ମାଆର ପଣତ ସୁରକ୍ଷା କବଚ
ମାଆର ପଣତ ସୁରକ୍ଷା କବଚ
ଅନେକ ଦିନ ତଳର କଥା ଗୋଟିଏ ଦୁଃଖଦ କହାଣୀର ଅବତାରଣା କରିଥିଲା ମୋ ଜେଜେ ମାଆ ; ସେତେବେଳକୁ ମୋତେ ପ୍ରାୟ ଏଗାର ବାର ବର୍ଷ ହେବ । ମୁଁ ଷଷ୍ଠ ଶ୍ରେଣୀରେ ପାଠ ପଢୁ ଥାଏ । ଜେଜେମା’ ଠାରୁ କହାଣୀଟି ଶୁଣି ମୁଁ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲି । ଆଉ ବିମୋହିତ ହୋଇ ଜେଜେ ମାଆକୁ ଅନେକ ପ୍ରଶ୍ନ ମଧ୍ୟ ପଚାରି ମୋ ମନରେ ସୃଷ୍ଟି ହୋଇଥିବା ପ୍ରଶ୍ନବାଚୀକୁ ସମାହିତ କରିଥିଲି ।
କହାଣୀଟି ଜେଜମା’ ଏମିତି ଭାବେ ବଖାଣି ଥିଲା ଯେ ; ଯେତେ ବଡ ନିଷ୍ଠୁର ହୃଦୟର ମଣିଷ ହେଲେ ମଧ୍ୟ ତା'ହୃଦୟ ତରଳି ଯିବ ଆଉ ଆଖିରେ ଲୁହ ଆସିଯିବ ।
କାହାଣୀର ପୃଷ୍ଠ ଭୁମିଟି ସତ୍ୟ ଘଟଣା ଉପରେ ଆଧାରିତ ଥିଲା । ପାଖ ଗାଁର ବ୍ରାହ୍ମଣ ଘରର ପୁଅ ବୋହୂ କଟକ ବାଲିଯାତ୍ରା ଦେଖିବାକୁ ଯାଇଥିଲେ । ସାଙ୍ଗରେ ତାଙ୍କର ଏକୋଇର ବଳା ନୟନ ପିତୁଳା ସୂର୍ଯ୍ୟକୁ ସାଙ୍ଗରେ ନେଇକି ଯାଇଥିଲେ । ସୂର୍ଯ୍ୟ ଦେଖିବାକୁ ବହୁତ ସୁନ୍ଦର ଥିଲା ; ଯେ କେହି ସୂର୍ଯ୍ୟକୁ ଦେଖିବ ସୂର୍ଯ୍ୟକୁ ଆଦର କରିବାକୁ ଭୁଲିବନାହିଁ ; ସୂର୍ଯ୍ୟର ବୟସ ସେତେବେଳକୁ ଚାରିବର୍ଷ ହୋଇଥାଏ । ସୂର୍ଯ୍ୟ ସୂର୍ଯ୍ୟ ପରି ଦୀପ୍ତିମାନ ଦେଖାଯାଉଥିଲା । ସୂର୍ଯ୍ୟ ସହଜେ ବ୍ରାହ୍ମଣ ଘର ପିଲା । ପ୍ରାୟତଃ ବ୍ରାହ୍ମଣ ଘର ପିଲମାନେ ଦେଖିବାକୁ ଖୂବ ସୁନ୍ଦର ହୋଇଥାନ୍ତି । ବାଲିଯାତ୍ରା ଗହଳି ଭିତରେ ବୁଲୁ ବୁଲୁ ସେଇ ବ୍ରାହ୍ମଣ ଦମ୍ପତି ଥକି ପଡିଲେ । ଗୋଟିଏ ଜଳଖିଆ ଦୋକାନ ପାଖରେ ବରା ଆଳୁ କଷା ଖାଉ ଖାଉ ସୂର୍ଯ୍ୟ ଖେଳି ଖେଳି ଗହଳି ଭିତରକୁ ଚାଲି ଯାଇଥିଲା ; ସ୍ଵାମୀ ସ୍ତ୍ରୀଙ୍କ ଅନ୍ୟମନସ୍କତା କାଳ ହେଲା । ସେମାନେ ଯେତେ ଖୋଜିଲେ ବି ସୂର୍ଯ୍ୟକୁ ଆଉ ପାଇଲେ ନାହିଁ । କାନ୍ଦି କାନ୍ଦି ଅଣାୟତ ହେଲେ । ଯିଏ ବି ଦେଖଣାହାରି ତାଙ୍କ ବିକଳ କ୍ରନ୍ଦନ ଦେଖିଲା ସେ ସେମାନଙ୍କ ସହିତ ମିଶି ଖୋଜିବାକୁ ଲାଗିଲା । କାନ୍ଦି କାନ୍ଦି ମାଆର ପଣତ ଭିଜିଗଲା ସିନା ପୁଅ କିନ୍ତୁ ମିଳିଲାନି । ରାତି ପାହି ସକାଳ ହେଲା ; ସଭିଏଁ ଘରକୁ ଫେରିଲେ ବ୍ରାହ୍ମଣ ଦମ୍ପତି କହିଲେ ଆମେ ଆଉ ଘରକୁ ଫେରିବୁ ନାହିଁ ।ଆଉ କୋଉ ମୁହଁ ନେଇ ଘରକୁ ଫେରିବୁ । ଏଇ ମହାନଦୀକୁ ଡେଇଁ ଜୀବନ ହାରି ଦେବୁ ; ଘରେ ଶାଶୁ ଶ୍ୱଶୁର ପଚାରିଲେ କି ଉତ୍ତର ଦେବୁ । କିଏ ମୋ ପୁଅକୁ ନେଲା ? ଧିକ ଏ ଜୀବନ ଆଉ ବଞ୍ଚିକି ଲାଭ କଣ? କାହା ପାଇଁ ଆଉ ବଞ୍ଚିବୁ ; ଯାହା ପାଇଁ ଆଖିରେ ସପନ ଭରି ରହିଥିଲା ;ସିଏ ତ ଆମଠାରୁ ଦୂରେଇ ଗଲା । ସେତେବେଳକୁ କଥାଟା ରାଷ୍ଟ୍ର ହୋଇଯାଇଥିଲା ; ସରକାରୀ ମହଲରେ ମଧ୍ୟ ଖୋଜା ଖୋଜି ଚାଲି ଥାଏ । ଡ଼ାକ ବାଜି ଯନ୍ତ୍ର ସାହାର୍ଯ୍ୟରେ ପ୍ରଚାର ମଧ୍ୟ କରାଗଲା ; ଯେତେ ଯାହା କଲେବି ସୂର୍ଯ୍ୟ ଆଉ ମିଳିଲା ନାହିଁ । ସରକାରୀ ବାବୁମାନେ ବହୁ ବୁଝା ସୁଜା କରି ସେଇ ଦମ୍ପତିଙ୍କୁ ତାଙ୍କ ଗାଡ଼ିରେ ବସେଇ ତାଙ୍କ ଘରେ ଛାଡିକି ଆସିଲେ ।
ମାଆ ମନ କିନ୍ତୁ ବୁଝୁନଥାଏ ; ପୁଅ ମୋର କାହିଁଗଲା ।
ଯେଉଁ ପଣତ କାନିରେ ମୋ ପୁଅର ମୁହଁକୁ ପୋଛି ଦେଉଥିଲି ;ସେଇ ପଣତ କାନି ଆଜି ସୁଖିଲା ପଡିଛି ; ମୋ ଆଖିରୁ ଲୁହ ସୁଖୁନି ରେ ଧନ ; ମୋ ପଣତ କାନି ତୋତେ ସୁରକ୍ଷା ଦେଇପାରିନି ;ଏ ମାଆର ମମତା କଣ ମିଛ ;ଏ ପଣତ କାନି କଣ ମିଛ? ମୋ ମନ ରେ ଆଜିବି ଆଶା ଅଛି ; ମୁଁ ମରିବା ପୂର୍ବରୁ ମୁଁ ତୋତେ ଥରେ ହେଲେ ଦେଖିବି । ତୁ ଯେଉଁଠି ବି ଥାଆ ନା କାହିଁକି ମୋ ମାଆ ଆଖି ତୋତେ ଖୋଜି ଖୋଜି ଦିନେନା ଦିନେ ତୋତେ ଚିହ୍ନି କୋଳକୁ ଆଣି ବ ଆଉ ପଣତ କାନିରେ ତୋ ସେଇ ସୁନ୍ଦର ମୁଖମଣ୍ଡଳକୁ ପୋଛିଦବରେ ସୂର୍ଯ୍ୟ । କଥାରେ ଅଛି ମାଆର ପଣତ ସୁରକ୍ଷା କବଚ ।
ସୂର୍ଯ୍ୟ ଉଭାନ୍ ହେବାର ପ୍ରମୁଖ କାରଣଟି ହେଲା ।ସୂର୍ଯ୍ୟ ଖେଳି ଖେଳି ଯାତ୍ରାର ଗହଳି ଅତିକ୍ରମ କରି ନଦୀ ପାଖ ପଠାକୁ ଚାଲି ଯାଇ ଥିଲା ଅଂଧାରେ ବାଟ ଭୁଲି ଏକ ଗଛ ମୂଳେ କାନ୍ଦି କାନ୍ଦି ମାଆ ମାଆ ଡ଼ାକ ଛାଡୁଥିଲା । ସେଇ ସମୟରେ ଏକ ମୁସଲିମ୍ ଦମ୍ପତି ଶୌଚ ପାଇଁ ନଦୀ ପଠାକୁ ଯାଇଥିଲେ । ସେମାନେ ସୂର୍ଯ୍ୟକୁ କୋଳରେ ଧରି ଯାତ୍ରା ପଡିଆ ସାରା ବୁଲେଇଲେ ଯେହେତୁ ସୂର୍ଯ୍ୟ ଅଜ୍ଞାନ ଶିଶୁ ଥିଲା ତା’ ବାପ ମାଆଙ୍କୁ ଲୋକ ଗହଳି ଭିତରେ ଆଉ ଦେଖି ପାରିଲା ନାହିଁ । ସେ ମୁସଲିମ୍ ଦମ୍ପତି ସୂର୍ଯ୍ୟକୁ ସାଥିରେ ନେଇ ନିଜ ଘରକୁ ପଳାଇଲେ । ସୂର୍ଯ୍ୟ ସବୁକିଛି ଭୁଲିଗଲା ; ଛୋଟରୁ ବଡ ହେଲା ; ସ୍ନେହ ଆଦର ପାଇଲା ; ସେମାନଙ୍କୁ ବପା ମାଆ ଡାକିଲା ।
ଯେହେତୁ ସେ ମୁସଲମାନ ପରିବାରରେ କାଳାତିପାତ କଲା ; ତାର ନାଆଁ ଗାଁ ସବୁ ବଦଳି ଗଲା । ସେ ବ୍ରାହ୍ମଣରୁ ହୋଇଗଲା ମୁସଲମାନ ; ସୂର୍ଯ୍ୟ ଆଚାର୍ଯ୍ୟରୁ ହୋଇଗଲା ଆଲାର ଖାଁ । ଭାଗ୍ୟର ଏ ବିଡମ୍ବନା ମାତ୍ର ନା ବିଧାତାର ଖେଳ ।
ସୂର୍ଯ୍ୟ ଶଶୀକଳା ପରି ବଢିବାକୁ ଲାଗିଲା ; ଭଲ ପାଠ ପଢ଼ି ସବୁ ଶ୍ରେଣୀରେ ପ୍ରଥମ ହେଲା । ମୁସଲିମ୍ ଦମ୍ପତି ଖୁସି ହୋଇ ସୂର୍ଯ୍ୟକୁ ପଢ଼େଇବା ପାଇଁ ସଂକଳ୍ପ ନେଲେ ।
ତୁଳସୀ ଦୁଇ ପତ୍ରରୁ ବାସୀ ବା ଭଳି ସୂର୍ଯ୍ୟର ପ୍ରତିଭା ବାରି ହୋଇ ପଡ଼ୁଥାଏ। ଦିନେ ନା ଦିନେ ଏଇ ପୁଅ ଆମର ନାଆଁ ରଖିବ । ଇଏ ବଡ ହେଲେ ଗୋଟେ ବଡ ଡାକ୍ତର ହେବ । ଏଇ ପରି ମୁସଲିମ୍ ଦମ୍ପତି ସୂର୍ଯ୍ୟର ଦୀପ୍ତି ମୟ ଜ୍ୟୋତି କୁ ଅନୁଭବ କରୁଥିଲେ ।
ସତକୁ ସତ ସୂର୍ଯ୍ୟ ବଡ ହୋଇ ଗୋଟାଏ ବଡ ଡାକ୍ତର ହୋଇଥିଲା । ସୂର୍ଯ୍ୟ ରୋଗୀମାନଙ୍କର ସେବା କୁ ବ୍ରତ ଭାବେ ଗ୍ରହଣ କରି ବେଶ୍ ନାଁ କମେଇଲା । ସମସ୍ତେ କହିଲେ ଆଲାର ଖାଁ ଓଡ଼ିଶାର ସବୁଠୁ ଭଲ ଡକ୍ଟର ।
ସେତେବେଳକୁ ପଚିଶ ବର୍ଷ ଅତିକ୍ରାନ୍ତ କରି ସରିଥାଏ ।
ସୂର୍ଯ୍ୟର ଜନ୍ମିତ ମାଆ ସାବିତ୍ରୀ ପୁଅକୁ ଝୁରି ଝୁରି ରୋଗାକ୍ରାନ୍ତ ହୋଇ ଯାଇଥିଲେ । ଗାଁରେ ସମସ୍ତେ କହିଲେ ସାବିତ୍ରୀ ତୁମେ ଚୌଦ୍ୱାର ଆଲାର ଖାଁ ଡାକ୍ତର ବାବୁଙ୍କ ପାଖକୁ ଯାଇ ଚିକିତ୍ସା ହୁଅ ତୁମ ରୋଗ ଭଲ ହୋଇ ଯିବ । ବିଧିର ବିଧାନ କେ କରିବ ଆନ ; ସାବିତ୍ରୀ ଦେବୀଙ୍କୁ ଧରି ସ୍ଵାମୀ ଆଚାର୍ଯ୍ୟ ବାବୁ ଚୌଦ୍ୱାର ଆସିଲେ । ମାଆ ଆଖି ତ ସବୁବେଳ ପୁଅକୁ ଖୋଜୁଥାଏ ; ଡାକ୍ତର ବାବୁ ଆସି ରୋଗୀ ଦେଖିଲେ । ସବା ଶେଷରେ ସାବିତ୍ରୀ ଦେବୀଙ୍କ ପାଳି ପଡିଲା । କେଉଁ ଏକ ଅଜଣା ସଂପର୍କ ନିମିଷକେ ଯୋଡ଼ି ହୋଇଗଲା । ସାବିତ୍ରୀ ଦେବୀଙ୍କ ଆଖିରୁ ଲୁହ ଝରି ପଡିଲା । ଡାକ୍ତର ବାବୁ କହିଲେ କାହିଁକି କାନ୍ଦୁଛ ମାଆ । ସାବିତ୍ରୀ ଦେବୀ କହିଲେ କଣ କହିବିରେ ପୁଅ । ଯଦି ମୋ ପୁଅ ସୂର୍ଯ୍ୟ ଆଜି ମୋ ପଖରେ ଥାଆନ୍ତା ; ତାହାଲେ ଆଜି ତୋଅରି ଭଳିଆ ହେଇଥାନ୍ତା ;
ତୁ ଠିକ୍ ମୋ ପୁଅ ପରି ଲାଗୁଛରେ ଧନ । ମାଆ ଆଖି ପୁଅ କୁ ଚିହ୍ନି ପରଖି ବାରେ କେବେବି ଧୋକା ଖାଏନି ।
ସେଇ ସମୟ ରେ ଡାକ୍ତର ବାବୁ ଇଂଜେକସନ୍ ଦେବାପାଇଁ ଉଦ୍ୟତ ହେଲାବେଳେ ;ସାବିତ୍ରୀ ଦେବୀ କହିଲେ ବାରେ ମୋ ମନ କହୁଛି ତୁ ମୋ ପୁଅ ; ଡାକ୍ତର କହିଲେ ମାଆ ହଉ ମାଆ ମୁଁ ତମ ପୁଅ ପ୍ରଥମେ ତମେ ଇଞ୍ଜେକ୍ସନ ନିଅ । ତୁମକୁ ଟିକେ ଆରାମ ଲାଗିବ ।
ଆରେ ପୁଅ ତୋତେ ଖୋଜି ଖୋଜି ମୁଁ ପାଗେଳୀ ହୋଇ ଯାଇଛି ବୋଲି ଭାବୁଛୁ କି ।?। ମୁଁ ଏ ଯାଏ ଭରସା ରଖିଛି ସେଥି ପାଇଁ ପାଗଳୀ ହୋଇନି । ପ୍ରଥମେ ସାବିତ୍ରୀଙ୍କ କଥାକୁ ଡାକ୍ତର ବାଚାଳାମି ଭାବୁଥିଲେ । ତାପରେ ସେ କହିଲେ ମାଆ ମୋତେ କାହିଁକି ତମ ପୁଅ ବୋଲି ଦାବି କରୁଛ ।?। ମୁଁ ତ ମୁସଲିମ୍ ତୁମେ ତ ବ୍ରାହ୍ମଣ ଘରର ଲୋକ ;। ସାବିତ୍ରୀ ଦେବୀ କହିଲେ ମାଆ ଆଖି ଧୋକା ଖାଏନି ;। ୟା ପଛରେ ଏକ ଲମ୍ବା କହାଣୀ ଅଛି ତୁ ଶୁଣି ଥିବୁ ନିଶ୍ଚୟ ; ତୋ ମନକୁ ପଚାରେ । ମୁଁ ଏତିକି କହୁଛି ତୁ କୁର୍ତ୍ତା ଖୋଲ ତୋ ପିଠିରେ ଯଦି ଗୋଟେ କଳାଜାଇ ଥିବ ; ତାହେଲେ ତୁ ମୋ ସୂର୍ଯ୍ୟ । ଡକ୍ଟର ବାବୁ ନିର୍ବାକ ହୋଇ ମାଆ ବୋଲି ଡାକି କୁଣ୍ଢେଇ ପକେଇଲେ । ସାବିତ୍ରୀ ଦେବୀ ପଣତ କାନି ରେ ପୁଅର ମୁହଁ ପୋଛିଦେଲେ ; ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟିଲା ; ମାଆର ପଣତ ଆଉ ଭିଜିବନି ଆଖି ଲୁହରେ । ସେ ସାଜିବ ସୁରକ୍ଷା କବଚ ।
ସଦାନନ୍ଦ ସାହୁ ; ଧୁରୁସିଆ ; ଆଠଗଡ଼ ;କଟକ