ଜନ୍ମ ମୃତ୍ୟୁର ଦୋଛକି
ଜନ୍ମ ମୃତ୍ୟୁର ଦୋଛକି
ଆଉ କି କି ଦୁଃଖ ସାମ୍ନା କରିବାକୁ ପଡ଼ିବ ।ଅଚାନକ ଖବର ଆସିଲା ପିଉସା ଚାଲିଗଲେ !ଗ୍ରହଣ କରିବା ସେତେ ସହଜ ନଥିଲା ଏଠି ଲେଖି ଦେଲା ଭଳି । ସମ୍ପର୍କରେ ପୂର୍ଣ୍ଣଛେଦ ଟିଏ ପକେଇ ଚାଲିଗଲେ ,ମନ କଥା କାହା ଆଗେ ପ୍ରକାଶ କରିବି, ପରିସ୍ଥିତି କୁ ଯେମିତି ହସି ହସି ସାମ୍ନା କରିବାକୁ ହେବ କିଏ ସେ ଆଉ କହିବ ।ଘରେ କେହି କାହାକୁ ବୁଝେଇବା ଅବସ୍ଥାରେ ନଥିଲେ ।ସମସ୍ତେ ପାଗଳ ପ୍ରାୟ ଝୁରି ହେଉଥିଲେ ।
ବିନା ବିଦାୟରେ କେମିତି ଚାଲିଗଲେ ।କିଛି ମୂଲ୍ୟ ଦେଇ ଫେରେଇ ହେଉ ଥିଲେ ସବୁ ଅର୍ପଣ କରି ଦେଇ ଫେରେଇ ଆଣି ଥାଆନ୍ତୁ।ଏମିତି ଭାବି ଚାଲିଥିଲି ।ପଞ୍ଚାୟତ ନଦୀ ବନ୍ଧ ଧାରେ ଧାରେ ମୋଟର ଗାଡି ଆଗେଇ ଚାଲିଥିଲା, କୋଭିଡ ହସ୍ପିଟାଲ ମୁହାଁ। ଆଉ କଣ ଦେଖି ପାରିବି?ଲୁହ ଧାର ଅମାନିଆ ହେଇ ବହି ଚାଲିଥିଲା ।
କେତେ ଅପେକ୍ଷା ଥାଏ ଆଶ୍ୱିନ କୁ, ପାର୍ବଣ କୁ,ଖାସ୍ କରି ନଈ ପଠା ଧାରେ ଧାରେ କାଶତଣ୍ଡିର ଶୁଭ୍ର ସମ୍ଭାରକୁ। ବହୁତ ଛୋଟ ଥିଲାବେଳେ ଯେତେବେଳେ ଅନୁଭବ ଶୂନ୍ୟ ଥିଲି,ସେତେବେଳ ବି କାଶ ତାଣ୍ଡି ଦେଖିଦେଲେ କାହିଁକି କେଜାଣି ସେଇଠି ହିଁ ମୋହଗ୍ରସ୍ତ ହେଇ ଅଟକି ଯାଉଥିଲି।
ଆଜି ମାତ୍ର ନଦୀ ଧାରେ ବୈଧବ୍ୟର କରୁଣ ଶୋଭାଯାତ୍ରାରେ ଶ୍ରୀହୀନ ଦିଶୁଥିଲା କାଶତାଣ୍ଡି ଭର୍ତ୍ତି ନଈ ପଠା ।ନିଜକୁ ସମ୍ଭାଳିବା ସମ୍ଭବ ହେଉ ନଥିଲା ।
କି କରୋନା ମହାମାରୀର ପ୍ରକୋପ ରକ୍ତାପିପାସୁ ଦୈତ୍ୟ ଭଳି ନିଃଶେଷ କରି ଚାଲିଛି ପରିବାର ସବୁ ।ଜୀବନ ପ୍ରତି କେବଳ ବୀତସ୍ପୃହ ଭାବ।ବଞ୍ଚିକି କଣ ହେବ ଯଦି ପ୍ରିୟଜନ ମାନେ ଏଇ ପ୍ରକାର ରେ ଦୂରେଇ ଯିବେ ।ସୁଖରେ ଦୁଃଖରେ କିଏ ସାହା ହେବ ଯଦି ଗୁରୁଜନ ମାନେ ଏମିତି ମୃତ୍ୟୁ ପଥର ଯାତ୍ରୀ ସାଜିବେ ।ସବୁ ଅସମ୍ପୂର୍ଣ୍ଣ , ଅଧୁରା କର୍ତ୍ତବ୍ୟର ବୋଝ ରୁ ନିଜକୁ ମୁକୁଳେଇ କି ଅମରତ୍ଵ ।
ଏମିତି ଅଡ଼ୁଆ ତଡୁଆ ନିଜ ପ୍ରଶ୍ନ ଜାଲରେ ଛନ୍ଦି ହେଇ କେତେବେଳେ କୋଭିଡ୍ ହସ୍ପିଟାଲ ସାମ୍ନା ସାଇ ମନ୍ଦିର ପାଖରେ ପହଞ୍ଚି ଯାଇଥିଲୁ ।ଅଜଣା ଆତଙ୍କ ଯେମିତି ସର୍ବାଙ୍ଗ ଜଡ କରି ଦେଉଥାଏ। ସଳଖି ଠିଆ ହେବାର ସମସ୍ତ ଶକ୍ତି ମୁଁ ହରେଇ ସାରିଥାଏ। ହସ୍ପିଟାଲ ରୁ ସୁସ୍ଥ ହେଇ ଫେରିଯିବାକୁ ଆସିଥିବା ଲୋକ ଟା ଏମିତି କେମିତି ମୃତ ଶରୀର ର ପରିଚୟ ଅଧିକାରୀ ହେବ ।ଶେଷ ସମୟରେ ମୁହଁରେ କି ପ୍ରକାର ଭାବ ଥିବ,ବଞ୍ଚିବା ପାଇଁ ସଙ୍ଘର୍ଷ କରୁଥିବା ବେଳେ କିଏ କିଏ ମନେ ପଡ଼ିଥିବେ,ପଛରେ ଛାଡ଼ି ଦେଇ ଯାଇଥିବା ପରିବାର ମାତୃହରା ଛୁଆ ଦିଟାଙ୍କ ପାଇଁ ଶେଷ କଥା କଣ ମନରେ ଆସି ଥିବ ? ଓହୋ ଛାତି ଟା ଫାଟି ଯାଆନ୍ତା କି ମୋର ଏ ଦୁଃଖରେ । ହଠାତ ପିଉସା ଉଠି ବସନ୍ତେ କି ଷ୍ଟ୍ରେଚର୍ ଉପରେ,ସେହି ଶାନ୍ତ ମୁହଁଟାରୁ ଉକୁଟୀ ଉଠନ୍ତା କି ପଦେ କଥା । ଜରି ପ୍ୟାକେଟ ଭିତରୁ ଦିଶୁଥିବା ଶେତା ମୁହଁଟା ରେ କଣ କରୁଛ ସମସ୍ତେ ବୋଲି ପ୍ରଶ୍ନ ଟିଏ ବାହାରି ଆସନ୍ତା କି?
ମୁଁ କଣ ଭାବିଦେଲେ ସବୁ ଠିକ୍ ହେଇଯିବ, ନା ସବୁ ଖାଲି ମାେ ଭାବନାରେ ସୀମିତ ଥିଲା। ବହୁତ ଲୋକ ନିଜ ନିଜ ସମ୍ପର୍କୀୟ ମାନଙ୍କ ଅକାଳ ବିୟୋଗ କଥା ଶୁଣି ଶେଷ ଦେଖା ପାଇଁ ଧାଇଁ ଆସିଥିଲେ।ରଡ଼ି ରଡ଼ି ବାହୁନୀ ବିଦାୟ ଦେଉଥିଲେ।କିଏ ଭେଣ୍ଡିଆ ପୁଅ ଝିଅ,ଆଉ କିଏ ବାପା ମାଆ ହରେଇ ସମ୍ପର୍କର ଅଭାବ ବୋଧକୁ ସାଉଁଟି ଚାଲିଥିଲେ । ହାଏରେ ଦଇବ,ଜନ୍ମ ମୃତ୍ୟୁର ମଝି ଯାତ୍ରାଟାର ମାନେ କଣ? କିଛି ଘଣ୍ଟାର ଅପେକ୍ଷା ପରେ ପାର୍ଥିବ ଶରୀର ଠୁ ଦୂର ହେବାର ସମୟ ଉପଗତ ହେଲା, ଝିପିଝିପି ବର୍ଷାରେ କୋଭିଡ ହସ୍ପିଟାଲ୍ ସାମ୍ନାରେ ଥିବା ଶୁବିସ୍ତୃତ ନଈ ପଠା ଆଡୁ ସେଇ ଛାତି ଥରା ପବନ ଯେମିତି ଦେହକୁ କୋଲ କରି ଦେଉଥିଲା ଭୟରେ ।
ଭଗବାନକୁ ଦୋଷ ଦେଇ ଚାଲିଥିଲି ।ଜନ୍ମ ମୃତ୍ୟୁର ଖେଳରୁ କି ଆନନ୍ଦ ମିଳୁଛି ବୋଲି ଅଭିମାନ ବାଢ଼ି ଚାଲିଥିଲି ।କେହି ଜଣେ ପିଉସାଙ୍କ ନାଆଁ ନେଇ ଡାକିଲା ତାଙ୍କର ଶେଷ ସମୟରେ ବ୍ୟବହୃତ ଚଷମା,ମୋବାଇଲ୍ ଫୋନ୍ ,ପରିଚୟ ପତ୍ର ସହ ଅନ୍ୟ ଜିନିଷକୁ ଗୋଟେ ପ୍ୟାକେଟରେ ଆଣି ଦେଇ ଗଲେ।ସବୁ ଶେଷ ହେଇ ଯାଇଥିଲା ।ସ୍ବର୍ଗ ରଥ ଗାଡି ସତରେ ସ୍ବର୍ଗକୁ ନେଇଯାଏ କି ଜାଣିନି, ଆସି ଏକା ସାଥେ କେତେଗୁଡ଼ିଏ ଜୀବନ ଯୁଦ୍ଧରେ ହାରି ଯାଇଥିବା ଶରୀରକୁ ନେଇ ଗେଟ୍ ବାହାରକୁ ବାହାରିଲା। କି ଦୁଃଖରେ ହନ୍ତସନ୍ତ କରୁଛୁରେ ସମୟ,ରୋଗର ନାଆଁ ନେଇ ମୃତ୍ୟୁ ଉପହାର ଦେଉଛୁ ।
ନଦୀବନ୍ଧ ଟାରେ ଆଗେଇ ଚାଲିଥିଲା ରଡ଼ି ଛାଡ଼ି ସ୍ବର୍ଗ ରଥଟା । ପଛରେ ମୁଁ ଧାଉଁ ଥିଲି ପିଉସା ରହି ଯାଅ,ମୁଁ ତୁମ ସହ ଦୌଡ଼ିବାକୁ ଅସମର୍ଥ,ଟିକେ ରହି ଯାଅ.... ନା ସବୁ ଡାକ ନିଶବ୍ଦ ହେଇ ମିଳେଇ ଯାଉଥିଲା,ସେ ଉଦାସୀ ପବନରେ ।
ନା ଆଉ କେବେ ସେ କାଶତାଣ୍ଡି ମୋହରେ ପଡିବିନି । ମନ ବୁଝେଇ ଦେବି,ଜୀବନ ମୃତ୍ୟୁର ଫାସକୁ ଜଗି ବସିବି ସମ୍ପର୍କ ସବୁ ଆଖି ଲୁହରେ ପାଣିଚିଆ ହେବା ଯାଏ।ମାନି ନେବି ସବୁ ପରେ ବି ବଞ୍ଚିବାକୁ ହେବ ଜଣ ଜଣକୁ ପଛରେ ପକେଇ ନିଜ ସମୟ ସରି ଯିବା ପର୍ଯ୍ୟନ୍ତ ।
#ସିଧାକଥା