ଏଇ ପରା”-

କହିଲି- “ଦୂର୍ ପାଗଲ, ଏ ତ ଗୋଟାଏ ମୁଣ୍ଡା ଶାହାଡ଼ା ।”

ମୋ କଥା ଶୁଣି ଗଙ୍ଗା ଖାଲି ଠୋ’ ଠୋ’ ହସିଉଠିଲା । ସେ କି ଉଦ୍ଦାମ-ହାସ୍ୟରୋଳ । ହସି ହସି ସେ ଗଛକୁ ଢଳି ପଡ଼ିଲା, ଆଗକୁ ଝୁଙ୍କି ପଡ଼ିଲା, ଗଛଟାକୁ କୁଣ୍ଢେଇ ଧରି ହସିଲା-ଖାଲି ହସିଲା ।

ହସ ତା’ର ବନ୍ଦ ହେଲା, ମାତ୍ର ସେ କ’ଣ ଭାବିଲା ପରି ଗଛଟାକୁ ଜାକିଧରି ଅନେକ ସମୟ ନିରବରେ ଠିଆ ହେଲା । କିଛି ରହସ୍ୟ ବୁଝି ନ ପାରି ପଚାରିଲି-

“ଗଙ୍ଗା, ଏ କ’ଣ ?”

ମୁହଁକୁ ଗମ୍ଭୀର କରି ଗୋଟାଏ କିଛି ଗୁରୁତର କଥାର ଉପକ୍ରମ କଲାପରି ସେ କହିଲା-

“ଶୁଣି ପାରୁନ ବାବୁ । ମୋର ଚମ୍ପା କ’ଣ କହୁଛି, ଶୁଣିପାରୁ ନ ? ସେ କହୁଛି- ଆସିଲେ ଦିନେ ଦାସଘର ବଡ଼ ପୁଅ । ମୋରି ଦୁଆରେ ବାଦ୍ୟ ବାଜିଲା, କାହାଳୀ ବାଜିଲା, ମୁଁ ରହିଲି ସାକ୍ଷୀ । ବର୍ଷକ ପରେ ଦେଖିଲି, ମୁଁ ଯାହା ପାଇଁ ସାକ୍ଷୀ ଥିଲି, ତାକୁ ସେଇ ଦାସଘର ପୁଅ କାଳୀଟା ବୋଲି ବାଡ଼େଇ ବାଡ଼େଇ ମାରିଦେଲା । ଥରେ ଆସି ଥିଲେ ଗୁଡ଼ିଆ ଘରର ବୁଢ଼ା । ପାଞ୍ଚଟି ବାଳିକାର ହାତ ଧଇଲା ପରେ ସେ ମୋରି ପାଖରେ ଆସି ଠିଆ ହେଲା । ଓହୋ ! ସେ ଝିଅଟି ସେଥର ଉଖୁଡ଼ା ଚଟୁରେ ମାଡ଼ ଖାଇ ଖାଇ ମଲା । ପଲେଇ ଘରର ବୁଢ଼ା, ପଧାନ ଘରର ସାନ, ସାମଲ ଘରର ମଝିଆଁ- କ’ଣ କହିବି, କେତେ ବା କହିବି । ଲୋକେ କହନ୍ତି, ସଂସାରରେ ପୁରୋହିତ ବୋଲି ଜଣେ କିଏ ଅଛି ? ପୋଡ଼ିଯାଉ ସେ ପୁରୋହିତ । ମତେ ସାକ୍ଷୀ ରଖି ଆଗପଛ ନ ବିଚାର ସେ ସମସ୍ତଙ୍କୁ ଆଣି ମୋରି ପାଖେ ଠିଆକଲା । ଥରେ ନୁହେଁ, ଦି’ଥର ନୁହେଁ, ଚାରି ପାଞ୍ଚ ଥର ଲେଖାଏଁ ମୁଁ ସେହିମାନଙ୍କ ସାକ୍ଷୀ ।”

ଗଙ୍ଗା ନାହାକର ଏ ବକ୍ତୃତା ଶୁଣି ମୁଁ ଅବାକ୍ ଭାବରେ ଠିଆ ହେଲି । ଭାବିଲି- ଏ କ’ଣ ସ୍କୁଲ୍‌ରେ କ୍ଲାସ୍‌ରେ ଇତିହାସ ପଢ଼ାଉଛି ନା କ’ଣ ? ପାଗଲ ବୁଢ଼ା କି ଜୀବନର ଏତେ କଥା ଅନୁଭବ କରିପାରେ ?”

ପଚାରିଲି- “ଆଚ୍ଛା ଗଙ୍ଗା, ଚମ୍ପା ତ ସମସ୍ତଙ୍କ କଥା କହୁଚି, ତମ କଥା ଭଲା କ’ଣ କହୁଚି ?”

“ମୋ କଥା ? ମୋର ଚମ୍ପା ସେ, ମୋ କଥା କହିବ ନାଇଁ ।”

କହ ଭଲା ଶୁଣେ ।

ବୁଢ଼ା ଗଙ୍ଗା ଯେ ଗଳ୍ପ କହିଲା, ଶୁଣି କାଠ ହୋଇଗଲି । ସେହିଦିନୁ ବୁଝିଲି, ମଫସଲ ବାଜପୁରର ଅବହେଳିତା ମାଳୀ ଗଙ୍ଗା ନାହାକ ବୁଢ଼ା ପାଗଲ ନୁହେଁ- ସେ ଏକ ପ୍ରକାଣ୍ଡ ତାଜମହଲର ମାଲିକ- ଏକ କୋଣାର୍କର ଅଧିକାରୀ । ଗଳ୍ପଟା ହେଉଛି-

ଗଙ୍ଗାକୁ ଯେତେବେଳେ କୋଡ଼ିଏ ବର୍ଷ ବୟସ, ତା’ର ବିଭା ପାଇଁ ବାପ ମା’ କନ୍ୟା ଖୋଜିଲେ । କେତେ ଆଡୁ କେତେ ପ୍ରସଙ୍ଗ ଆସିଲା । ଗଙ୍ଗା ୟା’ ହାତରେ, ତା’ ହାତରେ ସବୁ ପ୍ରସଙ୍ଗକୁ ନାହିଁ କହିଦେଲା । ବାପ ମା’ କେତେ ଗାଳି ଦେଲେ, ଶେଷକୁ ଆଉ କିଛିଦିନ ଅପେକ୍ଷା କରି ତୁନି ହୋଇ ରହିଲେ ।

ଗଙ୍ଗା ଚାକିରୀ କରୁଥିଲା ମଳିପଡ଼ା ସରବରାକାରଙ୍କ ଘରେ । ଚାକିରୀ ଭିତରେ ତାକୁ ଘରର ଜଣେ ମଣିଷ ପରି ସବୁ କାମ କରିବାକୁ ପଡୁଥିଲା ।

ସରବରାକାରଙ୍କ ଝିଅ ଚମ୍ପା ଦିନେ ଗଙ୍ଗା ଗୋପନରେ ଆସ କହିଲା- “ଗଙ୍ଗା, ତୁ ଜଣକୁ ମାରି ପାରିବୁ ?”

ଗଙ୍ଗା କହିଲା, “ନା, ମୋ ହାତରେ ସେ କାମ ହବ ନାହିଁ ।”

ଚମ୍ପା ତା’ ହାତଟାକୁ ଧରି ପକାଇ ରୁଦ୍ଧକଣ୍ଠରେ କହିଲା- “ମୋତେ ମାରି ପାରିବୁ ନାଇଁ ? ମତେ ଆଉ ଜଣେ ମାଇଲେ ତୁ ସମ୍ଭାଳିବୁ ?”

ଯୁବତୀର କଥା ଗଙ୍ଗା ମନକୁ ଟିକିଏ ଲାଗିଲା । ସେ ଜାଣିଲା ଯେ, ଚମ୍ପା ପାଇଁ ଯେଉଁ ଅଶୀବର୍ଷର ପଞ୍ଚମ ପକ୍ଷ ବର ସାଙ୍ଗେ ବିଭା କଥା ଉଠିଛି, ତାହାରି ଫଳ ଏ । ତା’ ମନରେ ଭାବାନ୍ତର ପହଞ୍ଚିଲା ।

ଚମ୍ପା ଗଙ୍ଗାର ଆହୁରି ପାଖକୁ ଲାଗିଯାଇ କହିଲା- “ତୁ ରେଙ୍ଗାମ ଦେଖିଛୁ. . . ? ମୁଁ ଯିବି ଆଉ ତୁ ଯିବୁ ?”. . .

ସେ ରାତିରେ ଗଙ୍ଗା କେବଳ ସ୍ୱପ୍ନ ଦେଖିଲା ଚମ୍ପାକୁ । ଚମ୍ପା କେବଳ ଆଶା ରଖିଲା ଗଙ୍ଗାଠାରେ ।

ଦିନ ଦିନ କରି କେତେ ଦିନଗଲା । ଚମ୍ପା ନାଁ ଶୁଣିଲେ ଗଙ୍ଗା ଅନ୍ୟମନସ୍କ ହେଲା, ଗଙ୍ଗାକୁ ଦେଖିଲେ ଚମ୍ପାର ଦେହ ମୁଣ୍ଡ ଶୀତେଇ ଉଠିଲା । ଗଙ୍ଗା ଘରର ଆଉ କାହା ପ୍ରତି ଚାକର ହୋଇପାରେ, ମାତ୍ର ଚମ୍ପା ପ୍ରତି ନୁହେଁ. . . ।

ଦୁଇଟା ତରୁଣ ପ୍ରାଣରେ କ୍ରମେ ଏକାବେଳକେ ଏକା ତାଳରେ ନିଶ୍ୱାସ ବହିଲା- ଏକାବେଳକେ ନିଶ୍ୱାସ ଉଠିଲା ।

ପଞ୍ଚମ ପକ୍ଷ ବର ପ୍ରସଙ୍ଗ ପର୍ବତ ପରି ସେ ଆଡୁ ମାଡ଼ି ଆସିଲା, ଏଣେ ଏ ଯୁଗର ପ୍ରାଣ ପବନ ପରି ବିଚଳିତ ହୋଇଗଲା । ରାତିରେ ଦେଖା ହେଲା, ଦିନରେ ଦେଖା ହେଲା, ଦୁହେଁ ଦୁହିଁଙ୍କୁ ଖୁବ୍ ନିକଟରେ ଚିହ୍ନିଲେ ।

ଲୋକେ କହିବେ ୟା’କୁ ଘୋର ଅନ୍ୟାୟ ! !

ୟା’ ପଛେ ପଛେ ଆସିଲା ପଞ୍ଚମ ପକ୍ଷ ବର ସଙ୍ଗେ ଷୋଡ଼ଶୀର ପ୍ରୀତି- ବନ୍ଧନର ଦିନ, ମାତ୍ର ବେଦୀ ଅପୂର୍ଣ୍ଣ ରହିଲା- ଉତ୍ସବ ଅଧାରେ ରହିଲା । ବିଭାଦିନର ପୂର୍ବ ରାତିରେ ଦେଖାଗଲା, ଚମ୍ପା ଘରେ ନାହିଁ । ସେ ରାତି ରାତି ଗାଁ ସୀମା ପାର ହୋଇ ଏକ ଶାହାଡ଼ା ଗଛରେ ଦଉଡ଼ି ଖଣ୍ଡକରେ ଓହଳିଛି ।

ୟା’ ପରେ ଗଙ୍ଗାର କଥା । ଗଙ୍ଗା ଆଉ ବିଭା ହେଲା ନାହିଁ । ସେ ଆସି ବଗିଚାର ମାଳୀ ହୋଇ ଚାକିରୀ କଲା । ଆଉ ଚମ୍ପା ଶୋଇଥିବା ସାହାଡ଼ା ଗଛମୂଳେ ତା’ର ଜୀବନର ପ୍ରଣୟ-ଦୀପ ଜାଳିଦେଲା । ଲୋକେ ତାକୁ କହିଲେ “ପାଗଳ”। ସେ ଶାହାଡ଼ା ଗଛକୁ ଡାକିଲା- “ଚମ୍ପା”।

ସେହି ଦିନୁ ଯେତେବେଳେ ସେହି ବଗିଚା ବାଟେ ଯିବାକୁ ହୁଏ, ପ୍ରଥମେ ସେହି ଶାହାଡ଼ା ଗଛଟାରେ ଆଖି ପଡ଼େ । ଶେଷରେ ସଂସାରର ଏକ କ୍ଷୁଦ୍ର କୋଣରେ ଜଣେ ଯେ ଜଣକ ପାଇଁ ଏପରି ତରୁପତ୍ର ମୃତ୍ତିକା ପାଷାଣ ସୀମା ଭୁଲି ଭାବିପାରେ, ଏହା ଭାବି ଭାବି ଜଡ଼ିଭୂତ ହେବାକୁ ହୁଏ ।

ସାହାଡା ଚମ୍ପା ଗଛ ସାକ୍ଷୀ

Rate the content


Originality
Flow
Language
Cover design

Comments

Post

Some text some message..