Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଆଈ ମା'ର ଗପ ଚାଙ୍ଗୁଡ଼ି

Fantasy Others

4.0  

ଆଈ ମା'ର ଗପ ଚାଙ୍ଗୁଡ଼ି

Fantasy Others

ଯେମିତି ଅନ୍ନ ସେମିତି ମନ

ଯେମିତି ଅନ୍ନ ସେମିତି ମନ

3 mins
1.9K


ଏକଦା ରାଜା ଶିବିଙ୍କ ଦରବାରରେ ପରମହଂସ ନାମକ ଜଣେ ସାଧୁ ଥିଲେ । ସେ ସର୍ବଦା ରାଜା ଶିବିଙ୍କୁ ସତ୍ ମାର୍ଗରେ ଚାଲିବା ପାଇଁ ଉପଦେଶ ଦେଉଥିଲେ । ରାଜା ଶିବିଙ୍କ ରାଜ୍ୟରେ ଜଣେ ବ୍ରାହ୍ମଣ ଥିଲେ । ସେହି ବ୍ରାହ୍ମଣଙ୍କର କନ୍ୟାର ବିବାହ ନିମନ୍ତେ ସେହି ନଗରରେ ଥିବା ଜଣେ ସ୍ୱର୍ଣ୍ଣକାର (ବଣିଆ) ଙ୍କୁ ଗହଣା ତିଆରି କରିବା ପାଇଁ କିଛି ପରିମାଣରେ ସୁନା ଦେଲେ ।

ଚତୁର ସ୍ୱର୍ଣ୍ଣକାର ପିତଳର ଗହଣା ତିଆରି କରି ତା’ ଉପରେ ସ୍ୱର୍ଣ୍ଣର ଆବରଣ ଦେଇଦେଲେ । ବିବାହ ପରେ ଝିଅଟି ସେଇ ଅଳଙ୍କାର ପିନ୍ଧି ନିଜର ଶ୍ୱଶୁର ଘରକୁଗଲା । ସତ ସବୁଦିନ ଲୁଚି ରହେ ନାହିଁ । ବିବାହର କିଛିଦିନ ପରେ ଶ୍ୱଶୁରଘର ଲୋକେ ଜାଣିବାକୁ ପାଇଲେଯେ ଝିଅକୁ ଦିଆଯାଇଥିବା ସମସ୍ତ ଅଳଙ୍କାର ସ୍ୱର୍ଣ୍ଣ ନୁହେଁ । ସେସବୁ ପିତଳରେ ତିଆରି । ବୋହୂର ବାପା ସେମାନଙ୍କୁ ଠକାଇବା ପାଇଁ ଏଭଳି ସୁଚତୁର କୌଶଳ ଅବଲମ୍ବନ ପୂର୍ବକ ଏଭଳି ଘୃଣ୍ୟ କାର୍ଯ୍ୟ କରିଛନ୍ତି ଭାବି କିଛିଦିନ ପରେ ଶ୍ୱଶୁରଘର ଲୋକେ ବୋହୂକୁ ଘରୁ ତଡିଦେଲେ । ବ୍ରାହ୍ମଣ କାନ୍ଦିକାନ୍ଦି ରାଜା ଶିବିଙ୍କ ନିକଟରେ ପହଁଚି ଅଭିଯୋଗ କଲେ । ରାଜା ଶିବି ସେହି ସ୍ୱର୍ଣ୍ଣକାରକୁ ରାଜ ଦରବାରକୁ ଡକାଇଲେ । ସ୍ୱର୍ଣ୍ଣକାରଟି ରାଜଦରବାରରେ ନିଜର ଅପରାଧ ସ୍ୱୀକାରକଲା । ସ୍ୱର୍ଣ୍ଣକାର ଲୋକମାନଙ୍କୁ ଠକି ଉପାର୍ଜନ କରିଥିବା ସମସ୍ତ ସମ୍ପତ୍ତି, ସ୍ୱର୍ଣ୍ଣ ଅଳଙ୍କାର ଇତ୍ୟାଦି ନେଇ ରାଜକୋଷରେ ଦାଖଲ କଲା । ସେହି ସ୍ୱର୍ଣ୍ଣକାର ଲୋକମାନଙ୍କୁ ଠକି ପ୍ରତାରିତ କରିଥିବା କାରଣରୁ ଦଣ୍ଡ ସ୍ୱରୂପ ତାଙ୍କୁ ବନ୍ଦିକରି କାରାଗାରରେ ରଖାଗଲା । ବ୍ରାହ୍ମଣକୁ ଶୁଦ୍ଧ ସୁବର୍ଣ୍ଣର ଆଭୁଷଣ ପ୍ରଦାନ କରାଗଲା ଓ କନ୍ୟା ତାହା ପିନ୍ଧି ଶ୍ୱଶୁରାଳୟକୁ ଗମନ କଲେ । ରାଜ ମହଲର ସମସ୍ତ ଖର୍ଚ୍ଚ ରାଜ କୋଷରୁ ହିଁ ଦିଆ ଯାଉଥିଲା ।

ପରମହଂସ ରାଜଦରବାରରେ ଭୋଜନ କରୁଥିଲେ । କିଛିଦିନ ପରେ ତାଙ୍କର ସ୍ୱଭାବରେ ପରିବର୍ତ୍ତନ ଦେଖାଗଲା । ସାଂସାରିକ ସୁଖ ଓ ଭୋଗବିଳାସ ପ୍ରତି ତାଙ୍କର ଅହେତୁକ ମମତା ଜାତ ହେଲା ।

ଦିନେ ମହାରାଣୀଙ୍କର ଅତି ମୂଲ୍ୟବାନ ହୀରା ହାର ଚୋରିକରି ପରମହଂସ ନିରୁଦ୍ଦିଷ୍ଟ ହୋଇଗଲେ । ପରମହଂସ ନିରୁଦ୍ଦିଷ୍ଟ ହୋଇଥିବା ଓ ମହାରାଣୀଙ୍କର ହାର ଚୋରି ଘଟଣାରେ ରାଜାଙ୍କର ଚିନ୍ତା ବଢିଗଲା । ପରମହଂସଙ୍କ ଉପରେ ରାଜା ଶିବିଙ୍କର ସନ୍ଦେହ ଜାତହେଲା ।

ହାର ଚୋରି କରିବା ପରେ ପରମହଂସଙ୍କର ମାନସିକ ଅବସ୍ଥା ଠିକ୍ ରହିଲା ନାହିଁ । ହାର ତ ଚୋରିକରି ନେଇ ଆସିଲେ, ଏବେ କରିବେ ବା କ’ଣ? କିଛି ଦିନ ଏଣେ ତେଣେ ଭୋକ ଉପାସରେ ବୁଲିଲେ । ଶେଷରେ ଭିକ୍ଷା ବୃତି କରି ନିଜର ଜୀବନ ଧାରଣ କଲେ । ଧୀରେ ଧୀରେ ନିଜର କୃତକର୍ମ ନିମନ୍ତେ ପଶ୍ଚାତାପ କରିବାକୁ ଲାଗିଲେ ।

ଦିନେ ପରମହଂସ ହାରଟିକୁ ନେଇ ରାଜଦରବାରରେ ହାଜର ହେଲେ । ରାଜା ପରମହଂସଙ୍କୁ ଦେଖି ଅତି ଆନନ୍ଦିତ ହେଲେ । ପରମହଂସ ରାଜାଙ୍କୁ କହିଲେ – “ମୁଁ ଚୋର, ରାଣୀଙ୍କ ହାର ମୁଁ ଚୋରି କରିଛି । ତାଙ୍କ ହାତରେ ହାରଟିକୁ ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ରାଜା ତାଙ୍କୁ ଚାହିଁ ପ୍ରଶ୍ନ କଲେ, ଆପଣ ଜଣେ ସିଦ୍ଧ ସାଧକ ଓ ତ୍ୟାଗୀ ମହାତ୍ମା ହୋଇ ମଧ୍ୟ ଏଭଳି କାର୍ଯ୍ୟ କାହିଁକି କଲେ? ଆପଣ ତ ଆପଣଙ୍କ ସାଧନା ବଳରେ ସଂସାରର ଯେକୌଣସି ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇ ପାରନ୍ତି । ପୁଣି ଆହୁରି ଆଶ୍ଚର୍ଯ୍ୟର କଥାଯେ ଚୋରି କରି ପୁଣି ହାରଟିକୁ ଫେରାଇବାକୁ ଆସିଛନ୍ତି?

ପରମହଂସ ନତମସ୍ତକ ହୋଇ କହିଲେ – “ମହାରାଜ ! ଆପଣଙ୍କର ମନେଥିବ ଜଣେ ଠକ ସ୍ୱର୍ଣ୍ଣକାରଙ୍କ ସମସ୍ତ ଧନରାଶି ରାଜ କୋଷରେ ଜମାହୋଇଥିଲା । ସେହି ଧନରେ ରାଜଭବନର ଦରକାରୀ ସାମଗ୍ରୀସବୁ କିଣାଯାଉଥିଲା । ମୁଁ ମଧ୍ୟ ସେହି ଦୂଷିତ ଅନ୍ନ ଖାଉଥିଲି । ଏହାର ପ୍ରଭାବରେ ମୋର ଜ୍ଞାନ, ବିବେକ ଓ ଆଚରଣ ସବୁ ନଷ୍ଟ ହୋଇଗଲା । ମୁଁ ଲୋଭ ଓ ମୋହରେ ପଡି ଜ୍ଞାନହୀନ ହୋଇ ଶେଷରେ ହାର ଚୋରି କଲି । ଯେତେବେଳେ ଏହି ପ୍ରଦୂଷିତ ଧନରେ କିଣା ଯାଇଥିବା ଅନ୍ନର ଅଂଶ ମୋ ଶରୀରରେ ରହିଲା ନାହିଁ ସେତେବେଳେ ମୋ ସ୍ୱଭାବରେ ପରିବର୍ତ୍ତନ ଆସିଲା । ମୁଁ ଭିକ୍ଷା ବୃତିକରି ମୋର ଜୀବନ ନିର୍ବାହ କଲି । ମୁଁ କରିଥିବା ଅପରାଧ ସମ୍ପର୍କରେ ସଚେତନ ହେଲି । କଥାରେ ଅଛି ଯେପରି ଅନ୍ନ ସେପରି ମନ । ରାଜା ଶିବି ପରମହଂସଙ୍କ କଥାରେ ଅତ୍ୟନ୍ତ ପ୍ରୀତ ହେଲେ ଓ ପୁନର୍ବାର ତାଙ୍କୁ ତାଙ୍କ ପଦବୀରେ ରଖାଇଲେ ।


Rate this content
Log in

Similar oriya story from Fantasy